୨୭ରୁ ଆରମ୍ଭ ହେବ ବ୍ରଜରାଜନଗର ମହୋତ୍ସବ
Brajrajnagar Mohasatav will start from ୨୭
୨୭ରୁ ଆରମ୍ଭ ହେବ ବ୍ରଜରାଜନଗର ମହୋତ୍ସବ


ତିନିଦିନ ଧରି ଜମିବ ଲୋକକଳା ଓ ସଂସ୍କୃତିର ଆସର, ୨୯ରେ କବି ସମ୍ମିଳନୀ

ଝାରସୁଗୁଡା , 15 ନଭେମ୍ବର (ହି.ସ.) ଆସନ୍ତା ନଭେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଆୟୋଜିତ ହେବ ବ୍ରଜରାଜନଗର ମହୋତ୍ସବ। ସ୍ଥାନୀୟ ଓରିଏଣ୍ଟ ପେପର୍ ମିଲ୍ (ଓପିଏମ୍) ଖେଳ ପଡ଼ିଆରେ ଏହି ମହୋତ୍ସବ ଅନୁଷ୍ଠିତ ହେବ। ଏନେଇ ମଣ୍ଡଳିଆସ୍ଥିତ କାଳୀ ମନ୍ଦିର ପରିସରରେ ମହୋତ୍ସବ କମିଟି ପକ୍ଷରୁ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ମହୋତ୍ସବ କମିଟିର ଅଧ୍ୟକ୍ଷ ଡ. ବିଜୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ମହୋତ୍ସବର ଆୟୋଜନ, କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା। ଚଳିତ ବର୍ଷ ଓପିଏମ୍ ଖେଳ ପଡ଼ିଆରେ ମୁଖ୍ୟ ମହୋତ୍ସବ ଆୟୋଜିତ ହେବା ସହ ପଡ଼ିଆର ପଶ୍ଚିମ ଓ ଉତ୍ତର ପାର୍ଶ୍ୱରେ ପଲ୍ଲିଶ୍ରୀ ମେଳା ଓ ବିଭିନ୍ନ ସାମଗ୍ରୀର ଷ୍ଟଲ୍ ଖୋଲାଯିବ। ଏଥିସହ ଓପିଏମ୍ ପାଲା ପଡ଼ିଆରେ ପାର୍କିଂ ବ୍ୟବସ୍ଥା କରିବାକୁ ମହୋତ୍ସବ କମିଟିର ସାଧାରଣ ବୈଠକରେ ନିଷ୍ପତ୍ତି ହୋଇଛି।

ମହୋତ୍ସବର ମୁଖ୍ୟ ଆକର୍ଷଣ ଭାବେ ଓଡ଼ିଶାର ବିଭିନ୍ନ ଲୋକକଳା, ସଂସ୍କୃତି ଓ ପରମ୍ପରାକୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହେବ। ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ରାଜ୍ୟ ବାହାରର କଳାକାରମାନେ ମଧ୍ୟ ଯୋଗଦେଇ କଳା ପ୍ରଦର୍ଶନ କରିବେ। ଏଥିପାଇଁ ମନ୍ତ୍ରୀ ସୁରେଶ ପୂଜାରୀ ବିଶେଷ ଗୁରୁତ୍ୱ ଦେଇଥିବା କମିଟି ଅଧ୍ୟକ୍ଷ ଡ. ପଟ୍ଟନାୟକ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମ ଅନୁଯାୟୀ, ନଭେମ୍ବର ୨୭ ତାରିଖ ପୂର୍ବାହ୍ନ ୧୦ଟାରେ ମା’ ରାମଚଣ୍ଡୀ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ମହୋତ୍ସବ ପଡ଼ିଆରେ ପହଞ୍ଚିବ। ୨୮ ତାରିଖରେ ରଙ୍ଗୋଲି ପ୍ରତିଯୋଗିତା ଏବଂ ୨୯ ତାରିଖରେ କବି ସମ୍ମିଳନୀ ଆୟୋଜନ କରାଯିବ। ଏହାବ୍ୟତୀତ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ମହୋତ୍ସବ ମଞ୍ଚରେ ସମ୍ମାନିତ କରାଯିବାକୁ ସ୍ଥିର ହୋଇଛି।

ଚଳିତ ବର୍ଷ ମହୋତ୍ସବ କମିଟିର ମୁଖ୍ୟ ପରାମର୍ଶଦାତା ଭାବେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ରହିଥିବା ବେଳେ ସ୍ୱାଗତ କମିଟିରେ ନଗରପାଳ ଗୋପାଳ ସୀତାନି ରହିଛନ୍ତି। ମହୋତ୍ସବକୁ ସଫଳ କରିବା ପାଇଁ ବିଭିନ୍ନ ସାମାଜିକ ସଂଗଠନ ଓ ଅନୁଷ୍ଠାନଗୁଡ଼ିକର ସହଯୋଗ ଲୋଡ଼ାଯାଇଛି।

ସାମ୍ବାଦିକ ସମ୍ମିଳନୀରେ କମିଟିର ସାଧାରଣ ସମ୍ପାଦକ ଅମରେନ୍ଦ୍ର ରାୟ, ମୁଖ୍ୟ ସଂଯୋଜକ ଉପନ ସାହୁ, ଉପସଭାପତି ଆଲୋକ ପଣ୍ଡା ଓ ନିର୍ମଳ ସିଂହ ଚାୱଲାଙ୍କ ସମେତ ସାଂସ୍କୃତିକ କମିଟି ସଂଯୋଜକ ସୁଶୀଲ ପୁରୋହିତ, କୋଷାଧ୍ୟକ୍ଷ ବିନୟ କୁମାର ଜୟସ୍ୱାଲ, ସମ୍ପାଦକ କବି ସ୍ୱାଇଁ, ତପନ ସ୍ୱାଇଁ, ଗଣମାଧ୍ୟମ ସଂଯୋଜକ ତ୍ରିଲୋଚନ ଦାଶଙ୍କ ସମେତ କମିଟିର ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande