ସ୍କ୍ରାପ୍ ଚୋରି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଜରିମାନା
Two persons found guilty
ସ୍କ୍ରାପ୍ ଚୋରି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଜରିମାନା


ଝାରସୁଗୁଡ଼ା, ୧୯ ନଭେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳରେ ଘଟିଥିବା ସ୍କ୍ରାପ୍ ଚୋରି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଲଖନପୁର ସିଭିଲ୍ ଜଜ୍ (ଜୁନିୟର ଡିଭିଜନ୍)-କମ୍-ଜେଏମ୍ଏଫ୍ସି ଅଦାଲତ। ଦୋଷୀ ମକବୁଲ୍ ହୁସେନ୍ (୩୬)ଙ୍କୁ ୮ ହଜାର ଟଙ୍କା ଏବଂ ଦେବେନ୍ଦ୍ର ଜାଙ୍ଗଡ଼େ (୨୫)ଙ୍କୁ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ଜରିମାନା ଅନାଦେୟ ହେଲେ ଉଭୟଙ୍କୁ ଅତିରିକ୍ତ ସରଳ କାରାଦଣ୍ଡ ଭୋଗିବାକୁ ପଡ଼ିବ।

ପୁଲିସ ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୬ ତାରିଖ ସନ୍ଧ୍ୟା ପ୍ରାୟ ୫ଟାରେ କନକତୋରା ବିଟ୍ ହାଉସ୍ର ଏଏସ୍ଆଇ ନେପାଳ ପଟ୍ଟା ପୁଲିସ କର୍ମଚାରୀଙ୍କ ସହ ପାଟ୍ରୋଲିଂ କରୁଥିବା ସମୟରେ ଏକ ଟାଟା ପିକ୍ଅପ୍ ଗାଡ଼ିରେ ଚୋରି ସ୍କ୍ରାପ୍ ସାମଗ୍ରୀ ପରିବହନ ହେଉଥିବା ଖବର ପାଇଥିଲେ। ଏହାପରେ ବାଦିମାଲ ଛକରେ ସିଜି-୧୩-ବିଏଚ୍-୩୩୬୮ ନମ୍ବର ବିଶିଷ୍ଟ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୧୦୨୦ କିଲୋଗ୍ରାମ ଲୁହା ଓ ସ୍କ୍ରାପ୍ ସାମଗ୍ରୀ ଜବତ କରାଯାଇଥିଲା।

ପୁଲିସ ତଦନ୍ତରୁ ଜଣାପଡ଼ିଥିଲା ଯେ, ମକବୁଲ୍ ବିଭିନ୍ନ ନିର୍ମାଣସ୍ଥଳୀ, ମିଲ୍ ଓ ଯନ୍ତ୍ରପାତି ଥିବା ସ୍ଥାନରୁ ସ୍କ୍ରାପ୍ ସାମଗ୍ରୀ ସଂଗ୍ରହ କରିଥିଲେ। ଅନ୍ୟପକ୍ଷରେ ଦେବେନ୍ଦ୍ର ଏହା ଚୋରି ସାମଗ୍ରୀ ବୋଲି ଜାଣି ମଧ୍ୟ ତାହା ଗ୍ରହଣ କରିଥିବା ତଦନ୍ତରୁ ଜଣାପଡ଼ିଥିଲା। ଏନେଇ ରେଙ୍ଗାଲି ଥାନାରେ ମାମଲା ରୁଜୁ ହୋଇଥିଲା। ଥାନା ଅଧିକାରୀ ସମରେନ୍ଦ୍ର ନାୟକ ମାମଲାର ତଦନ୍ତ ଭାର ଗ୍ରହଣ କରି ଘଟଣାସ୍ଥଳର ନକ୍ସା ପ୍ରସ୍ତୁତ କରିବା ସହ ଚୋରି ସାମଗ୍ରୀ ଓ ଗାଡ଼ି ଜବତ କରିଥିଲେ। ଏଥିସହ ସାକ୍ଷୀମାନଙ୍କ ବୟାନ ରେକର୍ଡ କରି ଅଗଷ୍ଟ ୩୦ ତାରିଖରେ ଅଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲେ। ବିଚାର ପ୍ରକ୍ରିୟା ସମୟରେ ୧୦ ଜଣ ସାକ୍ଷୀଙ୍କ ବୟାନ ସହ ବିଭିନ୍ନ ଦସ୍ତାବିଜ୍ ଅଦାଲତରେ ଉପସ୍ଥାପନ କରାଯାଇଥିଲା। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ବିଚାରକୁ ନେଇ ଅଦାଲତ ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande