

କନ୍ଧମାଳ, ୧୯ ନଭେମ୍ବର (ହି.ସ.)- ବାତ୍ୟା ଅକବାନ ର ପ୍ରଭାବରେ ଲଗାଣ ଏବଂ ଏଥିପାଇଁ ଜିଲ୍ଲାର କେତେକ ସ୍ଥାନରେ ଭୂସ୍ଖଳନର ଆଶଙ୍କା ସୃଷ୍ଟି ହୋଇଛି। ଏଥି ନିମନ୍ତେ ୧୯ ନଭେମ୍ବର ୨୦୨୬ ଅପରାହ୍ନ ୩ଟା ସୁଦ୍ଧା ଜିଲ୍ଲାର ୧୨ଟି ବ୍ଲକର ୯୪ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୪୪ଟି ବିପଦପ୍ରବଣ ଗ୍ରାମ ଓ ପଡ଼ା ଚିହ୍ନଟ କରାଯାଇଛି। ମୋଟ ଏପର୍ଯ୍ୟନ୍ତ ୧୨,୭୯୭ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଏଥିସହ ଜିଲ୍ଲାରେ ମୋଟ ୧୫୪ ଟି ଆଶ୍ରୟସ୍ଥଳୀ ଖୋଲାଯାଇଛି। ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ଜିଲ୍ଲାରେ ଚିହ୍ନଟ ହୋଇଥିବା ୨୬୨ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୨୨୯ ଜଣଙ୍କୁ ସୁରକ୍ଷା ଦୃଷ୍ଟିରୁ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ପ୍ରଭାବିତ ଓ ବିପଦପ୍ରବଣ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନେବା ସହ ଆବଶ୍ୟକୀୟ ସୁବିଧା ଯୋଗାଇବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଜାରି ରହିଛି। ଏଥିସହ ଜିଲ୍ଲାରେ ଖୋଲା ଯାଇଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ରନ୍ଧା ଖାଦ୍ୟ ସମେତ ସମସ୍ତ ଆବଶ୍ୟକୀୟ ଜିନିଷ ଯୋଗାଇ ଦିଆଯିବା ବ୍ୟବସ୍ଥା କରାଯାଇଛି। ଏଥି ସହ ବର୍ଷା ପ୍ରଭାବରେ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେଲେ ଆକାଶ ମାର୍ଗରୁ ସୁଖିଲା ଖାଦ୍ୟ ହେଲିକପ୍ଟର ଯୋଗେ ବିତରଣର ବ୍ୟବସ୍ଥା କରାଯାଇଛି। ଏନେଇ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି।
ଆଜି ସକାଳୁ କନ୍ଧମାଳ ଜିଲ୍ଲା ଦାୟିତ୍ଵରେ ଥିବା ଆଇଏଏସ୍ ଅଧିକାରୀ ଭୁପିନ୍ଦର ସିଂ ପୁନିଆ ଜିଲ୍ଲାରେ ହୋଇଥିବା ସମସ୍ତ ପ୍ରସ୍ତୁତି ବାବଦରେ ସମୀକ୍ଷା କରିବା ସହ ଆବଶ୍ୟକୀୟ ପ୍ରସ୍ତୁତିର ପରାମର୍ଶ ଦେଇଥିଲେ। ତେବେ ଆଜି ସକାଳୁ ପାଗ ମେଘାଛନ୍ନ ରହିବା ସହିତ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ