
ଘଟଗାଁ ,୧୫ ନଭେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ କୁଆପଶି ନିକଟରେ ଥିବା ଏକ ରାଇସ୍ ମିଲରୁ ନିର୍ଗତ ଧାନ ଗୁଣ୍ଡି ଓ ବର୍ଜ୍ୟଜଳକୁ ନେଇ ସ୍ଥାନୀୟ ଅଂଚଳବାସୀ ଏବଂ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମିଲ୍ରୁ ବାହାରୁଥିବା ଧାନ ଗୁଣ୍ଡି ଯୋଗୁଁ ବାୟୁ ପ୍ରଦୂଷଣ ହେଉଥିବା ବେଳେ ବର୍ଜ୍ୟଜଳ ନିକଟସ୍ଥ ଚାଷଜମିକୁ ମାଡ଼ିଯାଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବିଶେଷ କରି ସନ୍ଧ୍ୟା ସମୟରେ ମିଲ୍ରୁ ବହୁ ପରିମାଣର ଧାନ ଗୁଣ୍ଡି ବାହାରକୁ ନିର୍ଗତ ହେଉଛି। ମିଲ୍ ନିକଟ ଦେଇ ଯାଇଥିବା ମୁଖ୍ୟ ରାସ୍ତାରେ ପ୍ରତିଦିନ ଶହ ଶହ ଲୋକ, ଛାତ୍ରଛାତ୍ରୀ ଓ ଯାନବାହନ ଯାତାୟାତ କରୁଥିବାରୁ ଉଡ଼ୁଥିବା ଧାନ ଗୁଣ୍ଡି ଯୋଗୁଁ ସେମାନେ ଅସୁବିଧାରେ ପଡ଼ୁଛନ୍ତି। ଗୁଣ୍ଡି ଆଖିରେ ପଶିବା ଫଳରେ ବିଶେଷ କରି ଦୁଇଚକିଆ ଯାନ ଚାଳକଙ୍କ ଯାତାୟାତ ପ୍ରଭାବିତ ହେଉଥିବା ଏବଂ ଦୁର୍ଘଟଣାର ଆଶଙ୍କା ବଢ଼ୁଥିବା ଲୋକେ କହିଛନ୍ତି। ଏଥିସହ ଧୂଳିକଣା ଯୋଗୁଁ ଚକ୍ଷୁ ଓ ଶ୍ୱାସଜନିତ ସମସ୍ୟା ଦେଖାଦେବା ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ମିଲ୍ରୁ ନିର୍ଗତ ବର୍ଜ୍ୟଜଳ ନିକଟସ୍ଥ ଚାଷଜମିକୁ ପ୍ରବେଶ କରୁଥିବାରୁ ଚାଷ ଉପରେ ଏହାର କୁପ୍ରଭାବ ପଡ଼ୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି ଜଳ ଯୋଗୁଁ କେତେକ ଚାଷଜମିରେ ଫସଲ ନଷ୍ଟ ହେବାର ଆଶଙ୍କା ରହିଥିବା ସେମାନଙ୍କ ମତ। ତେବେ ବର୍ଜ୍ୟଜଳରେ କୌଣସି ରାସାୟନିକ ପଦାର୍ଥ ରହିଛି କି ନାହିଁ ଏବଂ ଏହାର ପ୍ରକୃତ ପ୍ରଭାବ କ’ଣ, ତାହା ବିଭାଗୀୟ ଯାଂଚ ପରେ ସ୍ପଷ୍ଟ ହୋଇପାରିବ।ଏହି ପରିସ୍ଥିତିରେ ମିଲ୍ରୁ ନିର୍ଗତ ଧୂଳିକଣା ଓ ବର୍ଜ୍ୟଜଳ ପରିଚାଳନା ବ୍ୟବସ୍ଥା ଠିକ୍ ଭାବେ ରହିଛି କି ନାହିଁ, ସେନେଇ ପ୍ରଶ୍ନ ଉଠିଛି। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଘଟଣାସ୍ଥଳ ଯାଂଚ କରି ପ୍ରଦୂଷଣର ମାତ୍ରା ଏବଂ ବର୍ଜ୍ୟଜଳର ଗୁଣବତା ପରୀକ୍ଷା କରିବା ସହ ନିୟମ ଉଲ୍ଲଂଘନ ହୋଇଥିଲେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଓ ଚାଷୀମାନେ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ