
ନୂଆଦିଲ୍ଲୀ, ୧୯ ନଭେମ୍ବର (ହି.ସ.) - କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ନୂଆଦିଲ୍ଲୀରେ ‘ସୀମାପାର ଆତଙ୍କବାଦ’ ବିଷୟବସ୍ତୁ ଉପରେ ଆୟୋଜିତ ଷଷ୍ଠ ବାର୍ଷିକ ଆତଙ୍କବାଦ ନିରୋଧୀ ସମ୍ମିଳନୀର ଉଦ୍?ଘାଟନ କରିଛନ୍ତି। ଆତଙ୍କବାଦ ବିରୋଧରେ ଦେଶର ସାମୂହିକ ପ୍ରତିକ୍ରିୟାକୁ ସୁଦୃଢ଼ କରିବା ପାଇଁ ଜାତୀୟ ତଦନ୍ତ ଏଜେନ୍ସି (ଏନ୍ଆଇଏ)ର ନିରନ୍ତର ପ୍ରୟାସର ଅଂଶ ଭାବେ ଏହି ସମ୍ମିଳନୀ ଆୟୋଜିତ ହୋଇଛି।
ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଅନେକ ବିଷୟ ଉପରେ ଆଲୋଚନା ହେବ। ଏଥିରେ ବିଦେଶୀ ନ୍ୟାୟିକ କ୍ଷେତ୍ରରୁ ପ୍ରମାଣ ସଂଗ୍ରହ, ଆତଙ୍କବାଦୀ ମାମଲାର ତଦନ୍ତରେ ଡିଜିଟାଲ ଫରେନ୍ସିକ୍ ଏବଂ ଡାଟା ବିଶ୍ଳେଷଣର ବ୍ୟବହାର ଓ ମାମଲାଗୁଡ଼ିକର ପ୍ରଭାବଶାଳୀ ପରିଚାଳନା ସାମିଲ ରହିଛି।
ସମ୍ମିଳନୀର ଅଧିବେଶନଗୁଡ଼ିକରେ ମୌଳବାଦର ମୁକାବିଲା ଏବଂ ଜାତୀୟ ସୁରକ୍ଷା ସମ୍ମୁଖୀନ ହେଉଥିବା ହାଇବ୍ରିଡ୍ ବିପଦ ଉପରେ ମଧ୍ୟ ଆଲୋଚନା ହେବ। ଅନ୍ୟ ଅଧିବେଶନଗୁଡ଼ିକରେ ଆତଙ୍କବାଦୀଙ୍କ ଅର୍ଥ ଯୋଗାଣ ନେଟୱାର୍କକୁ ରୋକିବା ସମ୍ବନ୍ଧୀୟ ଉପକରଣ, କୌଶଳ ଓ ମାମଲାର ଅନୁଭବ ସମୀକ୍ଷା କରାଯିବ। ଏହା ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ଆତଙ୍କବାଦ ନିରୋଧୀ ରଣନୀତିର ବିକାଶ ଏବଂ ଉଦୀୟମାନ ଜାତୀୟ ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା ପାଇଁ ସଂସ୍ଥାଗତ କ୍ଷମତାକୁ ସୁଦୃଢ଼ କରିବା ଉପରେ ବିଚାରବିମର୍ଶ ହେବ।
ଏହି ବର୍ଷର ସମ୍ମିଳନୀରେ ରାଜ୍ୟ ପୁଲିସ କର୍ମଚାରୀ ଏବଂ ବୃତିଗତଙ୍କ ପାଇଁ ଏକ କ୍ଷମତା ନିର୍ମାଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କୁ ବିଭିନ୍ନ କ୍ଷେତ୍ରରେ ଦକ୍ଷ କରିବା ଲକ୍ଷ୍ୟ ରଖାଯାଇଛି। ଏଥିରେ ଆତଙ୍କବାଦୀ ମାମଲାର ତଦନ୍ତରେ ନୂତନ ଅପରାଧିକ ଆଇନର ବ୍ୟବହାର, ଅଭିଯୋଗ ପକ୍ଷରୁ ଡିଜିଟାଲ ପ୍ରମାଣର ଉପଯୋଗ ଏବଂ ମକଦ୍ଦମାର ରଣନୀତି ଓ ପରିଚାଳନା ସାମିଲ ରହିଛି।
କାର୍ଯ୍ୟକ୍ରମରେ ଆତଙ୍କବାଦୀ ମାମଲାର ତଦନ୍ତ ସମ୍ବନ୍ଧୀୟ ବିଶେଷ ବ୍ୟବସ୍ଥା, ପ୍ରତିପକ୍ଷ ପକ୍ଷରୁ ଉପସ୍ଥାପିତ ସାଧାରଣ ଆହ୍ୱାନ, ସାକ୍ଷୀଙ୍କ ସୁରକ୍ଷା ଏବଂ ଅଭିଯୋଗ ପକ୍ଷକୁ ଉନ୍ନତ କରିବା ପାଇଁ ସରକାରଙ୍କ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରାଯିବ।
ଦୁଇ ଦିନିଆ ଏହି ବିଚାରବିମର୍ଶରେ ଆଇନ ପ୍ରବର୍ତନକାରୀ ସଂସ୍ଥାଗୁଡ଼ିକ ନିଜ ଅନୁଭବ ବାଂଟିବା, ଆତଙ୍କବାଦୀ ମାମଲାର ମୁକାବିଲାରେ ଗ୍ରହଣ କରାଯାଇଥିବା ଉତମ ପଦକ୍ଷେପଗୁଡ଼ିକୁ ଉପସ୍ଥାପନ କରିବା ଏବଂ ତଦନ୍ତରୁ ମିଳିଥିବା ଶିକ୍ଷାର ଲାଭ ଉଠାଇବାର ସୁଯୋଗ ପାଇବେ।
ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ବରିଷ୍ଠ ପୁଲିସ ଅଧିକାରୀ, କେନ୍ଦ୍ରୀୟ ଆତଙ୍କବାଦ ନିରୋଧୀ ଏଜେନ୍ସି ଓ ବିଭାଗର ଅଧିକାରୀ ଏବଂ ଆଇନ, ଫରେନ୍ସିକ୍ ଓ ପ୍ରଯୁକ୍ତିବିଦ୍ୟା ସମେତ ସମ୍ପୃକ୍ତ କ୍ଷେତ୍ରର ବିଶେଷଜ୍ଞମାନେ ଯୋଗଦେବେ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ