
ବଲାଙ୍ଗିର, 15 ନଭେମ୍ବର (ହି.ସ.) ଆବହମାନ କାଳରୁ ଗଣ୍ଡାବଜା ଆମର ସାମାଜିକ, ସଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କରେ ଏକ ଅଂଗ ହୋଇ ରହିଛି । ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକେ ଗଣ୍ଡାବଜା ଖୋଜିଥାନ୍ତି । ଏହା କେବଳ ଏକ ବାଦ୍ୟ ନୁହେଁ ଏହି ବାଦ୍ୟ ଦ୍ୱାରା ଆମର ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଏହାର ପରିବେଶ କୁ ପବିତ୍ର କରା ଯାଇଥାଏ । ଏହି ବାଦ୍ୟ ଆମ ଭିତରେ ଥିବା ଅସ୍ପୃଶ୍ୟତା, ଜାତିଭେଦ, କୁସଂସ୍କାର କୁ ଭୁଲିଯିବାକୁ ବାଧ୍ୟ କରିଥାଏ । ତେଣୁ ଗଣ୍ଡାବଜା ହେଉଛି ଆମ ପ୍ରଥା, ପରଂପରା ଓ ସଂସ୍କୃତିର ଏକ ଅଭିଛେଦ୍ୟ ଅଙ୍ଗ ବୋଲି ଗଣ୍ଡାବଜା ମହୋତ୍ସବ କମିଟି ଦ୍ୱାରା ଆୟୋଜିତ ଗଣ୍ଡାବଜା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଗଣ୍ଡାବଜା ମହୋତ୍ସବ କମିଟିର ଆବାହକ ଡ. ଅର୍ଜୁନ ମୁଗ୍ରୀ ଏବଂ ସଂସ୍କୃତି ଗବେଷଣ ତରଣିସେନ ଦୀପ ଙ୍କ ସଭାପତିତ୍ୱରେ କଳାମଣ୍ଡଳ ପଡିଆ ରେ ଅନୁଷ୍ଠିତ ‘ଗଣ୍ଡାବଜା ମହୋତ୍ସବ ୨୦୨୬’ ଅବସରରେ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଅସ୍ପୃଶ୍ୟତା ହେଉଛି ସମାଜରେ ଏକ କଳଙ୍କ । ନିଜ ଜିବନରେ ସେ କେବେ ବି ଅସ୍ପୃଶ୍ୟତା, ଜାତିପ୍ରଥା ଦ୍ୱାରା ପ୍ରଭାବିତ ହୋଇନଥିବା ଶ୍ରୀ ମିଶ୍ର କହିଥିଲେ । ଛୁଆଁ ଅଛୁଆ ଭେଦଭାବ ସମାଜର ବିକାଶ ପଥରେ ବାଧା ସୃଷ୍ଟି କରିଥାଏ । ତେଣୁ ଗଣ୍ଡାବଜାକୁ ଆଦରି ନେଇଥିବା ସମାଜ କେବେବି ନିଜକୁ ଅନ୍ୟ ଜାତି ସମ୍ମୁଖରେ ଗୌଣ ଭାବନ୍ତୁ ନାହିଁ । ଏହା ହେଲେ ହିଁ ଗଣ୍ଡାବଜାକୁ ଆଦରି ଥିବା ସମାଜ ଓ ଗଣ୍ଡାବଜାର ଆହୁରି ଆଦୃତ ଓ ବିକାଶ କରିବ । କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଂଜନ ମିଶ୍ର ଯୋଗ ଦେଇଥିଲେ । ପୂର୍ବାହ୍ନରେ ସାମାଜିକ ନେତା ସତ୍ୟାନନ୍ଦ ସୁନା, ଓମ୍ ପ୍ରକାଶ କୁମ୍ଭାର, ପୁଇଁନ୍ତଲା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ପୂର୍ବତନ ବିଧାୟକ ଅଚ୍ୟୁତାନନ୍ଦ ବିଶ୍ୱାଲ ଓ କଣ୍ଠଶିଳ୍ପୀ ନବୀନ କୁଅଁର ଙ୍କ ଦ୍ୱାରା ମଂଚ ଉଦ୍ଘାଟନ ହୋଇଥିଲା ଓ ପରେ ପରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ୩୦ ଗୋଟି ଗଣ୍ଡାବଜା ଦଳ ସହର ପରିକ୍ରମା ସହ କବି ସୁରେଶ ବାରିକ ଙ୍କ ପରିଚାଳନାରେ କବିତା ପାଠୋତ୍ସବ ଏବଂ ବନବିହାରି ମୁନା ଓ ସୁଶୃତା ଗଉଡଙ୍କ ସଂଯୋଜନାରେ ସାଂସ୍କୃତିକ ଦଳମାନେ ଗଣ୍ଡାବଜା ପରିବେଷଣ କରିଥିଲେ । ସାନ୍ଧ୍ୟ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ନବୀନ କୁଅଁର, ବିଶି, ଟିକୁ, ଜନ୍ମ, ରୋହନ ଙ୍କ ସହ ଦଣ୍ଡ ଜଗତର ଗୁରୁ ବିପିନ ଜାଲ ଏବଂ ଦଣ୍ଡ କଳାକାର ଯଶୋବନ୍ତ କୁମ୍ଭାର ଲୋକଗୀତ ପରିବେଷଣ କରିଥିଲେ । କୁନା ବାଗ ଙ୍କ ସଂଯୋଜନାରେ ହୋଇଥିବା “ଗଣ୍ଡାବଜାର ଅତିତ ବର୍ତ୍ତମାନ ଓ ଭବିଷ୍ୟତ” ଶିର୍ଷକ ରେ ସଂସ୍କୃତି ଗବେଷକ କିର୍ତ୍ତନ ଦିପ, ଡ. ନିଳାଂଚଳ ନନ୍ଦ ଓ ବିପିନ ବିହାରି ବାରିକ ଆଲୋଚକ ଭାବେ ନିଜ ମତବ୍ୟକ୍ତ କରିଥିଲେ । ଉପସଭାପତି ସୀତାରାମ କୁମ୍ଭାର ଏବଂ ଜନ୍ମ ବାରିକ ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଶମ୍ଭୁ ନାଗ, ଜ୍ୟୋତିଷ ମୁଗ୍ରୀ, ବାସୁଦେବ ମୁଗ୍ରୀ, ଅଚ୍ୟୁତାନନ୍ଦ ବିଶ୍ୱାଲ ପ୍ରମୁଖ ଗଣ୍ଡାବଜାର ସଂସ୍କୃତି ଓ ସୁରକ୍ଷା ଉପରେ ନିଜ ମତ ଦେଇଥିଲେ । ଏ ଅବସରରେ ଘୁଙ୍ଗୁରୁ କଳା ପରିଷଦ, ବଜାଶାଲ ସମେତ ବିଭିନ୍ନ ଲୋକନୃତ୍ୟ ଦଳ ନୃତ୍ୟ ପରିବେଷଣ କରିଥିଲେ । ଉତ୍ସବରେ ନେପାଲ ବାଗ, ଭୁବନ ନାଗ, ପବିତ୍ର ନାଗ, କିଶୋର କୁମ୍ଭାର, ସିମାଇ ଦିପ, ରାମଚନ୍ଦ୍ର ଦିପ, ବାଳିଚରଣ ବାରିକ, ପିତାମ୍ବର ବାରିକ, ଶଙ୍କର ନନ୍ଦ, ଲୋକନାଥ ସୁନା, ଏନ୍ଏସ୍ଡିଏନ୍ ରାମ ଚନ୍ଦ୍ର ସାହୁ, ଅଭିନେତା ହିମାଂଶୁ ଖମାରୀ, ନାଟ୍ୟକାର ପ୍ରକାଶ ଥନାପତି, ଚୈତନ୍ୟ ପାଇକ, ଲମ୍ବୋଦର ଟାକ୍ରି, ବିଜୟ ବାରିକ, କାନ୍ତିଲାଲ ମୁଗ୍ରୀ, ନଟରାଜ ନାଗ, ବାସନ୍ତି ନନ୍ଦ, ଜ୍ୟୋସ୍ନା ଗରୁଡ, ଲିଙ୍ଗରାଜ ବରିହା, ଅଶୋକ ହରିପାଲ, ପଂଚାନନ ସେଠ, ଜପ ମୁଗ୍ରୀ ପ୍ରମୁଖ ସହଯୋଗିତା କରିଥିବା ବେଳେ ସଂପାଦକ ଅଶୋକ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ