ରାଜ୍ୟର ଆବାସ ହିତାଧିକାରୀଙ୍କୁ ପ୍ରତାରିତ କରିଛନ୍ତି କେନ୍ଦ୍ର ସରକାର: ବିଜେଡି
ନିଜ ବିଫଳତା ଲୁଚାଇବାକୁ ଆବାସ ଯୋଜନାକୁ ରାଜନୈତିକ ହତିଆର କରିଛି ଡବଲ ଇଞ୍ଜିନ ସରକାର ୨୮ଲକ୍ଷରୁ ଉଦ୍ଧ୍ୱର୍ ଯୋଗ୍ୟଙ୍କ ମଧ୍ୟରୁ କେବଳ ୫ଲକ୍ଷ ହିତାଧିକାରୀଙ୍କୁ ଆବାସ ଆବଣ୍ଟନ ଓଡ଼ିଶା ଅପେକ୍ଷା ଆନ୍ଧ୍ର ପ୍ରଦେଶରେ ଆବାସ ଗୃହକୁ ଅଧିକ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର ଭୁବନେଶ୍ୱର ,
ରାଜ୍ୟର ଆବାସ ହିତାଧିକାରୀଙ୍କୁ ପ୍ରତାରିତ କରିଛନ୍ତି କେନ୍ଦ୍ର ସରକାର: ବିଜେଡି


ନିଜ ବିଫଳତା ଲୁଚାଇବାକୁ ଆବାସ ଯୋଜନାକୁ ରାଜନୈତିକ ହତିଆର କରିଛି ଡବଲ ଇଞ୍ଜିନ ସରକାର

୨୮ଲକ୍ଷରୁ ଉଦ୍ଧ୍ୱର୍ ଯୋଗ୍ୟଙ୍କ ମଧ୍ୟରୁ କେବଳ ୫ଲକ୍ଷ ହିତାଧିକାରୀଙ୍କୁ ଆବାସ ଆବଣ୍ଟନ

ଓଡ଼ିଶା ଅପେକ୍ଷା ଆନ୍ଧ୍ର ପ୍ରଦେଶରେ ଆବାସ ଗୃହକୁ ଅଧିକ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର

ଭୁବନେଶ୍ୱର , 15 ନଭେମ୍ବର (ହି.ସ.)ଆବାସ ଯୋଜନାକୁ ନେଇ ବିଜେପି ସରକାରଙ୍କ ପ୍ରତିକ୍ରିୟା ଭିତ୍ତିହୀନ । ବିଜେଡିର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରେସ ବିବୃତ୍ତି ଜରିଆରେ ଡବଲ ଇଞ୍ଜିନ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ଶ୍ରୀ ମିଶ୍ର କହିଛନ୍ତି ଯେ, ବିଜେପି ପକ୍ଷରୁ ଯେଉଁ ମନ୍ତବ୍ୟ ଉପସ୍ଥାପନ କରିଛନ୍ତି ତାହା ହାସ୍ୟସ୍ପଦ । ଲୋକଙ୍କ ସରକାର ବୋଲାଉଥିବା ବିଜେପି ସରକାରରେ ପ୍ରତି ବର୍ଗର ଲୋକେ ଉପେକ୍ଷିତ ହେଉଛନ୍ତି । ତାହା ଜାଣିବା ପରେ ନିଜ ଦୋଷକୁ ଲୁଚାଇବା ପାଇଁ ଭିତ୍ତିହୀନ ପ୍ରତିକ୍ରିୟା ପ୍ରଦାନ କରୁଛନ୍ତି । ବିଜେଡି ଶାସନ କାଳରେ କେନ୍ଦ୍ର ସରକାର ଓଡ଼ିଶାକୁ ୨୮ଲକ୍ଷରୁ ଉଦ୍ଧ୍ୱର୍ ଆବାସ ଗୃହ ପ୍ରଦାନ କରିଛନ୍ତି ବୋଲି କହିଛନ୍ତି । ତେବେ ଉକ୍ତ ୨୮ଲକ୍ଷ ଉଦ୍ଧ୍ୱର୍ ଆବାସ ଗୃହରେ ରାଜ୍ୟ ସରକାରଙ୍କ ମଧ୍ୟ ୫୦ ପ୍ରତିଶତ ଅନୁଦାନ ରହିଥିଲା । କାରଣ ଆବାସ ଗୃହ ନିର୍ମାଣରେ କେନ୍ଦ୍ର ଓ ରାଜ୍ୟ ସରକାର ୫୦ ପ୍ରତିଶତ ଲେଖାଏଁ ଅନୁଦାନ ରହିଥାଏ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା ଆର୍ଥିକ ଅଭିବୃଦ୍ଧି ହୋଇଥିଲା । ଯାହା ଫଳରେ ବିଜେଡି ଶାସନ କାଳରେ ଅନେକ ଲୋକଙ୍କ ମୁଣ୍ଡକୁ ଛାତ ଯୋଗାଇ ପାରିଥିଲେ । ଅନ୍ୟ ରାଜ୍ୟ ମାନେ ଆବାସ ଗୃହ ଅନୁଦାନ ରାଶି ଦେବାରେ ଅସମର୍ଥ ଥିବା ବେଳେ ଓଡ଼ିଶା ସେଥିରେ ଅଗ୍ରଣୀ ରହିଥିଲା । ପ୍ରତିଟି ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଗୃହ ଯୋଗାଇ ଦେଇଥିଲା ।

କେନ୍ଦ୍ର ସରକାରଙ୍କ କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ବଲାଙ୍ଗୀର ଗସ୍ତ ଅବସରରେ ଆବାସ ଯୋଜନାକୁ ନେଇ ବିଜେଡି ସରକାର ବିରୋଧରେ ବିଭିନ୍ନ ମନ୍ତବ୍ୟ ଦେଇଛନ୍ତି । ଯାହାକି କୌଣସି ତଥ୍ୟ ଭିତ୍ତିକ ନୁହେଁ । ବିଜେଡିକୁ ଆକ୍ଷେପ କରି ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ କରି ସମ୍ପୂର୍ଣ୍ଣ ଭିତ୍ତିହୀନ ମନ୍ତବ୍ୟ ଉପସ୍ଥାପନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ନିଜ ବକ୍ତବ୍ୟରେ କହିଥିଲେ ଯେ ଉକ୍ତ ଆବାସ ଯୋଜନା କାର୍ଯ୍ୟକ୍ରମ ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରଭାବ ପକାଇବ । ଯାହାକି ରାଜନୈତିକ ଉଦେ୍ଦଶ୍ୟ ବୋଲି ପ୍ରମାଣିତ କରୁଛି । ଡବଲ ଇଞ୍ଜିନ ସରକାର ରାଜ୍ୟବାସୀଙ୍କୁ ଯେଉଁ ମିଥ୍ୟା ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ତାହା ପୂରଣ କରିବାରେ ଅସମର୍ଥ ହୋଇଛନ୍ତି । ତାହା ବିଜେପି ନେତାଙ୍କୁ ଦେଖା ଯାଉନାହିଁ । ନିଜ ବିଫଳତା ଲୁଚାଇବାକୁ ବିଜେଡିକୁ ଆକ୍ଷେପ କରି କହୁଛନ୍ତି । ବିଜେଡି ଶାସନ କାଳରେ ଗତ ୨୦୨୨-୨୩ ମସିହାରେ ୯,୩୯,୦୦୦ ହିତାଧିକାରୀଙ୍କୁ ଆବାସ ଗୃହ ଆବଣ୍ଟନ କରାଯାଇଥିଲା । କିନ୍ତୁ ବର୍ତ୍ତମାନର ଡବଲ ଇଞ୍ଜିନ ସରକାରରେ ଓଡ଼ିଶାକୁ ସେତେ ପରିମାଣର ଆବାସ ଗୃହ ମିଳୁନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରୁ ୨୮,୨୮,୦୦୦ ଜଣ ହିତାଧିକାରୀ ଆବାସ ଗୃହ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । କିନ୍ତୁ କେନ୍ଦ୍ର ସରକାର ଓଡ଼ିଶାକୁ ୫,୦୦,୦୦୦ ଗୃହ ଆବଣ୍ଟନ କରିଛନ୍ତି । ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ଡବଲ ଇଞ୍ଜିନ ସରକାର ଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ଆନ୍ଧ୍ର ପ୍ରଦେଶକୁ ଅଧିକ ପ୍ରାଧାନ୍ୟ ଦେଇ ଅନୁଦାନ ପ୍ରଦାନ କରିଛନ୍ତି । ଆନ୍ଧ୍ର ପ୍ରଦେଶରେ ୩,୨୧,୦୦୦ ଜଣ ହିତାଧିକାରୀ ଆବାସ ଗୃହ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ କେନ୍ଦ୍ର ସରକାର ୩,୦୦,୦୦୦ ଆବାସ ଗୃହ ଆବଣ୍ଟନ କରିଛନ୍ତି । ଆନ୍ଧ୍ର ପ୍ରଦେଶ ଆବାସ ଗୃହ ଆବଣ୍ଟନକୁ ତୁଳନାକୁ ନେଲେ ଓଡ଼ିଶାକୁ ୨୬,୪୨,୯୯୦ ଗୃହ ପ୍ରଦାନ କରିବା କଥା, କିନ୍ତୁ ଡବଲ ଇଞ୍ଜିନ ସରକାର ରାଜ୍ୟବାସୀଙ୍କୁ ଲଲିପପ୍ ଧରାଇ କେବଳ ୫,୦୦,୦୦୦ ଗୃହ ଆବଣ୍ଟନ କରିଲେ । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଓଡ଼ିଶା ପ୍ରତି ଡବଲ ଇଞ୍ଜିନ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରୁଥିବାକୁ ପ୍ରମାଣ କରୁଛି । କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କୁ ଉପହାସିତ କରିଛନ୍ତି । ଗତ ୨୧ ଜୁଲାଇରେ ସଂସଦରେ କେନ୍ଦ୍ର ମନ୍ତ୍ରୀ ଆବାସ ଯୋଜନା ଗୃହ ନେଇ ଅର୍ଥ ପ୍ରଦାନ ସମ୍ପର୍କିତ ଉତ୍ତର ଉପସ୍ଥାପିତ କରିଥିଲେ । ମହାରାଷ୍ଟ୍ରରେ ୧୦,୧୦୧କୋଟି, ମଧ୍ୟପ୍ରଦେଶରେ ୭,୨୬୯ କୋଟି, କର୍ଣ୍ଣାଟକରେ ୪,୬୫୩ କୋଟି, ଆସାମରେ ୪,୭୬୧ କୋଟି ପ୍ରଦାନ ପାଇଁ ନିର୍ଦ୍ଧାରଣ ହୋଇଥିବା ବେଳେ ଓଡ଼ିଶାକୁ ମାତ୍ର ୬୩୧କୋଟି ଟଙ୍କା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଛନ୍ତି । ଯାହାକି ଓଡ଼ିଶାବାସୀଙ୍କ ପ୍ରତି ଡବଲ ଇଞ୍ଜିନ ସରକାରଙ୍କ କେଉଁ ପ୍ରକାର ଦରଦ ରହିଛି ବୋଲି ପ୍ରମାଣିତ କରୁଛି ।

ବିଜେଡି ସରକାରଙ୍କ ସମୟର ବିଜୁ ପକ୍କା ଘର ଯୋଜନାକୁ ବିଜେପି ସରକାର ରଙ୍ଗ ବଦଳାଇ ଅନ୍ତୋଦୟ ଗୃହ ଯୋଜନା କରିଛନ୍ତି । ସେଥିରେ ମଧ୍ୟ ବିଜେପି ସରକାର ମିଛ ଡିଣ୍ଡିମ ପିଟିବାରେ ବ୍ୟସ୍ତ ରହିଛନ୍ତି । ଉକ୍ତ ଯୋଜନାର ଯୋଗ୍ୟ ବିବେଚିତ ହେବାକୁ ରାଜ୍ୟ ସରକାର ୧୨ଟି ମାନଦଣ୍ଡ କରିଛନ୍ତି । କିନ୍ତୁ ଓଡ଼ିଶାରେ ତାହାକୁ ବିଜେପି ସରକାର ଅନୁପାଳନ କରି ନାହିଁ । ମାନଦଣ୍ଡ ଉଲ୍ଲଘଂନ କରି ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଗୃହ ଆବଣ୍ଟନ କରିଛନ୍ତି । ଦଳୀୟ ତୁଷ୍ଟିକରଣ ପାଇଁ ଅଯୋଗ୍ୟ ହିତାଧିକାରୀଙ୍କୁ ଜୋର ଜବରଦସ୍ତ ଯୋଗ୍ୟ ହିତାଧିକାରୀ ଭାବେ ବିବେଚିତ କରାଯାଇଛି । ତେବେ କେନ୍ଦ୍ରମନ୍ତ୍ରୀ ଭିତ୍ତିହୀନ ମନ୍ତବ୍ୟ ଉପସ୍ଥାପନ ନକରି ରାଜ୍ୟର ହକ୍ ପ୍ରଦାନ କରନ୍ତୁ । ଆକଳନ୍ ହୋଇଥିବା ରାଜ୍ୟର ଯୋଗ୍ୟ ବିବେଚିତ ହିତାଧିକାରୀ ମାନଙ୍କୁ ତାଙ୍କ ହକ୍ ଆବାସ ଗୃହ ତୁରନ୍ତ ଆବଣ୍ଟନ କରନ୍ତୁ । ଏଥି ସହିତ ରାଜ୍ୟକୁ ଅର୍ଥ ଅନୁଦାନ ମଞ୍ଜୁର କରିବା ସହ ଘୋଟାଲା ରୋକିବା ପାଇଁ ଅନ୍ତୋଦୟ ଯୋଜନାର ହିତାଧିକାରୀ ମାନଙ୍କ ନାମ ସାର୍ବଜନୀନ କରାଯାଉ ବୋଲି ଶ୍ରୀ ମିଶ୍ର ଦାବି ଉପସ୍ଥାପନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande