
ଜୟପୁର,୧୫ ନଭେମ୍ବର (ହି.ସ.) - ଜୟପୁର ଜୟନଗରସ୍ଥିତ ପାଇକ ସାହିରେ ଥିବା ସାରସ୍ୱତ ବାଲ ମନ୍ଦିର ପ୍ରାଙ୍ଗଣରେ ବହୁ ଆଡ଼ମ୍ବରରେ ପାଳିତ ହୋଇସାରିଛି ବିଦ୍ୟାଳୟର ବାର୍ଷିକ ପ୍ରଦର୍ଶନୀ ଉତ୍ସବ-୨୦୨୬। ଅନୁଷ୍ଠାନର ଅଧ୍ୟକ୍ଷା, ଶିକ୍ଷୟିତ୍ରୀଗଣ, ଛାତ୍ରଛାତ୍ରୀ, ପରିଚାଳନା କମିଟି ଏବଂ ଅଭିଭାବକମାନଙ୍କର ପୂର୍ଣ୍ଣ ସହଯୋଗରେ ଏହି ଦିବସଟି ରୋମାଂଚକର ହୋଇପାରିଥିଲା। ପୂର୍ବାହ୍ଣ ୯:୦୦ ଘଟିକା ସମୟରେ ମୁଖ୍ୟ ଅତିଥି ଅତିରିକ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ କେ. ଗୋପାଳ ଏବଂ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ବରିଷ୍ଠ କର୍ମକର୍ତା ଶଶୀଭୂଷଣ ଦାସ, ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ର, ଅନୁଷ୍ଠାନର ଉପଦେଷ୍ଟା ଉଦୟ ଶଙ୍କର ଜାନୀ, ସମ୍ପାଦକ ନିରଞ୍ଜନ ପାଣିଗ୍ରାହୀ, ସହ ସମ୍ପାଦକ ଚନ୍ଦ୍ରଶେଖର ମହାପାତ୍ରଙ୍କ ଉପସ୍ଥିତିରେ ଅନୁଷ୍ଠାନର ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଶ୍ରୀଫଳ ଭଗ୍ନ ପୂର୍ବକ ଆନୁଷ୍ଠାନିକ ରୀତିରେ ପ୍ରଦର୍ଶନୀର ଉଦଘାଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ସି ଆର ସି ସି ରାମେଶ୍ୱର ପଣ୍ଡା, ବିଜୟଲକ୍ଷ୍ମୀ ସ୍ୱାଇଁ, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଦେବୀ ପ୍ରସାଦ ଦାସ, ସମ୍ପାଦକ ପ୍ରଦୀପ ମିଶ୍ର, ଶିକ୍ଷକ ପୁରନ୍ଦର ନାୟକ, ପ୍ରଧାନ ଶିକ୍ଷକ ଦିଲ୍ଲୀପ ପଣ୍ଡା ଯୋଗଦେଇଥିବା ବେଳେ ଜୟପୁରର ବଳିଷ୍ଠ ବ୍ୟକ୍ତିତ୍ୱ ଅମର ମିଶ୍ର, ଜିତୁ ମିଶ୍ର, ଅଶୋକ ପାଢ଼ୀ, ବୁଲୁ ଷଡଙ୍ଗୀ,ଗୋପାଳ ସାହୁ, ଏମ ଡ଼ି ସାରିଫ, ଲାଲୁ ମିଶ୍ର, ପଦ୍ମ ଚରଣ, କେ ସୁନିତା, ମମତା ସାହୁ, ସମୀର ପଟ୍ଟନାୟକ, ବୁଲୁ ମାଦଳା, ପଦ୍ମିନୀ ପାଢ଼ୀ, ନିହାରିକା ପ୍ରଧାନ ଆଦିଙ୍କ ଉପସ୍ଥିତି, ଅଭିଭାଷଣ ଏବଂ ପରିଦର୍ଶନରେ ଚଳଚଂଚଳ ହୋଇଥିଲା କାର୍ଯ୍ୟକ୍ରମ। ଏଭଳି ଏକ ପ୍ରାଥମିକ ଅନୁଷ୍ଠାନରେ ଏକା ସମୟରେ ଆୟୋଜିତ ହୋଇଥିଲା ବିଜ୍ଞାନ, ସାହିତ୍ୟ, ମହାପୁରୁଷଙ୍କ ଫଟୋ, ଫୁଲ, ଔଷଧୀୟ ବୃକ୍ଷ, ଟେଡି, ଖାଦ୍ୟ, ଅସ୍ତ୍ରଶସ୍ତ୍ର, ଗୃହ ସୁସଜ୍ଜିକରଣ ବୃକ୍ଷ, ଡ୍ରଇଂ, ଝୋଟି, ଶସ୍ୟ, ମାପ ଉପକରଣ ଏବଂ ହସ୍ତକର୍ମ ଭଳି ବାରଟି ପ୍ରଦର୍ଶନୀ। ମୁଖ୍ୟ ମଂଚରେ ଅବ୍ୟାହତ ରହିଥିଲା ପିଲାମାନଙ୍କ ଦ୍ୱାରା ପରିବେଷଣ ହେଉଥିବା ଗୀତ, ଗପ, କବିତା ଆବୃତି, ଅନୁଭୂତି ବର୍ଣ୍ଣନା ଏବଂ ନୃତ୍ୟ। ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ହସ୍ତକର୍ମକୁ ଅଭିଭାବକମାନେ ମୂଲ୍ୟଦେଇ କିଣି ନେଉଥିଲେ ଏବଂ ପ୍ରୋତ୍ସାହନ ଦେଉଥିଲେ। ଅଭିଭାବକ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ମଧ୍ୟ ଗୁପୁଚୁପୁ, ଦହିବରା, ଚଣାମସଲା, ସ୍ୱିଟ କର୍ଣ୍ଣ, ଝାଲ ମୁଢି, ପାମ୍ପଡି ଚାର୍ଟ, ବ୍ରେଡ଼ ଚକୋ ଆଦି ଖାଦ୍ୟ ଓ ଜଳଜୀରା ଭଳି ପାନୀୟ ଦୋକାନ କରାଯାଇ ଦର୍ଶକଙ୍କୁ ବିକ୍ରି କରାଯାଉଥିଲା। ଏମିତି କହିବାକୁ ଗଲେ ଏକ ମିନି ମିନାବଜାର ଆଜି ଏହି ଅନୁଷ୍ଠାନରେ ଅନୁଷ୍ଠିତ ହୋଇଥିଲା। କୁନି କୁନି ପିଲାମାନଙ୍କର ନିଖୁଣ ପ୍ରଦର୍ଶନରେ ଅନୁଷ୍ଠାନର ସାଧନା, ନିଷ୍ଠା ଏବଂ କର୍ତବ୍ୟନିଷ୍ଠତା ପ୍ରତିଫଳିତ ହେଉଥିଲା। ଅଭିଭାବକ ସମେତ ସହର ବାସିନ୍ଦା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଅନୁଷ୍ଠାନର ଭୁୟସୀ ପ୍ରଶଂସା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି