
ସମ୍ବଲପୁର, ୧୯ ନଭେମ୍ବର(ହି.ସ.) – ସମ୍ବଲପୁର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ(ଜେଏମ୍ଏଫସି ଏଲ.ଆର ଏବଂ ଏଲ.ଟି.ଭି) ଅଦାଲତ ଏକ ଠକେଇ ମାମଲାରେ ସମ୍ପୃକ୍ତା ଅଭିଯୁକ୍ତା ହେମଲତା ନାଏକ ଓରଫ ସୁଶ୍ରୀ ହେମଲତା ନାୟକକୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ସରଳ କାରାଦଣ୍ଡ ଏବଂ ୩୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅର୍ଥ ଅନାଦେୟ ଅତିରିକ୍ତ ୩ ମାସ ସରଳ କାରାଦଣ୍ଡ ଭୋଗିବାକୁ କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ବିଚାରପତି ବ୍ରଜେଶ ମିଶ୍ର ଆଜି (ଗୁରୁବାର) ଏହି ମାମଲାର ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ମାମଲାର ବିବରଣୀ ଅନୁଯାୟୀ, ସରକାରୀ ଡାକ୍ତରଖାନାରେ ସୁରକ୍ଷା କର୍ମୀ (ସିକ୍ୟୁରିଟି ଗାର୍ଡ) ଚାକିରି ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଅଭିଯୁକ୍ତା ଜଣଙ୍କ ସ୍ୱାଗତମ ବେହେରା ନାମକ ବ୍ୟକ୍ତି ଠାରୁ ୮୦ ହଜାର ଟଙ୍କା ଅଗ୍ରୀମ ନେଇଥିଲେ। ଏକ ସପ୍ତାହ ମଧ୍ୟରେ ଚାକିରି ନ ଦେଲେ ଟଙ୍କା ଫେରସ୍ତ କରିବେ ବୋଲି ହେମଲତା ଏକ ପ୍ରତିଶ୍ରୁତି ପତ୍ର ଦେଇଥିଲା। ସେହିପରି ସମାନ ପ୍ରତିଶ୍ରୁତି ଦେଇ ଅନ୍ୟ ଦୁଇ ଜଣଙ୍କଠାରୁ ମଧ୍ୟ ହେମଲତା ଟଙ୍କା ହଡ଼ପ କରିଥିଲା। ପରବର୍ତୀ ସମୟରେ ଟଙ୍କା ଫେରସ୍ତ ନ କରିବାରୁ ଏବଂ ପଚରାଉଚରା ବେଳେ ଧମକ ଦେବାରୁ ଅଭିଯୋଗକାରୀ ସମ୍ବଲପୁର ଟାଉନ୍ ଥାନାରେ ଏତଲା ଦେଇଥିଲାସ। ଏହି ଘଟଣାରେ ଟାଉନ୍ ଥାନା ପୋଲିସ ୨୦୨୬ ମେ ୧୪ ତାରିଖରେ ଏସମ୍ପର୍କରେ ୧୬୫/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ପରେ ଚାର୍ଜସିଟ୍ ଦାଖଲ କରିଥିଲା। ଅଦାଲତ ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୩୧୮(୪) ଅନୁଯାୟୀ ଅଭିଯୁକ୍ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଧାରା ୩୫୧(୨) ଅଭିଯୋଗରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସରକାରୀ ପଦାଧିକାରୀ ଭାବେ ନିଜକୁ ପରିଚୟ ଦେଇ ବେକାର ଯୁବକ ଓ ଆର୍ôଥକ ଦୁର୍ବଳ ବର୍ଗର ଲୋକଙ୍କ ସରଳତାର ସୁଯୋଗ ନେଇ ଏଭଳି ସୁଚିନ୍ତିତ ଆର୍ôଥକ ଠକେଇ କରିଥିବାରୁ ଅଦାଲତ କୌଣସି କୋହଳ ମନୋଭାବ ପୋଷଣ କରିନଥିବା ଦର୍ଶାଇଛନ୍ତି। ଅପରାଧୀ ସଂଶୋଧନ ଆଇନ ୧୯୫୮ ର ସୁବିଧା ଦେବାକୁ ମନା କରିଛନ୍ତି। ପୂର୍ବରୁ ବିଚାରାଧୀନ ବନ୍ଦୀ ଭାବେ ଅଭିଯୁକ୍ତା ଜେଲରେ ରହିଥିବା ସମୟକୁ ଦଣ୍ଡାଦେଶରୁ ବାଦ ଦିଆଯିବ ବୋଲି ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ