
କେନ୍ଦ୍ରାପଡ଼ା , 15 ନଭେମ୍ବର (ହି.ସ.): କେନ୍ଦ୍ରାପଡ଼ା ସହର ଉପକଣ୍ଠ ଗରାପୁର ସ୍ଥିତ ଏମ୍ପାୱାର ପବ୍ଲିକ୍ ସ୍କୁଲ ପକ୍ଷରୁ ‘ବିଜ୍ଞାନ ପ୍ରଦର୍ଶନୀ ସମ୍ମିଳନୀ-୨୦୨୬’ ଅବସରରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଓ ବିଜ୍ଞାନ ପ୍ରଦର୍ଶନୀ ‘ସାଇଷ୍ଟର୍ମ’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ‘ଉଦ୍ଭାବନ, ଅନ୍ୱେଷଣ ଓ ଉତ୍କର୍ଷତା’ ବାର୍ତ୍ତାକୁ ନେଇ ଆୟୋଜିତ ଏହି କାର୍ୟ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ବିକଶିତ କରିବାରେ ସହାୟକ ହୋଇଛି।ବିଦ୍ୟାଳୟର ଅଧ୍ୟକ୍ଷା ସ୍ନେହଲତା ହାତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାସ ଯୋଗଦେଇ କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ। ସେହିପରି ମୁଖ୍ୟ ବକ୍ତା ଭାବେ ଡେରାବିଶ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଦନ ମୋହନ କର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ଏହାସହିତ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡ଼ା ପୌର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସିଦ୍ଧାର୍ଥ ଶେଖର ଜେନା, କେନ୍ଦ୍ରାପଡ଼ା ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଜିଲ୍ଲା ସଂଯୋଜକ ଶ୍ରୀ ପୀତାବାସ ପଣ୍ଡା ଏବଂ କେନ୍ଦ୍ରାପଡ଼ା ସାମ୍ବାଦିକ ସଂଘର ସଭାପତି ପରେଶ ଚନ୍ଦ୍ର ଦାସ ମଞ୍ଚାସୀନ ଥିଲେ। ବିଦ୍ୟାଳୟର କୁନି ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଆକର୍ଷଣୀୟ ବିଜ୍ଞାନ ପ୍ରକଳ୍ପଗୁଡ଼ିକୁ ଅତିଥିମାନେ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କ ଉଦ୍ୟମକୁ ବେଶ୍ ପ୍ରଶଂସା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରବି