ପୂର୍ବ ଶତ୍ରୁତାରୁ ପଡ଼ୋଶୀଙ୍କ ଉପରେ ମରଣାନ୍ତକ ଆକ୍ରମଣ
Attack on husand and wife
ପୂର୍ବ ଶତ୍ରୁତାରୁ ପଡ଼ୋଶୀଙ୍କ ଉପରେ ମରଣାନ୍ତକ ଆକ୍ରମଣ


ଝାରସୁଗୁଡ଼ା, ୧୫ ନଭେମ୍ବର (ହି.ସ.) - ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ମାଉଲିଗୁଡ଼ି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଦମ୍ପତିଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି। ଏଥିରେ ସ୍ୱାମୀ ଗୁରୁତର ଆହତ ହୋଇଥିବାବେଳେ ସ୍ତ୍ରୀ ମଧ୍ୟ ଆହତ ହୋଇଛନ୍ତି। ଘଟଣାରେ ସମ୍ପୃକ୍ତ ପଡ଼ୋଶୀ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସଦର ଥାନା ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ମାଉଲିଗୁଡ଼ି ଗ୍ରାମର ଶିଶିର ଚନ୍ଦ୍ର ଜେନା (୫୦) ରବିବାର ନିଜ ଘରୁ କାର୍ଯ୍ୟସ୍ଥଳକୁ ଯିବା ପାଇଁ ବାହାରୁଥିବା ସମୟରେ ତାଙ୍କ ପଡ଼ୋଶୀ ସୁଦର୍ଶନ ପାଳ (୪୩) ସେଠାରେ ପହଂଚିଥିଲେ। ପୂର୍ବ ଶତ୍ରୁତାକୁ ନେଇ ସୁଦର୍ଶନ ଏକ ଧାରୁଆ ଅସ୍ତ୍ରରେ ଶିଶିରଙ୍କୁ ଆକ୍ରମଣ କରିଥିଲେ। ଫଳରେ ଶିଶିରଙ୍କ ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।

ସ୍ୱାମୀଙ୍କୁ ଆକ୍ରମଣରୁ ରକ୍ଷା କରିବାକୁ ଆସିଥିବା ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ସାବତ (୪୯) ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କ ହାତରେ ଆଘାତ ଲାଗିଛି। ଘଟଣା ସମ୍ପର୍କରେ ଖବର ପାଇ ସଦର ଥାନା ପୁଲିସ ତୁରନ୍ତ ପହଂଚି ଅଭିଯୁକ୍ତ ସୁଦର୍ଶନ ପାଳଙ୍କୁ ଗିରଫ କରିଥିଲା।

ଅନ୍ୟପକ୍ଷରେ, ଗୁରୁତର ଆହତ ଶିଶିରଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇ ପରେ ଉନ୍ନତ ଚିକିତ୍ସା ପାଇଁ ବୁର୍ଲା ଭିମ୍ସାରକୁ ସ୍ଥାନାନ୍ତର କରାଯାଇଛି। ବର୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ ସଦର ଥାନାରେ କେସ୍ ନମ୍ବର ୪୫୭/୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୮(୧) ଓ ୧୦୯(୧) ଅନୁଯାୟୀ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande