୨୩ରୁ ବିଟିଏମ୍ ଅଞ୍ଚଳରେ ବଡ଼ଧରଣର ଜବରଦଖଲ ଉଚ୍ଛେଦ
Evication will start very soon
୨୩ରୁ ବିଟିଏମ୍ ଅଞ୍ଚଳରେ ବଡ଼ଧରଣର ଜବରଦଖଲ ଉଚ୍ଛେଦ


୪୪ ଜଣଙ୍କୁ ଚୂଡ଼ାନ୍ତ ନୋଟିସ୍, ୨୧ ସୁଦ୍ଧା ଜାଗା ଖାଲି କରିବାକୁ ନିର୍ଦ୍ଦେଶ

ଝାରସୁଗୁଡ଼ା, 15 ନଭେମ୍ବର (ହି.ସ.)ଝାରସୁଗୁଡ଼ା ସହରରେ ଖୁବ୍ଶୀଘ୍ର ଆରମ୍ଭ ହେବ ବଡ଼ଧରଣର ଜବରଦଖଲ ଉଚ୍ଛେଦ ଅଭିଯାନ। ବିଟିଏମ୍ ଛକ ନିକଟସ୍ଥ ବନଖଣ୍ଡ କାର୍ଯ୍ୟାଳୟଠାରୁ ବିଟିଏମ୍ ଛକ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଦୀର୍ଘବର୍ଷ ଧରି ଜବରଦଖଲରେ ଥିବା ସରକାରୀ ଜମିକୁ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ହୋଇଛି। ଏଥିପାଇଁ ୪୪ ଜଣ ଜବରଦଖଲକାରୀଙ୍କୁ ଚୂଡ଼ାନ୍ତ ନୋଟିସ୍ ଜାରି କରାଯାଇଛି। ଆସନ୍ତା ୨୩ ତାରିଖ ପୂର୍ବାହ୍ନ ୧୧ଟାରୁ ଉଚ୍ଛେଦ ଅଭିଯାନ ଆରମ୍ଭ ହେବ।

ଝାରସୁଗୁଡ଼ା ପୌର ପରିଷଦର ନୂତନ କାର୍ଯ୍ୟାଳୟ କୋଠା ନିର୍ମାଣ ପାଇଁ ବିଟିଏମ୍ ଛକ ନିକଟରେ ବନଖଣ୍ଡ କାର୍ଯ୍ୟାଳୟକୁ ଲାଗି ରହିଥିବା ଜମିକୁ ଚିହ୍ନଟ କରାଯାଇଛି। ଗତ ସେପ୍ଟେମ୍ବର ୫ ତାରିଖରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ତେବେ ଉକ୍ତ ଅଞ୍ଚଳରେ ଦୀର୍ଘ ଦଶନ୍ଧି ଧରି ବହୁ ଉଠାଦୋକାନୀ ଓ ବ୍ୟବସାୟୀ ସରକାରୀ ଜମି ଜବରଦଖଲ କରି ଦୋକାନ ଖୋଲିଥିବାରୁ ନିର୍ମାଣ କାର୍ଯ୍ୟ ଆରମ୍ଭରେ ବାଧା ସୃଷ୍ଟି ହୋଇଥିଲା।

ଜବରଦଖଲ ଉଚ୍ଛେଦ ପାଇଁ ପୂର୍ବରୁ ତହସିଲ ପକ୍ଷରୁ ନୋଟିସ୍ ଜାରି ହୋଇଥିଲେ ମଧ୍ୟ ତିନିଜଣ ବ୍ୟକ୍ତି ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ରହିତାଦେଶ ଆଣିଥିଲେ। ଫଳରେ ଦୀର୍ଘଦିନ ଧରି ଉଚ୍ଛେଦ ପ୍ରକ୍ରିୟା ଆଇନଗତ ଜଟିଳତାରେ ଛନ୍ଦି ହୋଇ ରହିଥିଲା। ତେବେ ଏବେ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହୋଇଥିବାରୁ ହାଇକୋର୍ଟଙ୍କ ଆଦେଶ ଅନୁଯାୟୀ ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ନିଆଯାଇଛି। ଗତକାଲି ୪୪ ଜଣଙ୍କୁ ଚୂଡ଼ାନ୍ତ ନୋଟିସ୍ ଜାରି ହୋଇଥିବା ଝାରସୁଗୁଡ଼ା ତହସିଲଦାର ସଦାକର କୁମ୍ଭାର ସୂଚନା ଦେଇଛନ୍ତି।

ନୋଟିସ୍ ଅନୁଯାୟୀ, ସମ୍ପୃକ୍ତ ବ୍ୟକ୍ତିମାନେ ଆସନ୍ତା ୨୧ ତାରିଖ ସୁଦ୍ଧା ନିଜ ନିଜର ଦୋକାନ ଘର, ଷ୍ଟ୍ରକଚର୍ ଓ ସାମଗ୍ରୀ ହଟାଇ ଜମି ଖାଲି କରିବାକୁ ପଡ଼ିବ। ଏକତାଲି ମୌଜାର ୟୁନିଟ୍-୧ ଅନ୍ତର୍ଗତ ଖାତା ନମ୍ବର ୧୦୬୮ରେ ଥିବା ଏହି ଜମିରେ ୪୪ ଜଣ ଜବରଦଖଲକାରୀ ରହିଛନ୍ତି। ଏହାଦ୍ୱାରା ଅଧ ଏକରରୁ ଅଧିକ ସରକାରୀ ଜମି ଜବରଦଖଲମୁକ୍ତ ହେବ। ଓଡ଼ିଶା ସରକାରୀ ଜମି ଜବରଦଖଲ ନିରୋଧୀ ଆଇନ, ୧୯୭୨ ଅନୁଯାୟୀ ଏହି ନୋଟିସ୍ ଜାରି ହୋଇଛି। ଧାର୍ଯ୍ୟ ସମୟ ମଧ୍ୟରେ ଜମି ଖାଲି ନକଲେ ଆଇନର ଧାରା ୭ ଅନୁଯାୟୀ ପ୍ରଶାସନ ବଳପୂର୍ବକ ଉଚ୍ଛେଦ କରିବ।

ଅନ୍ୟପକ୍ଷରେ, ଜବରଦଖଲ ଉଚ୍ଛେଦ ପରେ ନୂତନ ପୌର ପରିଷଦ କାର୍ଯ୍ୟାଳୟ ନିର୍ମାଣ ପଥ ପରିଷ୍କାର ହେବ। ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଅନୁଦାନ ମଞ୍ଜୁର ହେବା ସହ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଚୂଡ଼ାନ୍ତ ହୋଇସାରିଛି। ତେଣୁ ଉଚ୍ଛେଦ ପରେ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ନେଇ ଆଶା ପ୍ରକାଶ ପାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande