ତବଲାକଟା ଟୋଲ୍ ଗେଟକୁ ନେଇ ବଢିଲା ଜନ ଅସନ୍ତୋଷ : ଦେୟମୁକ୍ତ ଦାବିରେ ଆନ୍ଦୋଳନ ଚେତାବନୀ
ତବଲାକଟା ଟୋଲ୍ ଗେଟ୍କୁ ନେଇ ବଢିଲା ଜନ ଅସନ୍ତୋଷ : ଦେୟମୁକ୍ତ ଦାବିରେ ଆନ୍ଦୋଳନ ଚେତାବନୀ
ତବଲାକଟା ଟୋଲ୍ ଗେଟ୍କୁ ନେଇ ବଢିଲା ଜନ ଅସନ୍ତୋଷ : ଦେୟମୁକ୍ତ ଦାବିରେ ଆନ୍ଦୋଳନ ଚେତାବନୀ


ସମ୍ବଲପୁର, ୧୫, ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଭୋଜପୁର ନିକଟସ୍ଥ ତବଲାକଟା ଟୋଲ୍ ଗେଟ୍ ଆରମ୍ଭ ହେବା ଦିନ ଠାରୁ ସ୍ଥାନୀୟ ଅଂଚଳରେ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ଗାଡ଼ିଗୁଡ଼ିକୁ ମଧ୍ୟ ଟୋଲ୍ ଗେଟ୍ ଦେୟ ନେଉଥିବା ଯୋଗୁଁ ଲୋକେ ଅସନ୍ତୋଷ ଝାଡିଥିଲେ । ଟୋଲ ମୁକ୍ତ କରିବା ସହ ଆଖପାଖ ୨୦ କିଲୋମିଟର ପରିଧିର ଯାନବାହନକୁ ଟୋଲ୍ ଆଦାୟରୁ ଛାଡ଼ ଦେବା ଦାବିରେ ଆଜି ଶତାଧିକ ଅଂଚଳବାସୀ ଟୋଲ୍ ଗେଟ୍ ଘେରାଉ କରି ଧାରଣା ଦେଇ ଦୃଢ ପ୍ରତିବାଦ ଜଣାଇଛନ୍ତି। ସୂଚନା ଅନୁଯାୟୀ, ଜମନକିରା ବ୍ଲକର ତବଲାକଟା ନିକଟରେ ଦୀର୍ଘ ପ୍ରାୟ ପାଂଚ ବର୍ଷ ହେଲା ଟୋଲ୍ ଗେଟ୍ ନିର୍ମାଣ କାର୍ଯ୍ୟ ଚାଲିଛି। କୁଚିଣ୍ଡାରୁ ଦେବଗଡ଼ ରାସ୍ତାରେ ପୂର୍ବରୁ ଟୋଲ୍ ଗେଟ୍ ବ୍ୟବସ୍ଥା ନଥିବା ବେଳେ ଗତ ଶୁକ୍ରବାର ବିଭାଗୀୟ ଅଧିକାରୀ ଓ କେତେକ ସ୍ଥାନୀୟ ରାଜନେତାଙ୍କ ଉପସ୍ଥିତିରେ ଟୋଲ୍ ଆଦାୟ ଆରମ୍ଭ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଟୋଲ୍ ଗେଟ୍ ଆରମ୍ଭ ପୂର୍ବରୁ ସ୍ଥାନୀୟ ଅଂଚଳବାସୀଙ୍କ ସହ କୌଣସି ଆଲୋଚନା କିମ୍ବା ବିଚାରବିମର୍ଶ କରାଯାଇନଥିବା ଅଭିଯୋଗ ଆନ୍ଦୋଳନକୁ ଅଧିକ ତୀବ୍ର କରିଛି। ଏହି ରାସ୍ତା ଦେଇ ସ୍ଥାନୀୟ ଲୋକଙ୍କୁ ଦୈନନ୍ଦିନ କାର୍ଯ୍ୟ ପାଇଁ ଦିନକୁ ଦୁଇରୁ ତିନିଥର ଯାତାୟାତ କରିବାକୁ ପଡ଼ୁଥିବାରୁ ବାରମ୍ବାର ଟୋଲ୍ ଦେୟ ପ୍ରଦାନ କରିବା ସେମାନଙ୍କ ପାଇଁ ଆର୍ôଥକ ବୋଝ ହେବ ବୋଲି ଅଂଚଳବାସୀ କହିଛନ୍ତି। ଭୋଜପୁରର ସୁବ୍ରତ ପଟେଲ କହିଛନ୍ତି ଯେ, ଗତ ଶୁକ୍ରବାର ଟୋଲ୍ ଗେଟ୍ ଉଦ୍ଘାଟନ ସମୟରେ ଏହି ଅଂଚଳର କିଛି ବ୍ୟକ୍ତି ଟୋଲ୍ ଗେଟ୍ ଆରମ୍ଭ ପୂର୍ବରୁ ସ୍ଥାନୀୟ ଲୋକଙ୍କୁ ଅବଗତ କରିବା ସହ ଆଲୋଚନା କରିବାକୁ ଅନୁରୋଧ କରିଥିଲେ। ମାତ୍ର ଏହାକୁ ଗୁରୁତ୍ୱ ନଦେଇ ବିଭାଗ ନିଜ ମନମାନିରେ ଟୋଲ୍ ଆଦାୟ ଆରମ୍ଭ କରିଦେଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ଦାବି ଅନୁଯାୟୀ, ଟୋଲ୍ ଗେଟ୍ର ଆଖପାଖ ୨୦ କିଲୋମିଟର ପରିଧିରେ ଥିବା ଅଂଚଳର ଯାନବାହନକୁ ଟୋଲ୍ ଦେୟମୁକ୍ତ କରାଯାଉ। ଏଥିସହ କୁଚିଣ୍ଡା ଉପଖଣ୍ଡର ସମସ୍ତ ଅଂଚଳବାସୀଙ୍କୁ ନେଇ ବିଭାଗ ପକ୍ଷରୁ ଏକ ଆଲୋଚନା ସଭା ଆୟୋଜନ କରାଯାଉ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଧାରଣାରେ ବିଭିନ୍ନ ଅଂଚଳର ଜନପ୍ରତିନିଧି ଓ ସମାଜସେବୀ ଏହି ପ୍ରତିବାଦରେ ଡିମିରିମୁଣ୍ଡା ସରପଂଚ ପ୍ରହଲ୍ଲାଦ ଧୁରୁଆ, କୁଚିଣ୍ଡାର ପୂର୍ବତନ ବିଧାୟକ କିଶୋର ନାଏକ, ସୁବର୍ଣ୍ଣପାଳିର ପୂର୍ବତନ ସରପଂଚ ଲିଟନ କିଣ୍ଡୋ, ବକ୍ସମାର ସମାଜସେବୀ ବିକାଶ ପୃସେଟ, ସିରିଡ଼ର ଚିତ୍ରସେନ ବେହେରା, ଅଶୋକ ସୁନାନୀ, ଭୋଜପୁରର ସୁବ୍ରତ ପଟେଲ ଓ ଟୀକନ ଶର୍ମାଙ୍କ ସମେତ ଶତାଧିକ ସ୍ଥାନୀୟ ଅଂଚଳବାସୀ ଉପସ୍ଥିତ ରହି ଧାରଣାରେ ସାମିଲ ହୋଇଥିଲେ। ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, ବିଭାଗୀୟ କର୍ତୃପକ୍ଷ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବା ଆବଶ୍ୟକ। ଆସନ୍ତା ସୋମବାର ମଧ୍ୟ ଆନ୍ଦୋଳନ ଜାରି ରହିବ ଏବଂ ଦାବି ପୂରଣ ନହେବା ପର?୍ୟ୍ୟନ୍ତ ଧାରଣା ଜାରି ରଖିବାକୁ ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। ଏବେ ପ୍ରଶ୍ନ ଉଠୁଛି, ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ ଯାତାୟାତ ସମସ୍ୟାକୁ ନେଇ ବିଭାଗ କେବେ ଆଲୋଚନା କରିବ? ୨୦ କିଲୋମିଟର ପରିଧିର ଯାନବାହନକୁ ଟୋଲ୍ ଛାଡ଼ ଦେବା ଦାବି ଉପରେ କି ପଦକ୍ଷେପ ନିଆଯିବ? ଏହାକୁ ନେଇ ଏବେ କୁଚିଣ୍ଡା ଉପଖଣ୍ଡବାସୀଙ୍କ ନଜର ବିଭାଗୀୟ କର୍ତୃପକ୍ଷଙ୍କ ପରବର୍ତୀ ପଦକ୍ଷେପ ଉପରେ ରହିଛି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande