
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)ମହାନ ଜନଜାତୀୟ ଜନନାୟକ ତଥା ବୀର ସ୍ୱାଧୀନତା ସଂଗ୍ରାମୀ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଶନିବାର ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ମନ୍ତ୍ରୀ ଶ୍ରୀ ଗଣ୍ଡ ବିର୍ସା ମୁଣ୍ଡାଙ୍କୁ ଅଦମ୍ୟ ସାହସ, ସଂଘର୍ଷ ଓ ଦୃଢ଼ ସଂକଳ୍ପର ପ୍ରତୀକ ଭାବେ ଅଭିହିତ କରିଛନ୍ତି। ଇଂରେଜ ଶାସନ, କୁସଂସ୍କାର, ଅନ୍ଧବିଶ୍ୱାସ ଓ କ୍ରୀତଦାସ ପ୍ରଥା ବିରୋଧରେ ତାଙ୍କର ସଂଗ୍ରାମ ଚିରସ୍ମରଣୀୟ ବୋଲି ସେ ଉଲ୍ଲେଖ କରିଛନ୍ତି।
୧୮୭୫ ନଭେମ୍ବର ୧୫ ତାରିଖରେ ବର୍ତ୍ତମାନର ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚି ଜିଲ୍ଲା ଅନ୍ତର୍ଗତ ଉଲିହାଟୁ ଗ୍ରାମରେ ମୁଣ୍ଡା ଜନଜାତିରେ ବିର୍ସା ମୁଣ୍ଡାଙ୍କ ଜନ୍ମ ହୋଇଥିଲା। ଊନବିଂଶ ଶତାବ୍ଦୀରେ ବ୍ରିଟିଶ ଶାସନ ବିରୋଧରେ ଆଦିବାସୀ ସମାଜକୁ ସଂଗଠିତ କରି ସେ ଏକ ବ୍ୟାପକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।
୧୮୯୪ ମସିହାରେ ଦୁର୍ଭିକ୍ଷ ଓ ମହାମାରୀ ପରେ ଜନସାଧାରଣଙ୍କୁ ରାଜସ୍ୱ ଓ କର ଛାଡ଼ କରିବା ଦାବିରେ ସେ ବ୍ରିଟିଶ ସରକାର ବିରୋଧରେ ଆନ୍ଦୋଳନ କରିଥିଲେ। ୧୮୯୭ରୁ ୧୯୦୦ ମସିହା ମଧ୍ୟରେ ସେ ବ୍ରିଟିଶ ସେନା ବିରୋଧରେ ସଂଘର୍ଷ ଜାରି ରଖିଥିଲେ। ୧୮୯୭ ଅଗଷ୍ଟରେ ଖୁଣ୍ଟି ଥାନା ଉପରେ ଆକ୍ରମଣ ଏବଂ ୧୮୯୮ରେ ଟାଙ୍ଗୀ ନଦୀ ନିକଟରେ ବ୍ରିଟିଶ ସୈନ୍ୟଙ୍କ ସହ ମୁହାଁମୁହିଁ ହେବା ତାଙ୍କ ସଂଗ୍ରାମର ଉଲ୍ଲେଖନୀୟ ଘଟଣା ଥିଲା।
୧୯୦୦ ଜାନୁଆରୀରେ ଡୋମ୍ବାରୀ ପାହାଡ଼ରେ ବ୍ରିଟିଶ ସୈନ୍ୟଙ୍କ ସହ ସଂଘର୍ଷ ପରେ ତାଙ୍କୁ ଗିରଫ କରାଯାଇ ରାଞ୍ଚି ଜେଲ୍ରେ ରଖାଯାଇଥିଲା। ସେହିବର୍ଷ ଜୁନ୍ ୯ ତାରିଖରେ ମାତ୍ର ୨୫ ବର୍ଷ ବୟସରେ ଜେଲ୍ରେ ତାଙ୍କର ମୃତ୍ୟୁ ହୋଇଥିଲା।
ଭାରତର ସ୍ୱାଧୀନତା ସଂଗ୍ରାମ ତଥା ଆଦିବାସୀ ସମାଜର ଅଧିକାର ଓ ସ୍ୱାଭିମାନ ରକ୍ଷା ପାଇଁ ବିର୍ସା ମୁଣ୍ଡାଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ