ଜିଲ୍ଲାସ୍ତରୀୟ ‘ଜନଜାତୀୟ ଗୌରବ ଦିବସ-୨୦୨୬’ ମହାସମାରୋହରେ ପାଳିତ
District level National pride day observed
District level National pride day observed


ଝାରସୁଗୁଡ଼ା, ୧୫ ନଭେମ୍ବର (ହି.ସ.)- ମହାନ ଜନଜାତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ଅବସରରେ ଆଜି କିର୍ମିରା ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ‘ଜନଜାତୀୟ ଗୌରବ ଦିବସ-୨୦୨୬’ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିର୍ମିତ ‘ଆଦିବାସୀ ସଂସ୍କୃତି ଭବନ, କିର୍ମିରା’ର ଶୁଭ ଉଦ୍ଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବରଗଡ଼ର ସାଂସଦ ପ୍ରଦୀପ ପୁରୋହିତ, ଝାରସୁଗୁଡ଼ାର ବିଧାୟକ ଟଙ୍କଧର ତ୍ରିପାଠୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ଝାରସୁଗୁଡ଼ାର ଅଧ୍ୟକ୍ଷ ସାମଲ ନାଏକ, ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ସଂଯୁକ୍ତା ଓରାମ ପ୍ରମୁଖ ମଞ୍ଚାସୀନ ଥିଲେ। ଏହା ସହିତ ଜିଲ୍ଲା ମଙ୍ଗଳ ଅଧିକାରୀ ଜୟଶ୍ରୀ ଏବଂ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଝାରସୁଗୁଡ଼ାର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ରହିଥିଲେ। ଜିଲ୍ଲା ମଙ୍ଗଳ ବିଭାଗ ଝାରସୁଗୁଡ଼ା ଆନୁକୂଲ୍ୟରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ଜନଜାତି ଭାଇଭଉଣୀ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏଥିସହ ଏଠାରେ ଉଲ୍ଲେଖଯୋଗ୍ୟଯେ କିର୍ମିରା ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିସରରେ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଓ କମ୍ପ୍ୟୁଟର ବିଜ୍ଞାନ ପରୀକ୍ଷାଗାରର ଶୁଭ ଉଦ୍ଘାଟନ ମଧ୍ୟ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ ଏବଂ ବରଗଡ଼ର ସାଂସଦ ପ୍ରଦୀପ ପୁରୋହିତଙ୍କ ଗରିମାମୟ ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା। ଏହି ଅତ୍ୟାଧୁନିକ ପରୀକ୍ଷାଗାର ଗୁଡ଼ିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ଗବେଷଣାମୂଳକ ଚିନ୍ତାଧାରା ଓ ବ୍ୟବହାରିକ ଜ୍ଞାନର ବିକାଶରେ ସହାୟକ ହେବା ସହ ଗୁଣାତ୍ମକ ଶିକ୍ଷାର ନୂତନ ସୁଯୋଗ ସୃଷ୍ଟି କରିବ। ଜନଜାତି ଅଞ୍ଚଳର ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଆଧୁନିକ ଶିକ୍ଷା ଓ ବିଜ୍ଞାନଭିତ୍ତିକ ଜ୍ଞାନ ସହ ଆଗକୁ ବଢ଼ିବାର ସୁଯୋଗ ପ୍ରଦାନ କରିବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ କହିଥିଲେ ଯେ, “ଧର୍ତ୍ତୀ ଆବା ଭଗବାନ ବିର୍ସା ମୁଣ୍ଡା କେବଳ ଜନଜାତି ସମାଜ ନୁହଁନ୍ତି, ବରଂ ସମଗ୍ର ଦେଶବାସୀଙ୍କ ପାଇଁ ସ୍ୱାଭିମାନ ଓ ଦେଶପ୍ରେମର ପ୍ରତୀକ । ଜନଜାତି ସମାଜର ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ ସଶକ୍ତୀକରଣ ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ଏବଂ ଏହି ନୂତନ ଆଦିବାସୀ ସଂସ୍କୃତି ଭବନ ଅଞ୍ଚଳର କଳା ଓ ପରମ୍ପରାକୁ ବଞ୍ଚାଇ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।”ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରଗଡ଼ର ସାଂସଦ ପ୍ରଦୀପ ପୁରୋହିତ ନିଜ ବକ୍ତବ୍ୟରେ କହିଥିଲେ ଯେ, “ଭଗବାନ ବିର୍ସା ମୁଣ୍ଡାଙ୍କ ଅଦମ୍ୟ ସାହସ ଓ ବଳିଦାନ ଆମ ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଜନଜାତି ସମାଜର ଗୌରବମୟ ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ସହ ସେମାନଙ୍କୁ ବିକାଶର ମୁଖ୍ୟସ୍ରୋତରେ ଯୋଡ଼ିବା ପାଇଁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରରେ ସଫଳତାର ସହ ପହଞ୍ଚିପାରୁଛି ।”ସେହିପରି ଝାରସୁଗୁଡ଼ାର ବିଧାୟକ ଟଙ୍କଧର ତ୍ରିପାଠୀ ଉଦ୍ବୋଧନ ଦେଇ କହିଥିଲେ ଯେ, “ଭଗବାନ ବିର୍ସା ମୁଣ୍ଡାଙ୍କ ତ୍ୟାଗ, ସଂଘର୍ଷ ଓ ବଳିଦାନ ଆମ ସମସ୍ତଙ୍କ ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିବ । ଜନଜାତି ସମାଜର ଗୌରବମୟ ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହ ସେମାନଙ୍କ ସାମଗ୍ରିକ ବିକାଶ ଓ ସଶକ୍ତୀକରଣ ଦିଗରେ କିର୍ମିରା ଠାରେ ଏହି ସଂସ୍କୃତି ଭବନ ଏକ ନୂତନ ଦିଗଦର୍ଶନ ପ୍ରଦାନ କରିବ ।” ଏହି ଉତ୍ସବରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ (ଭା.ପ୍ର.ସେ) ଯୋଗଦେଇ ଜିଲ୍ଲାରେ ଜନଜାତି ବର୍ଗର ସାମଗ୍ରିକ ଉନ୍ନତି ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ଏବଂ ଶିକ୍ଷା ଓ ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ଝାରସୁଗୁଡ଼ାର ଅଧ୍ୟକ୍ଷ ସାମଲ ନାଏକ ଏବଂ ଉପାଧ୍ୟକ୍ଷା ସଂଯୁକ୍ତା ଓରାମ ମଞ୍ଚାସୀନ ରହି ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଓ ଆଦର୍ଶ ଉପରେ ନିଜର ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ମଙ୍ଗଳ ଅଧିକାରୀ ଜୟଶ୍ରୀ ଅତିଥିମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଶେଷରେ ସମସ୍ତ ଅତିଥି, ଜନ ପ୍ରତିନିଧି ଏବଂ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande