
ଝାରସୁଗୁଡ଼ା, ୧୫ ନଭେମ୍ବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲାର ବୃହତ୍ ଶିଳ୍ପ ସଂସ୍ଥାଗୁଡ଼ିକ ସହ ସ୍ଥାନୀୟ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ହସ୍ତଶିଳ୍ପ କାରିଗରମାନଙ୍କୁ ଯୋଡ଼ିବା ତଥା ସେମାନଙ୍କ ପାଇଁ ଏକ ସୁଦୃଢ଼ ବଜାର ସଂଯୋଗ ବ୍ୟବସ୍ଥା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଳ୍ପ କେନ୍ଦ୍ର, ଝାରସୁଗୁଡ଼ା ପକ୍ଷରୁ ବିକଶିତ ଅଭିନବ ଡିଜିଟାଲ୍ ପ୍ଲାଟଫର୍ମ ‘ଜେଏସଜି ସ୍ମାଇଲ’’ (ଝାରସୁଗୁଡ଼ା ସିନର୍ଜି ଫର ଏମଏସଏମଇ ଇଣ୍ଡଷ୍ଟ୍ରି ଲିଙ୍କେଜ ଇକୋ ସିଷ୍ଟମ) ପୋର୍ଟାଲର ଶୁଭାରମ୍ଭ ଆଜି ବେହେରାମାଲ ସ୍ଥିତ ଏମ୍ସିଏଲ୍ ଅଡିଟୋରିୟମ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଥିମାଟିକ୍ କର୍ମଶାଳା ଓ ପୋର୍ଟାଲ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବରଗଡ଼ର ସାଂସଦ ପ୍ରଦୀପ ପୁରୋହିତ, ଝାରସୁଗୁଡ଼ାର ମାନ୍ୟବର ବିଧାୟକ ଟଙ୍କଧର ତ୍ରିପାଠୀ ଏବଂ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ମୁଖ୍ୟ ଅତିଥି ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ଅଭିନବ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରି କହିଛନ୍ତି ଯେ, ଝାରସୁଗୁଡ଼ାର ବୃହତ୍ ଶିଳ୍ପ ସଂସ୍ଥା, ସ୍ଥାନୀୟ ଏମଏସଏମଇ, ଏସଏଚଜି ଏବଂ ହସ୍ତଶିଳ୍ପ କାରିଗରଙ୍କ ସହ ଯୋଡ଼ିବା ପାଇଁ ଏହା ଏକ ଅତ୍ୟନ୍ତ ଅଭିନବ ଓ ଦୂରଦର୍ଶୀ ପ୍ରୟାସ। ଏହାଦ୍ୱାରା ସ୍ଥାନୀୟ ଉଦ୍ୟୋଗୀ, ମହିଳା ଏସଏଚଜି ଓ ହସ୍ତଶିଳ୍ପ କାରିଗରମାନେ ବୃହତ୍ ଶିଳ୍ପ ସଂସ୍ଥାଗୁଡ଼ିକର ଆବଶ୍ୟକତା ଅନୁଯାୟୀ ନୂତନ ବଜାର ଓ ବ୍ୟବସାୟିକ ସୁଯୋଗ ପାଇପାରିବେ। ଝାରସୁଗୁଡ଼ା ପ୍ରଶାସନର ଏହା ଏକ ସଫଳ ମଡେଲ୍ ଭାବେ ଓଡ଼ିଶାର ପରିଗଣିତ ହେବ ବୋଲି ମୋର ବିଶ୍ୱାସ।' ମାନ୍ୟବର ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ନିଜ ଅଭିଭାଷଣରେ କହିଛନ୍ତି ଯେ, ଏହି ଅନନ୍ୟ ପଦକ୍ଷେପ ପାଇଁ ମୁଁ ଜିଲ୍ଲା ପ୍ରଶାସନକୁ ଅଭିନନ୍ଦନ ଜଣାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ 'ଭୋକାଲ୍ ଫର୍ ଲୋକାଲ୍ ଏବଂ ଆତ୍ମନିର୍ଭରଶୀଳତା ଲକ୍ଷ୍ୟକୁ ସାକାର କରିବାରେ 'ଔଝଏ ଝଗଓଖଋ ଏକ ବଡ଼ ମାଧ୍ୟମ ସାଜିବ। ସ୍ଥାନୀୟ ଉଦ୍ୟୋଗୀ, ମହିଳା ଗୋଷ୍ଠୀ ଓ କାରିଗରମାନେ ଏହି ଡିଜିଟାଲ୍ ସୁଯୋଗର ସଦୁପଯୋଗ କରି ନିଜର ବ୍ୟବସାୟକୁ ଆଗକୁ ନେବା ସହ ଜିଲ୍ଲାର ଆôର୍ଥକ ବିକାଶରେ ପ୍ରମୁଖ ଯୋଗଦାନ ଦିଅନ୍ତୁ।' ମାନ୍ୟବର ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ଏହି ପଦକ୍ଷେପ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ଏବଂ ବୃହତ୍ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ, ସହଭାଗିତା ଓ ଶିଳ୍ପଗତ ସଂଯୋଗକୁ ଅଧିକ ସୁଦୃଢ଼ କରିବା ସହ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ପାଇଁ ନୂତନ ସମ୍ଭାବନା ଓ ସୁଯୋଗର ଦ୍ୱାର ଉନ୍ମୁକ୍ତ କରିବ। ଅଧିକରୁ ଅଧିକ ସ୍ଥାନୀୟ ଏମଏସଏମଇ, ଏସଏଚଜି ଓ ହସ୍ତଶିଳ୍ପ କାରିଗରଙ୍କୁ ଏହି ପୋର୍ଟାଲରେ ପଞ୍ଜୀକୃତ କରାଗଲେ ଜିଲ୍ଲାରେ ନିଯୁକ୍ତି ଓ ଆତ୍ମନିଯୁକ୍ତିର ନୂତନ ଦିଗ ଉନ୍ମୋଚିତ ହେବ। ଝାରସୁଗୁଡ଼ା ଜିଲ୍ଲାର ଶିଳ୍ପ ବିକାଶ, ଉଦ୍ୟୋଗୀକରଣ ଓ ଆôର୍ଥକ ପ୍ରଗତିକୁ ନୂତନ ଗତି ପ୍ରଦାନ କରିବା ଦିଗରେ ଏହି ଅଭିନବ ପ୍ରୟାସ ଏକ ନୂତନ ଦିଗଦର୍ଶନ ପ୍ରଦାନ କରିବ ବୋଲି ମୋର ଦୃଢ଼ ବିଶ୍ୱାସ।' ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ପୋର୍ଟାଲର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଜିଲ୍ଲାର ବୃହତ୍ ଶିଳ୍ପ ସଂସ୍ଥା ଓ ସ୍ଥାନୀୟ କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ମଧ୍ୟରେ ରହିଥିବା ବ୍ୟବଧାନକୁ ଦୂର କରିବା ଏବଂ ସେମାନଙ୍କ ପାଇଁ ଏକ ସ୍ୱଚ୍ଛ ଓ ସୁଦୃଢ଼ ଡିଜିଟାଲ୍ ବଜାର ସୃଷ୍ଟି କରିବା ହେଉଛି 'ଜେଏସଜି ସ୍ମାଇଲ ପୋର୍ଟାଲର ମୁଖ୍ୟ ଉଦ୍ଦେଶ୍ୟ। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ନିରନ୍ତର ପ୍ରୟାସରେ ବିକଶିତ ଏହି ପୋର୍ଟାଲରେ ଝାରସୁଗୁଡ଼ା ଜିଲ୍ଲାର ୧୪ଟି ବୃହତ୍ ଶିଳ୍ପ ସଂସ୍ଥା ଏବଂ ୧୦୦ରୁ ଅଧିକ ଏମଏସଜି ଓ ସ୍ମାଇଲ ଏପର୍ଯ୍ୟନ୍ତ ପଞ୍ଜୀକୃତ ହୋଇସାରିଛନ୍ତି। ଆଗାମୀ ଦିନରେ ଆହୁରି ଅଧିକ ସଂଖ୍ୟକ ଉଦ୍ୟୋଗୀ ଓ କାରିଗରଙ୍କୁ ଏଥିରେ ସାମିଲ କରାଯାଇ ସେମାନଙ୍କୁ ବୃହତ୍ ଶିଳ୍ପ ସଂସ୍ଥାଗୁଡ଼ିକର କ୍ରୟ ଓ ଯୋଗାଣ ଶୃଙ୍ଖଳା ସହ ସିଧାସଳଖ ଯୋଡ଼ାଯିବ।' ଏହି ଅବସରରେ ଜିଲ୍ଲାପାଳ ପୋର୍ଟାଲର ପ୍ରଯୁକ୍ତିଗତ ବିକାଶ ପାଇଁ ପୋଗାର୍ଜ ଟେକନୋଲୋଜିଜ' ଟିମ୍କୁ ଏବଂ ପ୍ରକଳ୍ପକୁ ପ୍ରାୟୋଜନ ଓ ସମର୍ଥନ ଯୋଗାଇଥିବା ବନ୍ଧନ ବ୍ୟାଙ୍କ' କୁ ବିଶେଷ ଧନ୍ୟବାଦ ଜଣାଇଥିଲେ।
କାର୍ଯ୍ୟକ୍ରମର ଏକ ଐତିହାସିକ ମୁହୂର୍ତ ଭାବେ ପୋର୍ଟାଲ ମାଧ୍ୟମରେ ପ୍ରଥମ ଅନଲାଇନ୍ କ୍ରୟ ଆଦେଶ ପ୍ରଦାନ କରାଯାଇଥିଲା। ଏଥିରେ ଝାରସୁଗୁଡ଼ାର ବୃହତ୍ ଶିଳ୍ପ ସଂସ୍ଥା ‘ଟିଆରଏଲ କ୍ରସାକି ରିଫ୍ରାକ୍ଟରିଜ ଲିମିଟେଡ଼.’ ପକ୍ଷରୁ ରିଫ୍ରାକ୍ଟୋରୀ ବ୍ରିକ୍ସ ଉତ୍ପାଦନ କରୁଥିବା ସ୍ଥାନୀୟ ଏମଏସଏମଇ ‘କୋସାଲ ସେରାମିକ୍ ପ୍ରା.ଲିମିଟେଡ଼.’ କୁ ପୋର୍ଟାଲ ମାଧ୍ୟମରେ ପ୍ରଥମ ଅର୍ଡର ପ୍ରଦାନ କରାଯାଇଥିଲା। ଏହା ବୃହତ୍ ଶିଳ୍ପ ଓ ସ୍ଥାନୀୟ ଏମଏସଏମଇ ମଧ୍ୟରେ ପ୍ରତ୍ୟକ୍ଷ ବ୍ୟବସାୟିକ ସମ୍ପର୍କ ସ୍ଥାପନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି।ଶେଷରେ ଜିଲ୍ଲା ଶିଳ୍ପ କେନ୍ଦ୍ର, ଝାରସୁଗୁଡ଼ାର ମହାପ୍ରବନ୍ଧକ ଅରିନ୍ଦମ ପ୍ରଧାନ ମଂଚ ପରିଚାଳନା ସହ ଉପସ୍ଥିତ ସମସ୍ତ ମାନ୍ୟବର ଅତିଥି, ଶିଳ୍ପ ପ୍ରତିନିଧି, ଉଦ୍ୟୋଗୀ, ଏସଏଚଜି ସଦସ୍ୟ, କାରିଗର, ପୋର୍ଟାଲ ବିକାଶକାରୀ ଟିମ୍ ଏବଂ ପ୍ରାୟୋଜକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପଦକ୍ଷେପ ଆତ୍ମନିର୍ଭର ଝାରସୁଗୁଡ଼ା ଗଠନରେ ଏକ ମାଇଲଖୁଂଟ ସାବ୍ୟସ୍ତ ହେବ ବୋଲି ଆଶା ପ୍ରକାଶ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବୃହତ୍ ଶିଳ୍ପ ସଂସ୍ଥାର ପ୍ରତିନିଧି, ଏମଏସଏମଇ ଉଦ୍ୟୋଗୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ହସ୍ତଶିଳ୍ପ କାରିଗରମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ