
ଧର୍ମଶାଳା, ୧୫ନଭେମ୍ବର(ହି.ସ) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ କୁମାରୀ ପଂଚୟତର ଜାରକା ଷ୍ଟାଡିୟମ ନିକଟରେ ଆଜି ଷ୍ଟାଡିୟମ ଉନ୍ନତିକରଣ ପାଇଁ ଶିଳାନ୍ୟାସ କରାଯାଇଛି । ଯୁବବ୍ୟାପାର ଓ କ୍ରୀଡାମନ୍ତ୍ରୀ ସୂରଜ ସୁର୍ଯ୍ୟବଂଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶିଳାନ୍ୟାଶ କରିଛନ୍ତି । ପୂର୍ତ ବିଭଗ ପକ୍ଷରୁ ହେବାକୁ ଥିବା ଷ୍ଟାଡିୟମର ଉନ୍ନତିକରଣ ପାଇଁ ୨୭ କୋଟି ୩୩ ହଜାର ବ୍ୟୟ ଅଟକଳ ରଖାଯାଇ ଟେଣ୍ଡର କରାଯାଇଛି । ଆଜିର ଏହି ଉଦଘାଟନ ଅବସରରେ ଯାଜପୁର ସାଂସଦ ଡ. ରବିନାରାୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଓ ବିଜେପି ଜିଲ ସଭାପତି ଦେବଯାନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ଆଜି ସାହାଣୀଢିହ ପଂଚାୟତ ରାମଚନ୍ଦ୍ରପୁରଠାରେ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୧୬ କୋଟି ୧୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଷ୍ଟାଡିୟମର ଶିଳାନ୍ୟାଶ କରିଥିଲେ । ସରକାରୀ ଯୋଜନାରେ ପଂଚାୟତ ସ୍ତରରେ ଷ୍ଟାଡିୟମ ନିର୍ମାଣ ପାଇଁ କ୍ରୀଡା ବିଭାଗ ପକ୍ଷରୁ ଷ୍ଟାଡିୟମ ମାନ ନିର୍ମାଣ କରାଯାଉଥିବା ପରିପ୍ରେକ୍ଷୀରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରଚେଷ୍ଟା ବଳରେ ଧର୍ମଶାଳାରେ ଆଜି ଦୁଇ ଗୋଟି ଷ୍ଟାଡିୟମର ଶିଳାନ୍ୟାସ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଶ୍ରୀ ବେହେରା, କୋରେଇ ବିଧାୟକ ଶ୍ରୀ ଦାସ ନାୟକ, ଧର୍ମଶାଳା ବିଧାୟକ ଶ୍ରୀ ସାହୁ ଓ ବିଜେପି ଜିଲା ସଭାପତି ଶ୍ରୀମତୀ ପ୍ରଧାନ ଉପସ୍ଥିତ ରହିଥିଲେ । ଏହି ଉଭୟ କାର୍ଯ୍ୟକ୍ରମରେ ପୂର୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ କୋମଳ ସ୍ୱାଇଁ, ଏସଡିଓ ଓ କନିଷ୍ଠ ଯନ୍ତ୍ରୀ ସମେତ ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀମାନେ ଉପସ୍ଥିତ ରହିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଜିତେନ୍ଦ୍ର ରାଉତ ଓ କଳ୍ପତରୁ ସାହୁ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ