
କନ୍ଧମାଳ, ୧୫ ନଭେମ୍ବର (ହି.ସ.) ବିଶିଷ୍ଟ କଥାକାର ଡକ୍ଟର ରଞ୍ଜନ ପ୍ରଧାନଙ୍କୁ ଚଳିତ ବର୍ଷର ମର୍ଯ୍ୟଦାଜନକ ‘ପ୍ରଫେସର ଭୁବନେଶ୍ବର ବେହେରା ସାହିତ୍ୟ ସମ୍ମାନ’ ମିଳିଛି। ୬୨ ବର୍ଷର ପୁରାତନ ଅନୁଷ୍ଠାନ ‘ମହାବୀର ସାଂସ୍କୃତିକ ଅନୁଷ୍ଠାନ’ ପକ୍ଷରୁ ଭବାନୀପାଟଣା ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ସୃଜନ ସନ୍ଧ୍ୟାରେ କଥାକାର ଡ. ପ୍ରଧାନଙ୍କୁ ୭ ହଜାର ଟଙ୍କା ଅର୍ଥରାଶି ସହିତ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଭୁପିନ୍ଦର ସିଂହ, ମୁଖ୍ୟବକ୍ତା ଭାବେ ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟର ପିଜି କାଉନ୍ସିଲ ଅଧ୍ୟକ୍ଷା ପ୍ରଫେସର ଡ. ନିବେଦିତା ନାଥ, ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ପୂର୍ବତନ ସଭାପତି ଜୟନ୍ତ ବେହେରା, ସଭାପତି ଶାନ୍ତନୁ କୁମାର ବେହେରା, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ସିଂହ, ସଂସ୍କୃତି ଗବେଷକ ଡ. ପରମେଶ୍ବର ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଆ ଗଳ୍ପ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ପ୍ରଧାନଙ୍କୁ ଏହି ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଡ. ପ୍ରଧାନଙ୍କର ଏଯାବତ୍ ୯ ଖଣ୍ଡ ଓଡ଼ିଆ କ୍ଷୁଦ୍ର ଗଳ୍ପ, ୧୫ ଖଣ୍ଡ ଗବେଷଣାତ୍ମକ ଏଵଂ ୩ଟି ଉପନ୍ୟାସ ପୁସ୍ତକ ପ୍ରକାଶ ପାଇ ପାଠକୀୟ ମହଲରେ ବେଶ୍ ଆଦୃତିଲାଭ କରିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ