
ସମ୍ବଲପୁର, ୧୫, ନଭେମ୍ବର (ହି.ସ.) - ସମଲେଶ୍ୱରୀ ଓ ସମ୍ବଲପୁରୀ ସଂସ୍କୃତିର ପରିସର ସୁଦୂର ପ୍ରସାରୀ। ପଶ୍ଚିମ ଓଡ଼ିଶା, ଓଡି଼ିଶା, ଭାରତର ସୀମା ସରହଦ ଡେଇଁ ସାରା ବିଶ୍ୱରେ ପ୍ରସାରିତ ହେଲାଣି ବୋଲି କହିଛନ୍ତି ପଦ୍ମଶ୍ରୀ ହଳଧର ନାଗ । ବ୍ୟାଙ୍କ ଅଫ ବରୋଦାର ସମ୍ବଲପୁର ଆଂଚଳିକ କ୍ଷେତ୍ରର କର୍ମଚାରୀ ତଥା ସେମାନଙ୍କ ପରିବାରବର୍ଗଙ୍କୁ ନେଇ ଗଠିତ ଉତ୍ସବ ପରିବାର' ପକ୍ଷରୁ ସ୍ଥାନୀୟ ରେଳବାଇ କମ୍ୟୁନିଟୀ ହଲରେ ଆୟୋଜିତ ନୂଆଁଖାଇ ଭେଟଘାଟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପଦ୍ମଶ୍ରୀ ନାଗ ଏହା କହିଛନ୍ତି । ମୁଖ୍ୟବକ୍ତା ଭାବରେ ଯୋଗଦେଇ ଐତିହାସିକ ଦୀପକ କୁମାର ପଣ୍ଡା କହିଲେ ଆମେ ଯିଏ ଯେଉଁଠି ବି ରହୁନା କାହିଁକି, ଯେଉଁ ବୃତି ରେ ରହିଲେ ସୁଦ୍ଧା ଆମର ମାଟି, ଐତିହ୍ୟ, ସଂସ୍କୃତି, ପରମ୍ପରା ସହିତ ବାନ୍ଧି ହୋଇ ରହିବା ଆବଶ୍ୟକ । ବରଗଡ ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏ ଅବସରରେ ସମ୍ବଲପୁରୀ ନୃତ୍ୟ ଗୀତର କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବ୍ୟାଙ୍କ ଅଫ ବରୋଦା ମ୍ୟାନ ବ୍ରାଂଚର ମୁଖ୍ୟ ସଂଗ୍ରାମ ବେହେରା, ଧନୁପାଲି ଶାଖାର ମୁଖ୍ୟ ଜ୍ୟୋତ୍ସାମୟୀ ସାହୁ, କ୍ଷେତରାଜପୁର ଶାଖାର ମୁଖ୍ୟ ଆକାଶ ପାଣିଗ୍ରାହୀ, ଅଇଁଠାପାଲି ଶାଖା ମୁଖ୍ୟ ମୋତିଲାଲ ପଣ୍ଡା ପ୍ରମୁଖ ସଂଯୋଜନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ