ଝାରସୁଗୁଡ଼ାରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲା ବିଏମ୍ଆର୍ସି ହୃଦ୍ରୋଗ ଚିକିତ୍ସାଳୟ
Full flaged BMRC hospital stat
ଝାରସୁଗୁଡ଼ାରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲା ବିଏମ୍ଆର୍ସି ହୃଦ୍ରୋଗ ଚିକିତ୍ସାଳୟ


ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଅଧ୍ୟାୟ, ୨୯ରୁ ୧୦୦ ଶଯ୍ୟାକୁ ସମ୍ପ୍ରସାରଣ ପାଇଁ ଦାବି

ଝାରସୁଗୁଡ଼ା, 15 ନଭେମ୍ବର (ହି.ସ.)ପଶ୍ଚିମ ଓଡ଼ିଶାରେ ଉନ୍ନତ ହୃଦ୍ରୋଗ ଚିକିତ୍ସା ସେବା ଯୋଗାଇବା ଦିଗରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଝାରସୁଗୁଡ଼ାର ବହୁ ପ୍ରତୀକ୍ଷିତ ବିଏମ୍ଆର୍ସି (BMRC) ହୃଦ୍ରୋଗ ଚିକିତ୍ସାଳୟ ରବିବାରଠାରୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏହାଦ୍ୱାରା ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାର ବହୁ ଜିଲ୍ଲାର ରୋଗୀ ଉନ୍ନତମାନର ହୃଦ୍ରୋଗ ଚିକିତ୍ସା ପାଇବାର ସୁଯୋଗ ପାଇବେ।

ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ସିଡିଏମ୍ଓ ଡ. ଶକ୍ତି ପ୍ରସାଦ ପାଢ଼ୀ ଏବଂ ବିଏମ୍ଆର୍ସି ହସ୍ପିଟାଲ୍ କୋଲକାତାର ପରିଚାଳନା ନିର୍ଦ୍ଦେଶିକା ମିତା ଦାସ ଉପସ୍ଥିତ ଥିଲେ।

ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମହାଲିଙ୍ଗ କହିଥିଲେ ଯେ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍), ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ଏବଂ ବିଏମ୍ଆର୍ସି ହସ୍ପିଟାଲ୍ର ମିଳିତ ସହଯୋଗରେ ସ୍ୱତନ୍ତ୍ର ସରକାରୀ-ଘରୋଇ ସହଭାଗିତା (ପିପିପି) ମଡେଲ୍ରେ ଏହି ଚିକିତ୍ସାଳୟ ପ୍ରତିଷ୍ଠା କରାଯାଇଛି। ଉନ୍ନତ ହୃଦ୍ରୋଗ ଓ ଜଟିଳ ଚିକିତ୍ସା ସେବା ଯୋଗାଇବା ପାଇଁ ଏହା ରାଜ୍ୟର ପ୍ରଥମ ଏଭଳି ପିପିପି ପଦକ୍ଷେପ। ଏହି ମଡେଲ୍ ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ଏକ ସଫଳ ଉଦାହରଣ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଏହାସହ ବରଗଡ଼ ସାଂସଦ ଓ ଝାରସୁଗୁଡ଼ା ବିଧାୟକଙ୍କ ପକ୍ଷରୁ ହସ୍ପିଟାଲ୍ରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସୁବିଧା ଉପଲବ୍ଧ କରାଇବା ସହ ଶଯ୍ୟା ସଂଖ୍ୟା ୨୯ରୁ ୧୦୦କୁ ବୃଦ୍ଧି କରିବା ପାଇଁ ଅନୁରୋଧ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ। ଝାରସୁଗୁଡ଼ାକୁ 'ମିନି ଇଣ୍ଡିଆ' ଭାବେ ବର୍ଣ୍ଣନା କରି ସେ ଏହି ଚିକିତ୍ସାଳୟ ସମଗ୍ର ଅଞ୍ଚଳର ରୋଗୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ ବୋଲି କହିଥିଲେ।

ବିଏମ୍ଆର୍ସିର ପରିଚାଳନା ନିର୍ଦ୍ଦେଶିକା ମିତା ଦାସ କହିଥିଲେ ଯେ ୨୦୨୪ ମସିହାରୁ ଏଠାରେ ବହିର୍ବିଭାଗ (ଓପିଡି) ସେବା ଆରମ୍ଭ ହୋଇଥିଲା। ସଫଳତାର ସହ ପରୀକ୍ଷାମୂଳକ ପରିଚାଳନା ଶେଷ ହେବା ପରେ ବର୍ତ୍ତମାନ ହସ୍ପିଟାଲ୍ଟି ସମସ୍ତ ଆଧୁନିକ ସୁବିଧା ସହ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏଠାରେ ସିଟି ସ୍କାନ୍, କାର୍ଡିଆକ୍ ଏମ୍ଆର୍ଆଇ ଏବଂ ଏଆଇ ସମର୍ଥିତ ଅତ୍ୟାଧୁନିକ କାର୍ଡିଆକ୍ କ୍ୟାଥେଟରାଇଜେସନ୍ ଲାବୋରେଟୋରି ଭଳି ଉନ୍ନତ ଚିକିତ୍ସା ଉପକରଣ ରହିଛି। ଆଖପାଖ ଅଞ୍ଚଳରେ ଏଭଳି ସୁବିଧା ସହଜରେ ଉପଲବ୍ଧ ନଥିବା ସେ କହିଥିଲେ। ହୃଦ୍ରୋଗ ସହ ଫୁସ୍ଫୁସ୍, ବୃକକ୍ ଓ ପାକସ୍ଥଳୀ ସମ୍ବନ୍ଧୀୟ ଜଟିଳ ରୋଗର ଚିକିତ୍ସା ସହ ଏଠାରେ ସ୍ୱତନ୍ତ୍ର ପୋଡ଼ାଜଳା ଚିକିତ୍ସା ୟୁନିଟ୍ ମଧ୍ୟ ରହିଛି।

ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ ଯେ ଏହି ଚିକିତ୍ସାଳୟ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ଦ୍ୱାରା ଅଞ୍ଚଳବାସୀଙ୍କ ଦୀର୍ଘଦିନର ଏକ ପ୍ରମୁଖ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ ହୋଇଛି। ଅଧିକ ସଂଖ୍ୟକ ରୋଗୀଙ୍କୁ ସେବା ଯୋଗାଇବା ପାଇଁ ହସ୍ପିଟାଲ୍ର ଶଯ୍ୟା ସଂଖ୍ୟା ୧୦୦କୁ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏହା ଝାରସୁଗୁଡ଼ାର ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ଏକ ମାଇଲ୍ଖୁଣ୍ଟ ବୋଲି ସେ ମତବ୍ୟକ୍ତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande