
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା: ଜଳଭଣ୍ଡାର ପରିଚାଳନା ଓ ବନ୍ୟା ନିୟନ୍ତ୍ରଣ ରଣନୀତି ଉପରେ ଗୁରୁତ୍ୱ
ଭୁବନେଶ୍ୱର, 15 ନଭେମ୍ବର (ହି.ସ.): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ସତର୍କ ସୂଚନା ପରେ ସମ୍ଭାବ୍ୟ ବର୍ଷା ଓ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏଥିପାଇଁ ବନ୍ୟା ପରିଚାଳନା ରଣନୀତି, ଜଳଭଣ୍ଡାରଗୁଡ଼ିକର ସ୍ଥିତି ଏବଂ ଆବଶ୍ୟକ ଆଗୁଆ ପଦକ୍ଷେପ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଛି।
ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ପ୍ଲାନିଂ ଓ ଡିଜାଇନିଂର ସର୍ବୋଚ୍ଚ ଯନ୍ତ୍ରୀ ଏବଂ ସ୍କିମ୍ସ ଓ ମନିଟରିଂ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ଏଥିରେ ଋଷିକୁଲ୍ୟା, ବାହୁଡ଼ା, ବଂଶଧାରା ଓ ନାଗାବଳୀ (ଆର୍ବିଭିଏନ୍) ଅବବାହିକାର ମୁଖ୍ୟ ଯନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଏବଂ ସମ୍ପୃକ୍ତ ଅଧୀକ୍ଷଣ ଯନ୍ତ୍ରୀମାନେ ଯୋଗ ଦେଇଥିଲେ।
ବୈଠକରେ ସମ୍ଭାବ୍ୟ ବର୍ଷାର ପରିମାଣ, ଜଳଭଣ୍ଡାରଗୁଡ଼ିକର ଜଳସଂରକ୍ଷଣ ସ୍ଥିତି ଏବଂ ନଦୀ ଓ ଜଳଭଣ୍ଡାରରେ ଜଳପ୍ରବାହ ବୃଦ୍ଧି ପାଇଲେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ବାତ୍ୟା 'ଅର୍ଣ୍ଣବ' ପରବର୍ତ୍ତୀ ସ୍ଥିତିକୁ ଦୃଷ୍ଟିରେ ରଖି ବିଶେଷକରି ଗଞ୍ଜାମ ଜିଲ୍ଲାର ୮ଟି ଏବଂ ଗଜପତି ଜିଲ୍ଲାର ୨ଟି ମଧ୍ୟମ ଜଳଭଣ୍ଡାରରେ ବୃଦ୍ଧି ପାଇଥିବା ଜଳସଂରକ୍ଷଣ ପରିମାଣର ସମୀକ୍ଷା କରାଯାଇଥିଲା। ବର୍ତ୍ତମାନର ଜଳସ୍ତର ଓ ପାଣିପାଗ ବିଭାଗର ପରିବର୍ତ୍ତିତ ପୂର୍ବାନୁମାନକୁ ଆଧାର କରି ଆଗାମୀ ପାଣିପାଗଜନିତ ପରିସ୍ଥିତିର ମୁକାବିଲା ପାଇଁ ମାନକ କାର୍ଯ୍ୟପ୍ରଣାଳୀ (ଏସ୍ଓପି) ଚୂଡ଼ାନ୍ତ କରାଯାଇଥିଲା।
ଏଥିସହ ଜଳସ୍ତର ଉପରେ ନିରନ୍ତର ନଜର ରଖିବା, ବିଭିନ୍ନ ଡିଭିଜନ ମଧ୍ୟରେ ସମନ୍ୱୟ ବଜାୟ ରଖିବା ଏବଂ ସମ୍ଭାବ୍ୟ ବନ୍ୟା ବିପଦକୁ ହ୍ରାସ କରିବା ପାଇଁ ଠିକ୍ ସମୟରେ ଆବଶ୍ୟକ ନିଷ୍ପତ୍ତି ନେବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ଜନସାଧାରଣଙ୍କ ସୁରକ୍ଷା ଏବଂ ଆଗୁଆ ବନ୍ୟା ପରିଚାଳନାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଜଳସମ୍ପଦ ବିଭାଗ ନିରନ୍ତର ସତର୍କତା, ଆଗୁଆ ଯୋଜନା ଓ ସମନ୍ୱିତ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇଛି। ଗୁରୁତ୍ୱପୂର୍ଣ୍ଣ ଜଳସମ୍ପଦ ଭିତ୍ତିଭୂମିର ସୁରକ୍ଷା, ନଦୀର ତଳମୁଣ୍ଡରେ ରହୁଥିବା ଜନବସତିଗୁଡ଼ିକର ସୁରକ୍ଷା ଏବଂ ପ୍ରତିକୂଳ ପାଣିପାଗଜନିତ ଆହ୍ୱାନର ଫଳପ୍ରଦ ମୁକାବିଲା ପାଇଁ ରାଜ୍ୟର ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ