ଯାତ୍ରୀଙ୍କ ପାଇଁ ନିର୍ମିତ ଅସ୍ଥାୟୀ ପ୍ରତୀକ୍ଷାଳୟରେ ଗୋରୁଙ୍କ ଆଡ୍ଡା, ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ
Cattle-Occupy-Temporary-Passenger-Waiting-Hall-JHS
ଯାତ୍ରୀଙ୍କ ପାଇଁ ନିର୍ମିତ ଅସ୍ଥାୟୀ ପ୍ରତୀକ୍ଷାଳୟରେ ଗୋରୁଙ୍କ ଆଡ୍ଡା, ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ


ଝାରସୁଗୁଡ଼ା, ୧୯ ନଭେମ୍ବର (ହି.ସ.)- ଝାରସୁଗୁଡ଼ା ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ଜାରି ରହିଛି। ଏହି ନିର୍ମାଣ କାର୍ଯ୍ୟ ଯୋଗୁଁ ଯାତ୍ରୀମାନଙ୍କ ଯାତାୟାତ ଓ ଅପେକ୍ଷା ସମୟରେ ବିଶ୍ରାମକୁ ସୁବିଧାଜନକ କରିବା ପାଇଁ ଷ୍ଟେସନ ବାହାରେ ଟେଣ୍ଟ ମାଧ୍ୟମରେ ଏକ ଅସ୍ଥାୟୀ ପ୍ରତୀକ୍ଷାଳୟ ନିର୍ମାଣ କରାଯାଇଛି। ଯାତ୍ରୀମାନଙ୍କ ବସିବା ପାଇଁ ସେଠାରେ ଚୌକିର ବ୍ୟବସ୍ଥା ମଧ୍ୟ ହୋଇଛି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ସୁରକ୍ଷା ବ୍ୟବସ୍ଥା ଅଭାବରୁ ଏହି ପ୍ରତୀକ୍ଷାଳୟ ଏବେ ଯାତ୍ରୀଙ୍କ ବଦଳରେ ଗାଈଗୋରୁଙ୍କ ଆଡ୍ଡାସ୍ଥଳୀ ପାଲଟିଛି।

ଅଭିଯୋଗ ଅନୁଯାୟୀ, ଅସ୍ଥାୟୀ ପ୍ରତୀକ୍ଷାଳୟରେ କୌଣସି ସୁରକ୍ଷା କର୍ମଚାରୀ ନିୟୋଜିତ ନଥିବାରୁ ଗାଈଗୋରୁମାନେ ସହଜରେ ଭିତରକୁ ପଶି ଆସୁଛନ୍ତି। ଫଳରେ ସେଠାରେ ମଳମୂତ୍ର ତ୍ୟାଗ କରି ପରିବେଶକୁ ଅପରିଷ୍କାର କରୁଛନ୍ତି। ଯାତ୍ରୀଙ୍କ ବସିବା ପାଇଁ ରଖାଯାଇଥିବା ଚୌକିଗୁଡ଼ିକ ଥିଲେ ମଧ୍ୟ ଅପରିଷ୍କାର ପରିବେଶ ଯୋଗୁଁ ଯାତ୍ରୀମାନେ ସେଠାରେ ବସିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଫଳରେ ଯେଉଁ ଉଦ୍ଦେଶ୍ୟରେ ଏହି ପ୍ରତୀକ୍ଷାଳୟ ନିର୍ମାଣ କରାଯାଇଥିଲା, ତାହା ଏବେ ବ୍ୟର୍ଥ ହେବାକୁ ବସିଛି।

ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ରେଳ ଷ୍ଟେସନ ଏକ ପ୍ରମୁଖ ରେଳ ଜଙ୍କସନ ହୋଇଥିବାରୁ ଏଠାକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ସଂଖ୍ୟକ ଯାତ୍ରୀ ଯାତାୟାତ କରିଥାନ୍ତି। ବିଭିନ୍ନ ଦୂରଗାମୀ ଟ୍ରେନ୍ ଧରିବା ପାଇଁ ଅନେକ ଯାତ୍ରୀ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଷ୍ଟେସନରେ ପହଞ୍ଚିଥାନ୍ତି। ସେହିପରି ଟ୍ରେନ୍ ବିଳମ୍ବ ହେଲେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଥାଏ। ଏଭଳି ସମୟରେ ଯାତ୍ରୀମାନେ ବିଶ୍ରାମ ନେବା ଓ ବସି ରହିବା ପାଇଁ ପ୍ରତୀକ୍ଷାଳୟ ଉପରେ ନିର୍ଭର କରିଥାନ୍ତି। କିନ୍ତୁ, ବର୍ତ୍ତମାନ ଅସ୍ଥାୟୀ ପ୍ରତୀକ୍ଷାଳୟର ଏଭଳି ଦୁରାବସ୍ଥା ଯୋଗୁଁ ବିଶେଷ କରି ମହିଳା, ବୟସ୍କ ବ୍ୟକ୍ତି, ଶିଶୁ ଓ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅପରିଷ୍କାର ପରିବେଶ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ଓ ସଂକ୍ରମଣର ଆଶଙ୍କା ମଧ୍ୟ ରହିଛି। ଯାତ୍ରୀଙ୍କ ସୁବିଧା ପାଇଁ ହୋଇଥିବା ବ୍ୟବସ୍ଥା ଯଦି ଯାତ୍ରୀଙ୍କ କାମରେ ନ ଆସେ, ତେବେ ଏହାର ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।

ତେଣୁ ରେଳବାଇ କର୍ତ୍ତୃପକ୍ଷ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ଅସ୍ଥାୟୀ ପ୍ରତୀକ୍ଷାଳୟର ଚାରିପାଖରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବା, ଗାଈଗୋରୁଙ୍କ ପ୍ରବେଶ ରୋକିବା, ନିୟମିତ ସଫେଇ କରିବା ଏବଂ ଆବଶ୍ୟକ ସ୍ଥଳେ ସୁରକ୍ଷା କର୍ମଚାରୀ ନିୟୋଜିତ କରିବାକୁ ଜନସାଧାରଣ ଦାବି କରିଛନ୍ତି। ଷ୍ଟେସନର ଆଧୁନିକୀକରଣ ସହ ଯାତ୍ରୀଙ୍କ ମୌଳିକ ସୁବିଧା ଓ ସ୍ୱଚ୍ଛତା ପ୍ରତି ମଧ୍ୟ ସମାନ ଗୁରୁତ୍ୱ ଦେବାକୁ ଦାବି ହୋଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande