ଝାରସୁଗୁଡ଼ା ପୌରାଞ୍ଚଳର କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ସମୀକ୍ଷା କଲେ ଜିଲ୍ଲାପାଳ
District Collector Reviews Solid Waste Management System in Jharsuguda Municipality.
ଝାରସୁଗୁଡ଼ା ପୌରାଞ୍ଚଳର କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ସମୀକ୍ଷା କଲେ ଜିଲ୍ଲାପାଳ


ଝାରସୁଗୁଡ଼ା, 19 ନଭେମ୍ବର (ହି.ସ.)ଝାରସୁଗୁଡ଼ା ପୌରପରିଷଦ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାର ତଦାରଖ ପାଇଁ ଆଜି ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ କପୁମାଲ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସହରର ପରିମଳ ବ୍ୟବସ୍ଥା ଏବଂ ବର୍ଜ୍ୟବସ୍ତୁ ନିଷ୍କାସନ ପ୍ରକ୍ରିୟା ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ।ପରିଦର୍ଶନ ସମୟରେ କପୁମାଳ ଅଞ୍ଚଳର ରାସ୍ତାକଡ଼ରେ ଗଦା ହୋଇଥିବା ଅଳିଆ ଆବର୍ଜନାରେ କିଛି ଅସାମାଜିକ ବ୍ୟକ୍ତି ନିଆଁ ଲଗାଇ ଦେଉଥିବା ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା। ଏହାଦ୍ୱାରା ପରିବେଶ ପ୍ରଦୂଷିତ ହେବା ସହ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେଉଥିବାରୁ ଜିଲ୍ଲାପାଳ ଏନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଭଳି ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ସମ୍ପୃକ୍ତ ଅଞ୍ଚଳରେ କଡ଼ା ନଜର ରଖିବାକୁ ସେ ପୌର ପ୍ରଶାସନ ଓ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ, ପୌରାଞ୍ଚଳରୁ ସଂଗୃହୀତ ହେଉଥିବା ସମସ୍ତ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁକୁ ବାଧ୍ୟତାମୂଳକ ଭାବେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଏବଂ ମ୍ୟାଟେରିଆଲ୍ ରିକଭରି ଫ୍ୟାସିଲିଟି କେନ୍ଦ୍ର ମାଧ୍ୟମରେ ହିଁ ବୈଜ୍ଞାନିକ ପଦ୍ଧତିରେ ନିଷ୍କାସନ କରିବାକୁ ଜିଲ୍ଲାପାଳ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଖୋଲା ସ୍ଥାନରେ ଅଳିଆ ନ ପକାଇବା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande