
ମାଲକାନଗିରି , ୧୫ ନଭେମ୍ବର (ହି.ସ.) ଆଜି ମାଲକାନଗିରି ୟୁନିୟନ ଅଫ୍ ଜର୍ଣଲିଷ୍ଟସ ତରଫରୁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବି ସହିତ, ମାଲକାନଗିରି ଜିଲ୍ଲାର ମୁଖ୍ୟ ପାଞ୍ଚ ଗୋଟି ସମସ୍ୟା ନେଇ ମାଲକାନଗିରି ୟୁନିୟନ ଅଫ୍ ଜର୍ଣଲିଷ୍ଟସର ଗୋଟିଏ ପ୍ରତିନିଧି ଦଳ ଏମ ୟୁ ଜେ ର ସଭାପତି ଦେବ ପ୍ରସାଦ ଦାଶ ଙ୍କ ନେତୃତ୍ୱରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଗୋଟିଏ ଦାବିପତ୍ର ପ୍ରଦାନ କରିଥିଲେ। ଦାବି ଗୁଡ଼ିକ ହେଲା ଓଡ଼ିଶାର ସବୁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ବହୁ ପ୍ରତିକ୍ଷିତ ଦାବି ଯଥା ପେନସନ ପ୍ରଦାନ, ଅନ୍ୟାନ୍ୟ ସରକାରୀ ସହାୟତା ସହିତ ଆକ୍ରିଡେସନକୁ ଅତି ଶୀଘ୍ର କାର୍ଯ୍ୟକାରୀ କରିବା।
ଅତିଶୀଘ୍ର ମାଲକାନଗିରି ବିମାନ ବନ୍ଦରକୁ କାର୍ଯ୍ୟକ୍ଷମ କରି, କେନ୍ଦ୍ର ସରକାରଙ୍କ ବିମାନ ଉଡ୍ଡୟନ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ବିଭାଗ ସହିତ କଥାବାର୍ତ୍ତା କରି,ମାଲକାନଗିରି ରୁ ଭୁବନେଶ୍ବର ଓ ବିଶାଖାପଟ୍ଟମ ପର୍ଯ୍ୟନ୍ତ ନିୟମିତ ଉଡ୍ଡୟନ ଆରମ୍ଭ କରିବା।
ସ୍ବାଭିମାନ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ଓ ପ୍ରୋତ୍ସାହନ ପାଇଁ ସ୍ଥାନୀୟ ଲୋକମାନଙ୍କ ସହିତ ପରାମର୍ଶ କରି, ବିଭିନ୍ନ ସ୍ଥାନରେ ଇକୋ- ଟ୍ଯୁରିଜମ ପାର୍କ ଏବଂ ପର୍ଯ୍ୟଟକ ମାନଙ୍କ ରହିବା ପାଇଁ କଟେଜ, ହୋଟେଲ ଇତ୍ୟାଦି ନିର୍ମାଣ କରି ସେଠାକାର ଲୋକଙ୍କ ମାନଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବା। ମାଲକାନଗିରି ଜିଲ୍ଲାର ଜୀବନରେଖା କୁହାଯାଉଥିବା
ପୋଟେରୁ ଜଳସେଚନ ପ୍ରକଳ୍ପ ଅଧିନରେ ଥିବା ଗମ୍ଫାକୋଣ୍ଡା ମୁଖ୍ୟ କେନାଲ ଏବଂ ତମସା ମୁଖ୍ୟ କେନାଲର ସମସ୍ତ ଅସମ୍ପୂର୍ଣ୍ଣ ଲାଇନିଂ କାମ ସମାପ୍ତ କରିବା ପାଇଁ ଅଧିକ ଅର୍ଥ ମଞ୍ଜୁର କରିବା । ଏହି ଅର୍ଥ ମଞ୍ଜୁର ହେଲେ କେନାଲ ଗୁଡିକୁ କାର୍ଯ୍ୟକ୍ଷମ କରି ମାଲକାନଗିରିର ଚାଷୀମାନଙ୍କୁ ଜଳସେଚନର ସୁବିଧା ଯୋଗାଇ ଦେଲେ, ସେମାନେ ବର୍ଷ ସାରା ଧାନ ସହିତ,ଚିନାବାଦାମ, ପନିପରିବା ଇତ୍ୟାଦି ଚାଷ କରି ପାରିବେ। ମାଲକାନଗିରି ସହରର ମୁଖ୍ୟ ରାସ୍ତାରେ ଟ୍ରାଫିକ ସମସ୍ୟା ଯୋଗୁଁ ଅତିଶୀଘ୍ର ଗୋଟିଏ ବାଇପାସ୍ ରାସ୍ତା ନିର୍ମାଣ କରିବା ଏବଂ ମାଲକାନଗିରି ଜିଲ୍ଲାର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ରାସ୍ତା ଗୁଡିକର ନିର୍ମାଣ ସମ୍ପୁର୍ଣ୍ଣ କରିବା ପାଇଁ ଥିବା ସମସ୍ତ ପ୍ରତିବନ୍ଧକ ଗୁଡ଼ିକୁ ଅତି ଶୀଘ୍ର ଦୂର କରାଯାଇ, ବିଭିନ୍ନ ଅଞ୍ଚଳରେ ଅଟକି ଥିବା ସବୁ ରାସ୍ତା ନିର୍ମାଣ କାମ ଯଥାଶୀଘ୍ର ସମ୍ପୁର୍ଣ୍ଣ କରାଯାଉ। ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ସହିତ ସଦର ବ୍ଲକ ସଭାପତି ଶିବ ପ୍ରସାଦ କୀର୍ତ୍ତନିୟା, ସଦସ୍ୟ ମହେନ୍ଦ୍ର ପାଣିଗ୍ରାହୀ, ଲକ୍ଷ୍ମୀ କାନ୍ତ ତ୍ରିପାଠୀଙ୍କ ସହିତ ଅନ୍ୟାନ୍ଯ ସଦସ୍ୟ ମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ