ଦୁର୍ଘଟଣାକୁ ଅପେକ୍ଷା କରିଛି ରାସ୍ତାକଡ଼ର ଭଙ୍ଗା ଲୌହ ଖମ୍ବ, ପ୍ରଶାସନର ନିଷ୍କ୍ରିୟତାକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ
Broken Iron Pillar Poses Accident Risk to Commuters.
ଦୁର୍ଘଟଣାକୁ ଅପେକ୍ଷା କରିଛି ରାସ୍ତାକଡ଼ର ଭଙ୍ଗା ଲୌହ ଖମ୍ବ, ପ୍ରଶାସନର ନିଷ୍କ୍ରିୟତାକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ


ଝାରସୁଗୁଡ଼ା, ୧୯ ନଭେମ୍ବର (ହି.ସ.): ଶିଳ୍ପାଞ୍ଚଳରୁ ପଞ୍ଚପଡ଼ାକୁ ସଂଯୋଗ କରୁଥିବା ବ୍ୟସ୍ତବହୁଳ ରାସ୍ତାରେ ଏବେ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ଏକ ଭଙ୍ଗା ଲୌହ ଖମ୍ବ। କାପୁମାଲ ଶିଳ୍ପାଞ୍ଚଳ ନିକଟସ୍ଥ ରେଳବ୍ରିଜ୍ ପାଖରେ ରାସ୍ତାକୁ ଲାଗି ରହିଥିବା ଏହି ଲୁହା ଖମ୍ବ ଯାତାୟାତ ପାଇଁ ବିପଦ ସୃଷ୍ଟି କରୁଛି। ଖମ୍ବର ଉପରିଭାଗ ଭାଙ୍ଗି ତଳେ ପଡ଼ିଥିବା ବେଳେ ଏହାର ଅନ୍ୟ ଅଂଶ ରାସ୍ତାକଡ଼ରେ ବିପଜ୍ଜନକ ଭାବେ ଛିଡ଼ା ହୋଇ ରହିଛି।

ବିଶେଷକରି ରାତ୍ରି ସମୟରେ ଏହି ଖମ୍ବ ଯାନବାହନ ଚାଳକଙ୍କ ପାଇଁ ଦୁର୍ଘଟଣାର କାରଣ ହୋଇପାରେ। ରାସ୍ତାଟି ଅଣଓସାରିଆ ହୋଇଥିବାରୁ ଗାଡ଼ି ଚଳାଚଳ ସମୟରେ ଖମ୍ବରେ ଧକ୍କା ଲାଗି ବଡ଼ ଅଘଟଣ ଘଟିବାର ଆଶଙ୍କା ରହିଛି। ଏହି ରାସ୍ତା ଦେଇ ପ୍ରତିଦିନ ବହୁ ସଂଖ୍ୟକ ଯାନବାହନ ଯାତାୟାତ କରୁଥିବାରୁ ସମସ୍ୟାଟି ଗୁରୁତର ରୂପ ନେଇଛି।

ଉଲ୍ଲେଖଯୋଗ୍ୟ ଯେ, ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତାରେ ରେଳବ୍ରିଜ୍ ପୂର୍ବରୁ ଭାରୀଯାନ ଚଳାଚଳ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ବହୁ ବର୍ଷ ପୂର୍ବେ ରେଳ ବିଭାଗ ପକ୍ଷରୁ ଏକ ଲୌହ ଗେଟ୍ ଲଗାଯାଇଥିଲା। ତେବେ ଏହା ଭାଙ୍ଗିଯିବା ପରେ ଏବେ ଅଦରକାରୀ ଅବସ୍ଥାରେ ରହିଥିଲେ ମଧ୍ୟ ଏହାକୁ ହଟାଇବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ।

ଏହି ରାସ୍ତାରେ ବହୁ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରହିଥିବାରୁ ଦୈନିକ ଶହ ଶହ ଲୋକ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଏଭଳି ସ୍ଥିତିରେ ବିପଦସଙ୍କୁଳ ଲୌହ ଖମ୍ବ ରହିବା ଯାତାୟାତକାରୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହି ଖମ୍ବକୁ ହଟାଇବା ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରୁଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବାରୁ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ଯେକୌଣସି ସମୟରେ ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ରେଳ ବିଭାଗ ତୁରନ୍ତ ହସ୍ତକ୍ଷେପ କରି ଏହି ଅଦରକାରୀ ଲୌହ ଖମ୍ବକୁ ହଟାଇବା ସହ ରାସ୍ତାକୁ ଯାତାୟାତ ପାଇଁ ସୁରକ୍ଷିତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande