କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ
କୃଷି ଯାନ୍ତ୍ରିକୀକରଣ, ଗବେଷଣା ଓ ନବସୃଜନକୁ ଗୁରୁତ୍ୱ ଦିଅନ୍ତୁ ଛାତ୍ରଛାତ୍ରୀ ଭୁବନେଶ୍ୱର - ୧୫ ନଭେମ୍ବର (ହି.ସ) ଓଡ଼ିଶାର କୃଷି ବିକାଶ କ୍ଷେତ୍ରରେ ଯାନ୍ତ୍ରିକ ଓ ବୈଷୟିକ ଜ୍ଞାନକୌଶଳର ଗୁରୁତ୍ୱ ଅତ୍ୟନ୍ତ ଅଧିକ। କୃଷିକ୍ଷେତ୍ରରେ ଆଧୁନିକ ଯାନ୍ତ୍ରିକ ବିଦ୍ୟାର ପ୍ରୟୋଗ ମାଧ
କେଭି


- କୃଷି ଯାନ୍ତ୍ରିକୀକରଣ, ଗବେଷଣା ଓ ନବସୃଜନକୁ ଗୁରୁତ୍ୱ ଦିଅନ୍ତୁ ଛାତ୍ରଛାତ୍ରୀ

ଭୁବନେଶ୍ୱର - ୧୫ ନଭେମ୍ବର (ହି.ସ) ଓଡ଼ିଶାର କୃଷି ବିକାଶ

କ୍ଷେତ୍ରରେ ଯାନ୍ତ୍ରିକ ଓ ବୈଷୟିକ ଜ୍ଞାନକୌଶଳର ଗୁରୁତ୍ୱ ଅତ୍ୟନ୍ତ ଅଧିକ। କୃଷିକ୍ଷେତ୍ରରେ

ଆଧୁନିକ ଯାନ୍ତ୍ରିକ ବିଦ୍ୟାର ପ୍ରୟୋଗ ମାଧ୍ୟମରେ କୃଷିକାର୍ଯ୍ୟକୁ ସୁଗମ, ଦକ୍ଷ, ବ୍ୟବସାୟଭିତ୍ତିକ

ତଥା ଲାଭଜନକ କରିବାରେ କୃଷି ଇଞ୍ଜିନିୟରିଂର ଭୂମିକା ଅତୁଳନୀୟ। ଏହି ମହତ୍ ଉଦ୍ଦେଶ୍ୟକୁ ଆଗରେ

ରଖି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଅଧୀନରେ ୧୯୬୬ ମସିହାରେ କୃଷି ଯାନ୍ତ୍ରିକ ଓ ବୈଷୟିକ

ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା।

ପ୍ରତିଷ୍ଠା କାଳରୁ ଏହି ମହାବିଦ୍ୟାଳୟ କୃଷି ଯନ୍ତ୍ରପାତି, ମୃତ୍ତିକା ଓ ଜଳ

ସଂରକ୍ଷଣ, ଅମଳ ପରବର୍ତ୍ତୀ

ପ୍ରକ୍ରିୟାକରଣ, କୃଷି ସଂରଚନା, ସିଭିଲ୍ ଓ ପରିବେଶ

ଇଞ୍ଜିନିୟରିଂ ତଥା ମେକାନିକାଲ୍ ଓ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଭଳି ବିଭିନ୍ନ କ୍ଷେତ୍ରରେ ଶିକ୍ଷା

ଓ ଗବେଷଣାର ସୁଯୋଗ ସୃଷ୍ଟି କରିଆସିଛି। ସମୟ ଓ ଆବଶ୍ୟକତାର ପରିବର୍ତ୍ତନ ସହିତ ଅକ୍ଷୟ ଶକ୍ତି

ଏବଂ ଜଳସେଚନ ଓ ନିଷ୍କାସନ ଇଞ୍ଜିନିୟରିଂ ଭଳି ନୂତନ କ୍ଷେତ୍ରରେ ମଧ୍ୟ ଏହାର ଶିକ୍ଷା ଓ ଗବେଷଣା

ପରିସର ବ୍ୟାପକ ହୋଇଛି।

୨୦୨୬ ମସିହାରେ ଏହି ମହାବିଦ୍ୟାଳୟ ତାହାର ଗୌରବମୟ ୬୦ ବର୍ଷର ଯାତ୍ରା

ପୂରଣ କରି ହୀରକ ଜୟନ୍ତୀ ପାଳନ କରୁଛି। ଏହା କେବଳ ଏକ ପ୍ରତିଷ୍ଠାନର ବାର୍ଷିକୀ ନୁହେଁ, ବରଂ ଓଡ଼ିଶାର କୃଷି

ଯାନ୍ତ୍ରିକୀକରଣ, ବୈଷୟିକ ଶିକ୍ଷା, ଗବେଷଣା ଓ କୃଷକ

ସେବା କ୍ଷେତ୍ରରେ ଛଅ ଦଶନ୍ଧିର ଅବିରତ ଅବଦାନର ଏକ ଗୌରବମୟ ଉତ୍ସବ।

ବିଗତ ଷାଠିଏ ବର୍ଷ ମଧ୍ୟରେ ଏହି ମହାବିଦ୍ୟାଳୟରୁ ଅନେକ ସ୍ନାତକ, ସ୍ନାତକୋତ୍ତର ଓ

ଗବେଷକ ଉତ୍ତୀର୍ଣ୍ଣ ହୋଇ ଦେଶବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ, ଗବେଷଣା

ପ୍ରତିଷ୍ଠାନ, ସରକାରୀ ବିଭାଗ ଓ

ଶିଳ୍ପ ପ୍ରତିଷ୍ଠାନରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ହୋଇ ନିଜର ଦକ୍ଷତା ଓ

ପାରଦର୍ଶିତାର ପରିଚୟ ଦେଇଆସୁଛନ୍ତି। ଆଜିର ସମୟରେ କୃଷି ଯାନ୍ତ୍ରିକୀକରଣ, ଗବେଷଣା ଓ

ନବସୃଜନକୁ ଛାତ୍ରଛାତ୍ରୀ ଗୁରୁତ୍ୱ ଦିଅନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ଶିକ୍ଷାଦାନ ସହିତ

ଗବେଷଣା, ନୂତନ ଯନ୍ତ୍ରପାତିର

ଉଦ୍ଭାବନ, ବୈଷୟିକ

ଜ୍ଞାନକୌଶଳର ବିକାଶ ଏବଂ ତାହାର କୃଷକସ୍ତରରେ ପ୍ରସାର ମାଧ୍ୟମରେ ସିଏଇଟିଅନେକ ଉଲ୍ଲେଖନୀୟ

ସଫଳତା ହାସଲ କରିଛି।

ଆଜି ସିଏଇଟିର ହୀରକ ଜୟନ୍ତୀ (୧୯୬୬–୨୦୨୬) ଉତ୍ସବ ଅତ୍ୟନ୍ତ

ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ସମାରୋହରେ ମାନ୍ୟବର

ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, କୃଷି ଓ କୃଷକ

ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ

ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ,

ଏବଂ ଓଡ଼ିଶା କୃଷି

ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡଃ) ପ୍ରଭାତ କୁମାର ରାଉଳ ଯୋଗଦାନ କରି ଉତ୍ସବର

ଗାରିମା ବୃଦ୍ଧି କରିଥିଲେ।

ଏହି ଅବସରରେ ଅତିଥିମାନେ ମହାବିଦ୍ୟାଳୟ ପରିସରରେ ନିର୍ମିତ ହୀରକ

ଜୟନ୍ତୀ ସ୍ମାରକୀ ଉଦ୍ଘାଟନ କରିବା ସହିତ କୃଷି ଇଞ୍ଜିନିୟରିଂ କ୍ଷେତ୍ରର ନୂତନ ଉଦ୍ଭାବନ, ଯନ୍ତ୍ରପାତି ଓ

ଆଧୁନିକ ଜ୍ଞାନକୌଶଳର ପ୍ରଦର୍ଶନୀ 'ଟେକ୍ନୋଲୋଜି ଏକ୍ସିବିସନ୍'କୁ ମଧ୍ୟ ଉଦ୍ଘାଟନ କରିଥିଲେ। ଏହି ପ୍ରଦର୍ଶନୀରେ କୃଷି

ଯାନ୍ତ୍ରିକୀକରଣ, ଅମଳ ପରବର୍ତ୍ତୀ

ପ୍ରକ୍ରିୟାକରଣ, ଜଳ ଓ ମୃତ୍ତିକା

ସଂରକ୍ଷଣ, ଡ୍ରୋନ୍ ଓ

ଅନ୍ୟାନ୍ୟ ଆଧୁନିକ କୃଷି ପ୍ରଯୁକ୍ତିର ବିଭିନ୍ନ ଦିଗ ପ୍ରଦର୍ଶିତ ହୋଇଥିଲା। ଏହାସହିତ ହୀରକ

ଜୟନ୍ତୀ ଅବସରରେ ପ୍ରସ୍ତୁତ ସ୍ୱତନ୍ତ୍ର ସ୍ମରଣିକା 'କନଫ୍ଲୁଏନ୍ସ' ଅତିଥିମାନଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା। ଏହି ସ୍ମରଣିକାରେ

ମହାବିଦ୍ୟାଳୟର ଐତିହ୍ୟ, ଉପଲବ୍ଧି, ଗବେଷଣା, ପ୍ରଯୁକ୍ତିଗତ

ଅବଦାନ ଓ ପୁରାତନ ଛାତ୍ରଛାତ୍ରୀଙ୍କ ସ୍ମୃତିକୁ ସ୍ଥାନ ଦିଆଯାଇଛି।

ଏହି ଉତ୍ସବରେ ୧୦୦୦ରୁ ଊର୍ଦ୍ଧ୍ୱ ଅଂଶଗ୍ରହଣକାରୀଙ୍କ ସମାଗମ

ହୋଇଥିଲା। ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା, ବୈଜ୍ଞାନିକ, ଶିକ୍ଷାବିତ୍, ଗବେଷକ ଓ କୃଷି ଯନ୍ତ୍ରପାତି ନିର୍ମାତାମାନେ ଏକତ୍ରିତ ହୋଇ ଏହି

ଗୌରବମୟ ଯାତ୍ରାର ସ୍ମୃତିଚାରଣ କରିଥିଲେ। ଦିନବ୍ୟାପୀ ଆୟୋଜିତ କାର୍ଯ୍ୟକ୍ରମ ମଧ୍ୟରେ ହୀରକ

ଜୟନ୍ତୀ ସେମିନାର, ଛାତ୍ରଛାତ୍ରୀ-ପୁରାତନ

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାବ ବିନିମୟ କାର୍ଯ୍ୟକ୍ରମ ଏବଂ ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ

ଦ୍ୱାରା ମନୋରଞ୍ଜନଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମସ୍ତ

କାର୍ଯ୍ୟକ୍ରମ ପୁରାତନ ଓ ନୂତନ ପିଢ଼ି ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ସହିତ ଅନୁଭୂତି, ଜ୍ଞାନ ଓ

ଅଭିଜ୍ଞତାର ଆଦାନପ୍ରଦାନ ପାଇଁ ଏକ ଉତ୍କୃଷ୍ଟ ମଞ୍ଚ ସୃଷ୍ଟି କରିଥିଲା।

ଉଦ୍ଘାଟନୀ ଅଧିବେଶନରେ ପୁରାତନ ଛାତ୍ର ଆସୋସିଏସନ୍ର ସଭାପତି

ଇଞ୍ଜିନିୟର ପି. କେ. ମହାପାତ୍ର କୃଷି ଇଞ୍ଜିନିୟରିଂ କ୍ଷେତ୍ରର ବିକାଶ ଓ ଏହାର ପେଶାଗତ

ସ୍ୱୀକୃତିକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ବିଭାଗର

ଶାସନ ସଚିବଙ୍କ ସମ୍ମୁଖରେ କେତେକ ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନ କରିଥିଲେ। ଏଥିମଧ୍ୟରେ

କୃଷି ଇଞ୍ଜିନିୟରିଂ କ୍ୟାଡର୍ର ପୁନର୍ଗଠନ ଏବଂ କୃଷି, ଉଦ୍ୟାନକୃଷି ଓ ମୃତ୍ତିକା ସଂରକ୍ଷଣ ତଥା ଜଳବିଭାଜିକା ଉନ୍ନୟନ

ବିଭାଗରେ ପ୍ରତ୍ୟେକ ବ୍ଲକ୍ ସ୍ତରରେ କୃଷି ଇଞ୍ଜିନିୟରମାନଙ୍କ ନିଯୁକ୍ତି ଓ ପଦସ୍ଥାପନ

ଅନ୍ତର୍ଭୁକ୍ତ ଥିଲା। ଏହି ପଦକ୍ଷେପ ଦ୍ୱାରା କୃଷି ଯାନ୍ତ୍ରିକୀକରଣ ଯୋଜନାର ସଫଳ

କାର୍ଯ୍ୟାନ୍ୱୟନ, ଆଧୁନିକ କୃଷି

ଯନ୍ତ୍ରପାତିର ପ୍ରସାର, ଜଳ ଓ ମୃତ୍ତିକା

ସମ୍ପଦର ସୁପରିଚାଳନା ଏବଂ ତୃଣମୂଳ ସ୍ତରରେ କୃଷକଙ୍କୁ ବୈଷୟିକ ସହାୟତା ପ୍ରଦାନ ଅଧିକ ସୁଗମ

ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଉଦ୍ଘାଟନୀ ସମାରୋହରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ଶାସନ

ସଚିବ କୃଷି ଯାନ୍ତ୍ରିକୀକରଣ କ୍ଷେତ୍ରକୁ ସରକାରଙ୍କ ପ୍ରାଥମିକତା ଦେବା ସହ ଏହି ବୃତ୍ତି ଓ

ବୈଷୟିକ କ୍ଷେତ୍ରର ବିକାଶ ପାଇଁ ଆବଶ୍ୟକ ସହଯୋଗ ଓ ଗୁରୁତ୍ୱ ପ୍ରଦାନ କରିବା ନେଇ ଆଶ୍ୱାସନା

ଦେଇଥିଲେ। ବିଶେଷକରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ ମୂଲ୍ୟର, ସୁଲଭ ଓ ଉପଯୋଗୀ

କୃଷି ଯନ୍ତ୍ରପାତିର ବିକାଶ ଏବଂ ପ୍ରସାର ଉପରେ ଗୁରୁତ୍ୱ ଦିଆଯାଇଥିଲା। ମହିଳା କୃଷକଙ୍କ ପାଇଁ

ଶ୍ରମସାଧ୍ୟ କାର୍ଯ୍ୟକୁ ସହଜ କରିବା ନିମନ୍ତେ ମହିଳା-ଅନୁକୂଳ କୃଷି ଯନ୍ତ୍ରପାତିର ଡିଜାଇନ୍ ଓ

ଉପଲବ୍ଧତାକୁ ପ୍ରୋତ୍ସାହନ ଦେବା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।

ଏହା ସହିତ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା, ସେନ୍ସର୍ ଆଧାରିତ

କୃଷି, କୃତ୍ରିମ ବୁଦ୍ଧିମତ୍ତା, ଇଣ୍ଟରନେଟ୍ ଅଫ୍

ଥିଙ୍ଗସ୍ ଏବଂ ଆଧୁନିକ ଓ ଉନ୍ନତ କୃଷି ଯନ୍ତ୍ରପାତିର ବ୍ୟବହାରକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ

ଆରୋପ କରାଯାଇଥିଲା। ଏହି ଆଧୁନିକ ଜ୍ଞାନକୌଶଳ କୃଷି ଉତ୍ପାଦନ ବୃଦ୍ଧି, ଶ୍ରମ ଓ ଉତ୍ପାଦନ

ଖର୍ଚ୍ଚ ହ୍ରାସ,ସମ୍ବଳର ସୁବିନିଯୋଗ ଏବଂ ଚାଷୀଙ୍କ ଆୟ ବୃଦ୍ଧିରେ ନିର୍ଣ୍ଣାୟକ

ଭୂମିକା ଗ୍ରହଣ କରିବ।

ହୀରକ ଜୟନ୍ତୀ ଉତ୍ସବ କେବଳ ଅତୀତର ସଫଳତାକୁ ସ୍ମରଣ କରିବାର ଅବସର

ନୁହେଁ, ବରଂ ଭବିଷ୍ୟତର

ଆହ୍ୱାନ ଓ ସମ୍ଭାବନାକୁ ଚିହ୍ନଟ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ଏହି ଅବସରରେ ଶିକ୍ଷା, ଗବେଷଣା, ଉଦ୍ୟୋଗ ଓ କୃଷକ

ସମାଜ ମଧ୍ୟରେ ସମନ୍ୱୟ ସ୍ଥାପନ କରି ନୂତନ ପ୍ରଯୁକ୍ତିବିଦ୍ୟାର ବିକାଶ ଓ ତାହାର କ୍ଷେତ୍ରସ୍ତରୀୟ

ପ୍ରୟୋଗକୁ ତ୍ୱରାନ୍ୱିତ କରିବା ନିମନ୍ତେ ଆହ୍ୱାନ ଦିଆଯାଇଛି। ଆଗାମୀ ଦିନରେ ସିଏଇଟିକୃଷି

ଯାନ୍ତ୍ରିକୀକରଣ ସହିତ ମୃତ୍ତିକା ଓ ଜଳ ସଂରକ୍ଷଣ, ଜଳସେଚନ ଓ ନିଷ୍କାସନ, ଅକ୍ଷୟ ଶକ୍ତି, ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ, ସ୍ମାର୍ଟ କୃଷି ଓ ଡିଜିଟାଲ୍ କୃଷି କ୍ଷେତ୍ରରେ ଗବେଷଣା

ଓ ନବସୃଜନକୁ ଅଧିକ ଗତିଶୀଳ କରିବାର ଲକ୍ଷ୍ୟ ରଖିଛି। ବିଶେଷକରି କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା କୃଷକ ଏବଂ

ଗ୍ରାମୀଣ ଯୁବକଯୁବତୀଙ୍କ ପାଇଁ ଉପଯୋଗୀ ବୈଷୟିକ ସମାଧାନ ବିକାଶ କରିବା ଏହାର ପ୍ରମୁଖ ଲକ୍ଷ୍ୟ

ହେବ।

ଓଡ଼ିଶା ସମେତ ସମଗ୍ର ଦେଶରେ କୃଷି ଯାନ୍ତ୍ରିକୀକରଣ, ଗ୍ରାମୀଣ

ଭିତ୍ତିଭୂମିର ବିକାଶ, ଜଳ ଓ ପ୍ରାକୃତିକ

ସମ୍ପଦର ସୁପରିଚାଳନା ଏବଂ କୃଷିକୁ ଅଧିକ ଲାଭଜନକ ଓ ଜଳବାୟୁ ସହନଶୀଳ କରିବା ଦିଗରେ ସିଏଇଟିଆଗାମୀ ଦିନରେ ଏକ

ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଦୃଢ଼ ଆଶା ପ୍ରକାଶ କରାଯାଉଛି।

ଷାଠିଏ ବର୍ଷର ଗୌରବମୟ ଅତୀତ, ନବସୃଜନରେ ସମୃଦ୍ଧ ବର୍ତ୍ତମାନ ଏବଂ କୃଷିର ଉଜ୍ଜ୍ୱଳ

ଭବିଷ୍ୟତ ଗଠନର ସଂକଳ୍ପ ସହ ସିଏଇଟିଆଗେଇ ଚାଲିଛି। ଏହା ହିଁ ହୀରକ ଜୟନ୍ତୀର ପ୍ରକୃତ ବାର୍ତ୍ତା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande