
ଝାରସୁଗୁଡା, ୧୯ ନଭେମ୍ବର (ହି.ସ.)- ଆଗାମୀ ସମ୍ଭାବ୍ୟ ବାତ୍ୟା ‘ଆକଭାନ୍’କୁ ଦୃଷ୍ଟିରେ ରଖି ଚାଷ ଜମିର ବାସ୍ତବ ସ୍ଥିତି ଓ ସମ୍ଭାବ୍ୟ ଫସଲ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ (ସିଡିଏଓ) ଜି. ଜୈନ ଆଜି ଲଖନପୁର ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ଫସଲ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଏହି ଅବସରରେ ବ୍ଲକ କୃଷି ଅଧିକାରୀ ଅମିତ କୁମାର ପଟେଲ, ସହକାରୀ ବୈଷୟିକ ପରିଚାଳକ ପ୍ରଶାନ୍ତ କୁମାର ସିଂହ ଓ କୃଷି ଅଧିଦର୍ଶକ ଭାସ୍କର ପ୍ରଧାନଙ୍କ ସହ ସେ ବାଦିମାଲ ଗ୍ରାମ ପଞ୍ଚାୟତର ବଡ଼ଧରା ଗ୍ରାମରେ ପହଞ୍ଚି ଧାନ ଫସଲର ବର୍ତ୍ତମାନ ସ୍ଥିତି ଯାଞ୍ଚ କରିଥିଲେ।
ସମ୍ଭାବ୍ୟ ବାତ୍ୟାର ପ୍ରଭାବରୁ ଫସଲକୁ ସୁରକ୍ଷା ଦେବା ନିମନ୍ତେ ଅମଳକ୍ଷମ ଧାନ ଫସଲକୁ ଆଗୁଆ ଅମଳ କରି ସୁରକ୍ଷିତ ସ୍ଥାନକୁ ନେବା ସହ ଚାଷ ଜମିରୁ ଅତିରିକ୍ତ ବର୍ଷାଜଳ ନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ସେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ବାତ୍ୟାଜନିତ ସମ୍ଭାବ୍ୟ ଫସଲ କ୍ଷୟକ୍ଷତିକୁ ହ୍ରାସ କରିବା ପାଇଁ ବିଭିନ୍ନ କୃଷିଭିତ୍ତିକ ବୈଷୟିକ ପରାମର୍ଶ ମଧ୍ୟ ପ୍ରଦାନ କରିଥିଲେ।
ପରବର୍ତ୍ତୀ ସମୟରେ ସିଡିଏଓ ଶ୍ରୀ ଜୈନ କତରବଗା ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କୃଷକ ପଞ୍ଜୀକରଣ ଶିବିରରେ ଯୋଗଦେଇ ପଞ୍ଜୀକରଣ କାର୍ଯ୍ୟର ସମୀକ୍ଷା କରିଥିଲେ। କୌଣସି ଯୋଗ୍ୟ ଚାଷୀ ଯେପରି ସରକାରୀ ଯୋଜନାର ସୁବିଧାରୁ ବଞ୍ଚିତ ନ ହୁଅନ୍ତି ଏବଂ ପଞ୍ଜୀକରଣ ପ୍ରକ୍ରିୟା ସୁଗମ ଓ ସଫଳତାର ସହ ସମ୍ପନ୍ନ ହୁଏ, ସେଥିପ୍ରତି ଯତ୍ନବାନ ହେବାକୁ ସେ ସମ୍ପୃକ୍ତ କୃଷି କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ