ହୋଲସେଲ୍ ବ୍ୟବସାୟୀଙ୍କୁ ନେବାକୁ ପଡ଼ିବ ପୃଥକ ଲାଇସେନ୍ସ, ଆଂଟିମାଇକ୍ରୋବିଆଲ୍ ରେଜିଷ୍ଟାନ୍ସ ଓ ଏନ୍ଡିପିଏସ୍ ଔଷଧ ବିକ୍ରି ଉପରେ ମଧ୍ୟ ରହିବ ନଜର
ନୂଆଦିଲ୍ଲୀ, ୧୯ ନଭେମ୍ବର (ହି.ସ.)- କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ହୋଲସେଲ୍ରେ ବିକ୍ରି ହେଉଥିବା ଔଷଧ (ସକ୍ରିୟ ଓ ନିଷ୍କ୍ରିୟ ଔଷଧୀୟ ପଦାର୍ଥ) ପାଇଁ ପୃଥକ ଲାଇସେନ୍ସ ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ଡ୍ରଗ୍ସ ରୁଲ୍ସ
स्वास्थ्य मंत्रालय का लोगो


ନୂଆଦିଲ୍ଲୀ, ୧୯ ନଭେମ୍ବର (ହି.ସ.)- କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ହୋଲସେଲ୍ରେ ବିକ୍ରି ହେଉଥିବା ଔଷଧ (ସକ୍ରିୟ ଓ ନିଷ୍କ୍ରିୟ ଔଷଧୀୟ ପଦାର୍ଥ) ପାଇଁ ପୃଥକ ଲାଇସେନ୍ସ ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ଡ୍ରଗ୍ସ ରୁଲ୍ସ, ୧୯୪୫ରେ ସଂଶୋଧନ ପାଇଁ ଏକ ଚିଠା ପ୍ରକାଶ କରାଯାଇଛି। ପ୍ରସ୍ତାବିତ ପରିବର୍ତନ ଲାଗୁ ହେବା ପରେ ବଲ୍କ ଔଷଧର ହୋଲସେଲ୍ ବ୍ୟବସାୟ ପାଇଁ ପୃଥକ ଆବେଦନ ଏବଂ ଲାଇସେନ୍ସ ନେବା ବାଧ୍ୟତାମୂଳକ ହେବ। ଔଷଧ ଯୋଗାଣ ଶୃଙ୍ଖଳରେ ଉତରଦାୟିତ୍ୱ ବୃଦ୍ଧି କରିବା ଏବଂ ଏହାର ବଂଟନ ଉପରେ ନିୟାମକ ନିୟନ୍ତ୍ରଣକୁ ମଜଭୁତ କରିବା ଏହାର ଉଦ୍ଦେଶ୍ୟ।

ମନ୍ତ୍ରଣାଳୟ ପକ୍ଷରୁ ନଭେମ୍ବର ୨ ତାରିଖରେ ଜାରି ଚିଠା ଗେଜେଟ୍ ବିଜ୍ଞପ୍ତି ସଂଖ୍ୟା ଜିଏସ୍ଆର୯୮୭ (ଇ) ଅନୁଯାୟୀ, ନୂତନ ଆବେଦନ ଫର୍ମ-୧୯-ବିସି ଏବଂ ଲାଇସେନ୍ସ ଫର୍ମ-୨୦-ବିସି ଆରମ୍ଭ କରିବାକୁ ପ୍ରସ୍ତାବ ରହିଛି। ବର୍ତମାନର ବ୍ୟବସ୍ଥାରେ ଗୋଟିଏ ଲାଇସେନ୍ସ ଅଧୀନରେ ଔଷଧର ଫର୍ମୁଲେସନ୍ ଏବଂ ବଲ୍କ ଡ୍ରଗ୍ସ ଉଭୟର ହୋଲସେଲ୍ ବିକ୍ରିକୁ ଅନୁମତି ମିଳୁଛି। କିନ୍ତୁ ନୂଆ ବ୍ୟବସ୍ଥାରେ ଏହି ଦୁଇଟି ପାଇଁ ପୃଥକ ପୃଥକ ଲାଇସେନ୍ସ ବ୍ୟବସ୍ଥା ରହିବ।

ପ୍ରସ୍ତାବିତ ବ୍ୟବସ୍ଥା ଅନୁଯାୟୀ, ହୋଲସେଲ୍ ବ୍ୟବସାୟୀମାନଙ୍କୁ ସେମାନଙ୍କ ଲାଇସେନ୍ସରେ କେଉଁ କେଉଁ ବର୍ଗର ବଲ୍କ ଔଷଧର ବ୍ୟବସାୟ କରୁଛନ୍ତି, ତାହା ଉଲ୍ଲେଖ କରିବାକୁ ପଡ଼ିବ। ଏଥିରେ ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବ୍ଷ୍ଟାନ୍ସ (ଏନ୍ଡିପିଏସ୍) ଆଇନ, ୧୯୮୫ ଅଧୀନରେ ଆସୁଥିବା ଔଷଧଗୁଡ଼ିକ ମଧ୍ୟ ସାମିଲ ହେବ। ଏହାବ୍ୟତୀତ ବଲ୍କ ଔଷଧର ବିକ୍ରି ଓ ବଂଟନ ଜଣେ ଯୋଗ୍ୟ ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ତଦାରଖରେ କରିବାକୁ ପଡ଼ିବ। ଏହାଦ୍ୱାରା ଔଷଧର ରକ୍ଷଣାବେକ୍ଷଣ ଏବଂ ବଂଟନ ପାଇଁ ଦାୟିତ୍ୱ ସ୍ଥିର କରିବାରେ ସହାୟତା ମିଳିବ।

ମନ୍ତ୍ରଣାଳୟର ମତରେ, ପୃଥକ ଲାଇସେନ୍ସ ବ୍ୟବସ୍ଥା ଦ୍ୱାରା ବଲ୍କ ଔଷଧର ହୋଲସେଲ୍ ବିକ୍ରି ଉପରେ ଉତମ ନିୟନ୍ତ୍ରଣ ସ୍ଥାପନ ହୋଇପାରିବ। ଏଥିସହିତ ଆଂଟିମାଇକ୍ରୋବିଆଲ୍ ରେଜିଷ୍ଟାନ୍ସ ଅର୍ଥାତ୍ ରୋଗାଣୁରୋଧୀ ଔଷଧ ପ୍ରତି ଜୀବାଣୁଙ୍କ ପ୍ରତିରୋଧକ କ୍ଷମତା ବୃଦ୍ଧି ସମସ୍ୟାର ମୁକାବିଲା କରିବା ସହ ଏନ୍ଡିପିଏସ୍ ଆଇନ ଅଧୀନରେ ଆସୁଥିବା ଔଷଧଗୁଡ଼ିକର ଯୋଗାଣ ଓ ପରିବହନ ଉପରେ ନଜରଦାରିକୁ ମଜଭୁତ କରାଯାଇପାରିବ।

ଏହି ପ୍ରସ୍ତାବକୁ ୨୦୨୫ ନଭେମ୍ବର ୧୭ ତାରିଖରେ ଅନୁଷ୍ଠିତ ଔଷଧ ପରାମର୍ଶଦାତା କମିଟି (ଡିସିସି)ର ୬୭ତମ ବୈଠକରେ ପୂର୍ବରୁ ସହମତି ମିଳିଥିଲା। ଏହାପରେ ୨୦୨୬ ଫେବ୍ରୁଆରି ୧୬ ତାରିଖରେ ଅନୁଷ୍ଠିତ ଔଷଧ ବୈଷୟିକ ପରାମର୍ଶଦାତା ବୋର୍ଡ (ଡିଟିଏବି)ର ୯୩ତମ ବୈଠକରେ ମଧ୍ୟ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା।

ବର୍ତମାନର ଲାଇସେନ୍ସଧାରୀମାନଙ୍କୁ ନୂଆ ବ୍ୟବସ୍ଥା ଅନୁଯାୟୀ ପରିବର୍ତନ କରିବା ପାଇଁ ମନ୍ତ୍ରଣାଳୟ ପର୍ଯ୍ୟାପ୍ତ ସମୟ ଦେବାର ବ୍ୟବସ୍ଥା ମଧ୍ୟ କରିଛି। ସେମାନଙ୍କ କ୍ଷେତ୍ରରେ ନୂଆ ନିୟମ ବର୍ତମାନର ଲାଇସେନ୍ସର ନବୀକରଣ ଅବଧି ଶେଷ ହେବା କିମ୍ବା ସଂଶୋଧନର ଚୂଡ଼ାନ୍ତ ପ୍ରକାଶନର ୧୨ ମାସ ପରେ, ଏହି ଦୁଇଟି ମଧ୍ୟରୁ ଯେଉଁ ଅବଧି ପରେ ଶେଷ ହେବ, ସେହି ସମୟରୁ ଲାଗୁ ହେବ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଚିଠା ନିୟମ ଉପରେ ସାଧାରଣ ଜନତା ଏବଂ ସମ୍ପୃକ୍ତ ପକ୍ଷଙ୍କଠାରୁ ଆପତି ଓ ପରାମର୍ଶ ଆମନ୍ତ୍ରଣ କରିଛି। ଇଚ୍ଛୁକ ବ୍ୟକ୍ତିମାନେ ଗେଜେଟ୍ରେ ଚିଠା ନିୟମ ପ୍ରକାଶ ପାଇଥିବା ତାରିଖଠାରୁ ୩୦ ଦିନ ମଧ୍ୟରେ ନିଜର ପରାମର୍ଶ ପଠାଇପାରିବେ।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande