
ଇସଲାମାବାଦ (ପାକିସ୍ତାନ), ୧୯ ନଭେମ୍ବର (ହି.ସ.)। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜରଦାରୀ ନୂତନ ପ୍ରଦେଶ ଗଠନ ପ୍ରସଙ୍ଗରେ ସରକାରଙ୍କୁ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି। 'ସତ କହିବା' କାରଣରୁ ସରକାର ତାଙ୍କୁ ଟାର୍ଗେଟ କରୁଥିବା ସେ ଅଭିଯୋଗ କରିଛନ୍ତି। ସିନ୍ଧ ପ୍ରଦେଶକୁ ଜବରଦସ୍ତି ବିଭାଜନ କରାଗଲେ ଅଶାନ୍ତି ସୃଷ୍ଟି ହୋଇପାରେ ବୋଲି ପିପିପି ଅଧ୍ୟକ୍ଷ ଚେତାବନୀ ଦେଇଛନ୍ତି। ଏଥିସହ ବିରୋଧୀ ଦଳଗୁଡ଼ିକୁ ସଂରକ୍ଷିତ ଆସନ ଫେରାଇବା ପାଇଁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି।
'ଦି ନ୍ୟୁଜ୍' ଏବଂ 'ଡନ୍'ର ରିପୋର୍ଟ ଅନୁଯାୟୀ, ବୁଧବାର ରାତିରେ ବିଲାୱଲ କହିଛନ୍ତି ଯେ ସେ ସିନ୍ଧ ପ୍ରଦେଶର ବିଭାଜନ ସପକ୍ଷରେ ନାହାନ୍ତି। ଏହି ପ୍ରସଙ୍ଗରେ ତାଙ୍କୁ ସମାଲୋଚନା କରିଥିବା କେନ୍ଦ୍ରୀୟ ମନ୍ତ୍ରୀମାନଙ୍କୁ ସେ କଡ଼ା ଜବାବ ଦେଇଛନ୍ତି। ବିଲାୱଲ କହିଛନ୍ତି, ମନେ ହେଉଛି, ସତ କହିବା କାରଣରୁ କେନ୍ଦ୍ରୀୟ ମନ୍ତ୍ରୀମାନେ ମୋ ସହ ବିବାଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ହେଉଛି ଯେ ସେମାନେ ସମାଲୋଚନା ସହ୍ୟ କରିବାକୁ ପ୍ରସ୍ତୁତ ନୁହନ୍ତି।
ପିପିପି ଅଧ୍ୟକ୍ଷ ପ୍ରଶ୍ନ ଉଠାଇଛନ୍ତି ଯେ ଯଦି ରାଜନେତାମାନେ ତାଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି, ତେବେ ସାଧାରଣ ନାଗରିକମାନେ ସରକାରଙ୍କଠାରୁ ନିଜ ମତ ଶୁଣାଯିବାର ଆଶା କିପରି କରିବେ? ସିନ୍ଧ ପ୍ରଦେଶର ପ୍ରସ୍ତାବିତ ବିଭାଜନକୁ ବିଲାୱଲଙ୍କ ବିରୋଧକୁ କେନ୍ଦ୍ରୀୟ ମନ୍ତ୍ରୀମାନେ କଡ଼ା ସମାଲୋଚନା କରିଛନ୍ତି। ଉତ୍ତମ ଶାସନ ପାଇଁ ଛୋଟ ଛୋଟ ପ୍ରଦେଶ ଗଠନ ଜରୁରୀ ଏବଂ ଜନମତକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେମାନଙ୍କ ଯୁକ୍ତି।
ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି ଯେ ଜନସାଧାରଣଙ୍କ ସମର୍ଥନ ବିନା କୌଣସି ରାଜନୈତିକ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇପାରିବ ନାହିଁ। ସେହିପରି କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁସ୍ତଫା କମାଲ ଛୋଟ ପ୍ରଦେଶ ଗଠନକୁ ଅନିବାର୍ଯ୍ୟ ବୋଲି କହିବା ସହ ଏହା ବିନା ଦେଶ ସଠିକ୍ ଭାବେ ପରିଚାଳିତ ହୋଇପାରିବ ନାହିଁ ବୋଲି ମତ ଦେଇଛନ୍ତି। ତଲାଲ ଚୌଧୁରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ବିଲାୱଲଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା