
ଆଗାମୀ ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଶ୍ରଦ୍ଧାଳୁଙ୍କ ସୁଗମ ଦର୍ଶନ, ସ୍ୱଚ୍ଛତା ଓ ଶୃଙ୍ଖଳିତ ପରିଚାଳନା ଉପରେ ପ୍ରଶାସନର ଗୁରୁତ୍ୱ
ପୁରୀ, ୧୫ ନଭେମ୍ବର (ହି.ସ.) ଆଗାମୀ ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମା-୨୦୨୬ ର ସୁଚାରୁ ଓ ଶୃଙ୍ଖଳିତ ପରିଚାଳନା ନିମନ୍ତେ ଆଜି ପୂର୍ବାହ୍ନରେ ପୁରୀ ସ୍ୱତନ୍ତ୍ର ସର୍କିଟ ହାଉସ୍ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂ, ପୁରୀ ପି. ଏମ. ସି କମିଶନର ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା, ଅତିରିକ୍ତ ଜିଲ୍ଲାପାଳବୃନ୍ଦ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଚଳିତ ବର୍ଷ ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ଓ ହବିଷ୍ୟାଳୀମାନଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବୈଠକରେ ଆଲୋଚନା ଅନୁଯାୟୀ, ଶ୍ରୀମନ୍ଦିରରେ ବିଭିନ୍ନ ନୀତିକାନ୍ତିଗୁଡ଼ିକର ସମୟାନୁବର୍ତୀ ଓ ଶୃଙ୍ଖଳିତ ପରିଚାଳନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଭକ୍ତମାନଙ୍କ ସୁଗମ ଦର୍ଶନ ଏବଂ ହବିଷ୍ୟାଳୀ ମାଆମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯିବା ସହ, ସମୁଦ୍ରକୂଳରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଏବଂ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ପ୍ରଶାସନ ଓ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ମୁତୟନ କରାଯିବ।
ଏହା ବ୍ୟତୀତ, ସ୍ୱାସ୍ଥ୍ୟ ସେବା ଓ ଖାଦ୍ୟ ନିରାପତ୍ତା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏବଂ ଖାଦ୍ୟ ନିରାପତ୍ତା ଅଧିକାରୀମାନେ ସକ୍ରିୟ ରହିବେ। ପି. ଏମ.ସି ପକ୍ଷରୁ ସହରର ନିୟମିତ ସଫେଇ, ବୁଲା ଗାଈଗୋରୁ ଓ କୁକୁର ଅପସାରଣ ଏବଂ କଠୋର ଏନଫୋର୍ସମେଣ୍ଟ କାର୍ଯ୍ୟକାରୀ କରାଯିବ। ଜଳସେଚନ ପାଇଁ ଵାଟକୋ ଏବଂ ବିଦ୍ୟୁତ୍ ସେବା ପାଇଁ ଟିପିସିଓଡିଏଲ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ପବିତ୍ର ପୋଖରୀ ଓ ସମୁଦ୍ରକୂଳରେ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ମୁତୟନ ରହିବା ସହ ଭଜନ ସମାରୋହ ପାଇଁ ଅନୁମତି, ସ୍ୱେଚ୍ଛାସେବକ ନିୟୋଜନ, ଜରୁରୀକାଳୀନ ପରିସ୍ଥିତି ପାଇଁ କ୍ରେନ୍ ବ୍ୟବସ୍ଥା, ରାସ୍ତା ମରାମତି ଏବଂ ବ୍ୟାରିକେଡିଂ ବ୍ୟବସ୍ଥା କରାଯିବ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସଠିକ୍ ସୂଚନା ପ୍ରସାର କରାଯିବା ସହ ସମସ୍ତ ବିଭାଗର ପରସ୍ପର ସମନ୍ୱୟରେ ଏହି ପର୍ବକୁ ସଫଳତାର ସହ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ