ଦିଲ୍ଲୀ-ଏନ୍ସିଆରରେ ବାୟୁ ପ୍ରଦୂଷଣ: ନଗର ନିଗମଗୁଡ଼ିକୁ ଜିରୋ ଟଲରେନ୍ସ ନୀତି ଆପଣାଇବାକୁ ନିର୍ଦ୍ଦେଶ
ପ୍ରତ୍ୟେକ ୱାର୍ଡରେ ଗଠନ ହେବ ତ୍ୱରିତ ପ୍ରତିକ୍ରିୟା ଟିମ୍ ନୂଆଦିଲ୍ଲୀ, ୧୯ ନଭେମ୍ବର (ହି.ସ.)- ଦିଲ୍ଲୀ-ଏନ୍ସିଆରରେ ବାୟୁ ପ୍ରଦୂଷଣ ଉପରେ ପ୍ରଭାବଶାଳୀ ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ନଗର ନିଗମଗୁଡ଼ିକୁ ଜିରୋ ଟଲରେନ୍ସ ନୀତି ଆପଣାଇବା
के अंताल्या से वर्चुअल माध्यम से दिल्ली, गाजियाबाद, नोएडा, गुरुग्राम और फरीदाबाद के नगर निकायों के साथ समीक्षा बैठक करते हुए


ପ୍ରତ୍ୟେକ ୱାର୍ଡରେ ଗଠନ ହେବ ତ୍ୱରିତ ପ୍ରତିକ୍ରିୟା ଟିମ୍

ନୂଆଦିଲ୍ଲୀ, ୧୯ ନଭେମ୍ବର (ହି.ସ.)- ଦିଲ୍ଲୀ-ଏନ୍ସିଆରରେ ବାୟୁ ପ୍ରଦୂଷଣ ଉପରେ ପ୍ରଭାବଶାଳୀ ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ନଗର ନିଗମଗୁଡ଼ିକୁ ଜିରୋ ଟଲରେନ୍ସ ନୀତି ଆପଣାଇବା ସହ ପ୍ରଦୂଷଣ ସମ୍ପର୍କିତ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ଶୀତ ଋତୁରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କେବଳ ଯୋଜନା ପ୍ରସ୍ତୁତ କରିବା ଯଥେଷ୍ଟ ନୁହେଁ, ବରଂ ପ୍ରତିଦିନ ତୃଣମୂଳ ସ୍ତରରେ ଏହାର ପ୍ରଭାବଶାଳୀ କାର୍ଯ୍ୟକାରିତା ଦେଖାଯିବା ଆବଶ୍ୟକ। ଏଥିପାଇଁ ଦୈନିକ ତଦାରଖ, ୱାର୍ଡସ୍ତରୀୟ ଅଧିକାରୀଙ୍କ ଉତରଦାୟିତ୍ୱ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବାକୁ ସେ କହିଛନ୍ତି।

ଭୂପେନ୍ଦ୍ର ଯାଦବ ଗୁରୁବାର ତୁର୍କୀର ଅନ୍ତାଲ୍ୟାରୁ ଭର୍ଚୁଆଲ୍ ମାଧ୍ୟମରେ ଦିଲ୍ଲୀ, ଗାଜିଆବାଦ, ନୋଏଡା, ଗୁରୁଗ୍ରାମ ଏବଂ ଫରିଦାବାଦର ନଗର ନିଗମଗୁଡ଼ିକ ସହ ସମୀକ୍ଷା ବୈଠକ କରିଥିଲେ। ଏଥିରେ ଦିଲ୍ଲୀ-ଏନ୍ସିଆରର ବିଭିନ୍ନ ସହରର ଶୀତକାଳୀନ କାର୍ଯ୍ୟଯୋଜନା ଏବଂ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରାଯାଇଥିଲା। ବୈଠକରେ କେନ୍ଦ୍ରୀୟ ପରିବେଶ ରାଷ୍ଟ୍ରମନ୍ତ୍ରୀ କୀର୍ତିବର୍ଦ୍ଧନ ସିଂହ, ପରିବେଶ ମନ୍ତ୍ରଣାଳୟର ସଚିବ ନରେନ୍ଦ୍ର ଭୂଷଣ, ବାୟୁ ଗୁଣବତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍)ର ଅଧ୍ୟକ୍ଷ ରାଜେଶ ବର୍ମା, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ଅଧ୍ୟକ୍ଷ ଡ. ଅମନଦୀପ ଗର୍ଗଙ୍କ ସମେତ ବିଭିନ୍ନ ନଗର ନିଗମର ମେୟର, କମିଶନର ଏବଂ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।

ଆବର୍ଜନା ଓ ଶୁଖିଲା ପତ୍ର ଜାଳିଲେ ହେବ କାର୍ଯ୍ୟାନୁଷ୍ଠାନ

କେନ୍ଦ୍ରମନ୍ତ୍ରୀ ନଗର ନିଗମଗୁଡ଼ିକୁ ଖୋଲା ସ୍ଥାନରେ ନଗର ନିଗମର ଆବର୍ଜନା, ଶୁଖିଲା ପତ୍ର ଏବଂ ବାୟୋମାସ୍ ଜାଳିବା ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ମିଳିବାର କିଛି ଘଂଟା ମଧ୍ୟରେ ଯେପରି ପଦକ୍ଷେପ ନିଆଯାଇପାରିବ, ସେଥିପାଇଁ ପ୍ରତ୍ୟେକ ୱାର୍ଡରେ ତ୍ୱରିତ ପ୍ରତିକ୍ରିୟା ଟିମ୍ ଗଠନ କରିବାକୁ ସେ କହିଥିଲେ। ଏଥିସହିତ ଅବହେଳା କରୁଥିବା ଅଧିକାରୀଙ୍କ ଉତରଦାୟିତ୍ୱ ସ୍ଥିର କରିବା ଉପରେ ମଧ୍ୟ ଜୋର ଦେଇଥିଲେ।

ସେ ପ୍ରତିଦିନ ସୃଷ୍ଟି ହେଉଥିବା ଆବର୍ଜନାର ସମ୍ପୂର୍ଣ୍ଣ ନିଷ୍କାସନ ସୁନିଶ୍ଚିତ କରିବା ସହ ପୁରୁଣା ଆବର୍ଜନା ପାହାଡ଼ଗୁଡ଼ିକୁ ହଟାଇବା କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ୱରାନ୍ୱିତ କରିବାକୁ କହିଥିଲେ। ବିଶେଷ କରି ଭାଲସ୍ୱା ଏବଂ ଓଖଲା ଲ୍ୟାଣ୍ଡଫିଲ୍ ସାଇଟ୍ରେ ପୁରୁଣା ଆବର୍ଜନା ନିଷ୍କାସନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମେୟରମାନଙ୍କୁ ନିୟମିତ ଭାବେ ୱାର୍ଡସ୍ତରରେ ସମୀକ୍ଷା ବୈଠକ କରିବା ଏବଂ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ନୋଡାଲ୍ ଅଧିକାରୀଙ୍କ ସହ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ଗ୍ରୁପ୍ ଗଠନ କରିବାକୁ ମଧ୍ୟ କହିଥିଲେ।

ରାସ୍ତାର ଧୂଳି ରୋକିବାକୁ ମେସିନ୍ ମୁତୟନ ବଢ଼ିବ

ରାସ୍ତାର ଧୂଳିକୁ ପ୍ରଦୂଷଣର ଏକ ପ୍ରମୁଖ କାରଣ ବୋଲି ଦର୍ଶାଇ ଯାଦବ ରାସ୍ତା ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ମେକାନିକାଲ୍ ରୋଡ୍ ସ୍ୱିପିଂ ମେସିନ୍ର କ୍ଷମତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶୀତ ଋତୁରେ ଏହି ମେସିନ୍ଗୁଡ଼ିକୁ ଦୁଇଟି ସିଫ୍ଟରେ ଚଳାଇବା ଏବଂ ସେଗୁଡ଼ିକର ପୂର୍ଣ୍ଣ କ୍ଷମତାରେ ବ୍ୟବହାର ସୁନିଶ୍ଚିତ କରିବାକୁ ସେ କହିଥିଲେ। ଜିପିଏସ୍ ଏବଂ ଇଂଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଂଟ୍ରୋଲ୍ ସେଂଟର (ଆଇସିସିସି) ମାଧ୍ୟମରେ ମେସିନ୍ଗୁଡ଼ିକର ତଦାରଖ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ମନ୍ତ୍ରୀ ରାସ୍ତାକଡ଼ରେ ଜମା ହେଉଥିବା ଧୂଳି, ପଙ୍କ ଏବଂ ନିର୍ମାଣଜନିତ ଆବର୍ଜନାକୁ ପ୍ରତିଦିନ ହଟାଇବା ଉପରେ ର୍ଜୋ ଦେଇଥିଲେ। ଗୁରୁଗ୍ରାମରେ ରାସ୍ତା ବିକାଶ ଏବଂ ଧୂଳି ନିୟନ୍ତ୍ରଣ ପାଇଁ ପୂର୍ବରୁ ଯୋଜନା ପ୍ରସ୍ତୁତ କରିବା ସହ ଖାଲି ସ୍ଥାନଗୁଡ଼ିକରେ ସବୁଜିମା ସୃଷ୍ଟି କରିବାକୁ କହିଥିଲେ। ଏହାଦ୍ୱାରା ପିଏମ୍-୧୦ ପ୍ରଦୂଷଣ ହ୍ରାସ କରାଯାଇପାରିବ।

ନିର୍ମାଣ ସ୍ଥଳରେ ଧୂଳି ଦେଖାଗଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ନିର୍ମାଣ ଏବଂ ଭଙ୍ଗାଭଙ୍ଗି (ସି ଆଣ୍ଡ ଡି) ସ୍ଥଳରେ ଧୂଳି ନିୟନ୍ତ୍ରଣ ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରାଇବାକୁ ନିର୍ଦ୍ଦେଶ ଦେବା ସହ ଚକା ଧୋଇବା ସୁବିଧା ଆରମ୍ଭ କରିବା ଏବଂ ନିୟମିତ ଯାଂଚ କରିବାକୁ ସେ କହିଥିଲେ। ଗୁରୁତର ଭାବେ ନିୟମ ଉଲ୍ଲଂଘନ କରୁଥିବା ନିର୍ମାଣ ସ୍ଥଳଗୁଡ଼ିକୁ ବନ୍ଦ କରିବା ଭଳି ପଦକ୍ଷେପ ମଧ୍ୟ ନିଆଯିବ। ନିର୍ମାଣ ସ୍ଥଳ ଏବଂ ଏହାର ଆଖପାଖରେ ଧୂଳି ଦେଖାଯିବା ଉଚିତ ନୁହେଁ ବୋଲି ସେ ସ୍ପଷ୍ଟ କରିଥିଲେ।

ଏହାବ୍ୟତୀତ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏବଂ ଅଧିକ ପରିମାଣର ଆବର୍ଜନା ସୃଷ୍ଟି କରୁଥିବା ସଂସ୍ଥାଗୁଡ଼ିକୁ ସକ୍ରିୟ ଭାବେ ଚିହ୍ନଟ କରିବାକୁ ମଧ୍ୟ କୁହାଯାଇଥିଲା।

ପ୍ରଦୂଷଣ ହଟ୍ସ୍ପଟ୍ ଓ ଗ୍ରାପ୍ ଉପରେ ମଧ୍ୟ ରହିବ ନଜର

ପ୍ରଦୂଷଣ ହଟ୍ସ୍ପଟ୍ଗୁଡ଼ିକର ନିୟନ୍ତ୍ରଣ ଏବଂ ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ୍ ପ୍ଲାନ୍ (ଗ୍ରାପ୍)ର କାର୍ଯ୍ୟକାରିତା ସମୀକ୍ଷା କରି ମନ୍ତ୍ରୀ ପ୍ରତ୍ୟେକ ହଟ୍ସ୍ପଟ୍ ପାଇଁ ପୃଥକ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ଏବଂ ସ୍ୱତନ୍ତ୍ର ନୋଡାଲ୍ ଅଧିକାରୀ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ଗ୍ରାପ୍ର ଯେଉଁ ପର୍ଯ୍ୟାୟ ଅନୁଯାୟୀ ଯେଉଁ କଟକଣା ଓ ପଦକ୍ଷେପ ଲାଗୁ ହୋଇଛି, ସେଗୁଡ଼ିକୁ କୌଣସି ପ୍ରକାର ଛାଡ଼ ନଦେଇ କଡ଼ାକଡ଼ି ଭାବେ ପାଳନ କରାଇବାକୁ ହେବ।

ସେ ଜିଲ୍ଲାପାଳମାନଙ୍କୁ ନଗର ନିଗମଗୁଡ଼ିକର କାର୍ଯ୍ୟଦକ୍ଷତାର ନିୟମିତ ସମୀକ୍ଷା କରିବା ଏବଂ ଦୁର୍ବଳ ପ୍ରଦର୍ଶନ କରୁଥିବା ନିଗମଗୁଡ଼ିକ ବିରୋଧରେ ସଂଶୋଧନମୂଳକ ପଦକ୍ଷେପ ନେବାକୁ କହିଥିଲେ। ଏଥିସହିତ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ, ଆବାସନ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ, ସିଏକ୍ୟୁଏମ୍ ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ନଗର ନିଗମଗୁଡ଼ିକର କାର୍ଯ୍ୟର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande