
ଭୁବନେଶ୍ୱର, ୧୫
ନଭେମ୍ବର (ହି.ସ.)- ଆଜି ମହାନ ଜନନାୟକ ଭଗବାନ
ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ତଥା ‘ଜନଜାତି ଗୌରବ ଦିବସ’ ଅବସରରେ ଝାରସୁଗୁଡ଼ା ଜିଲ୍ଲାର
କିର୍ମିରାଠାରେ ରାଜ୍ଯର ପ୍ରଥମ 'ଆଦିବାସୀ ସଂସ୍କୃତି ଭବନ'ର ଶୁଭାରମ୍ଭ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । କେନ୍ଦ୍ର ସରକାରଙ୍କ ଯୋଜନା ଅଧିନରେ ଦେଶର ପ୍ରତ୍ଯେକଟି
ଜନଜାତି ବ୍ଲକରେ ଗୋଟିଏ ଆଦିବାସୀ ସଂସ୍କୃତି ଭବନ ନିର୍ମାଣ କରାଯିବ। ଏହି ଭବନ ଜନଜାତି ସମାଜର
ସମୃଦ୍ଧ ପରମ୍ପରା, କଳା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ସହ ଆଗାମୀ ପିଢ଼ିକୁ ନିଜ ମୂଳ ପରିଚୟ
ସହ ଯୋଡ଼ି ରଖିବାରେ ଏକ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ ହେବ ବୋଲି ସେ କହିଛନ୍ତି ।
ଜନଜାତି ସମାଜର କଲ୍ୟାଣ, ସମ୍ମାନ
ଓ ସାମଗ୍ରିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମାର୍ଗଦର୍ଶନ ଏବଂ
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଅନେକ ଜନକଲ୍ୟାଣକାରୀ ପଦକ୍ଷେପ
ନିଆଯାଉଛି। ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରି ଜନଜାତି ସମାଜର
ସଶକ୍ତିକରଣ ଓ ସର୍ବାଙ୍ଗୀଣ ବିକାଶକୁ ପ୍ରାଥମିକତା ଦିଆଯାଉଛି।
ଏହି ଅବସରରେ ବରଗଡ଼ର ସାଂସଦ
ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ,ଝାରସୁଗୁଡ଼ାର ବିଧାୟକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ , ସ୍ୱତନ୍ତ୍ର ଉନ୍ନୟନ ପରିଷଦର
ଅଧ୍ୟକ୍ଷ ସାମଲ ନାଏକ, ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ
ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା