
ସମ୍ବଲପୁର, ୧୯ ନଭେମ୍ବର (ହି.ସ.) - ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନାଂଚଳ ଅଧୀନସ୍ଥ ଜମନକିରା ବନ୍ୟପ୍ରାଣୀ ବନାଂଚଳ ଭୋଜପୁରର ନୂତନ କାର୍ଯ୍ୟାଳୟ ପରିସରରେ ପବିତ୍ର କାର୍ତିକ ଶୁକ୍ଳପକ୍ଷ ନବମୀ ତିଥି ଅବସରରେ ମା’ ଜଗଦ୍ଧାତ୍ରୀଙ୍କ ପୂଜୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବନାଂଚଳର ସମସ୍ତ ବନ କର୍ମଚାରୀଙ୍କ ମିଳିତ ଉଦ୍ୟମ ଓ ସହଯୋଗରେ ଆୟୋଜିତ ଏହି ପୂଜାତ୍ସବ ଅଂଚଳରେ ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ପୂଜାରେ କର୍ତା ଭାବେ ଫରେଷ୍ଟର ସୁଜିତ ପଟେଲ ଓ ତାଙ୍କ ଧର୍ମପତ୍ନୀ ସୀମାରାଣୀ ପଟେଲ ପୂଜାର୍ଚ୍ଚନା କରିଥିବା ବେଳେ ପୂଜକ ନୀଳାଂଚଳ ପାଣିଗ୍ରାହୀ ବିଧିବିଧାନ ଅନୁଯାୟୀ ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ। ପୂଜାର ବିଧିବଦ୍ଧ ଶୁଭାରମ୍ଭ ଗତ ମଙ୍ଗଳବାର ଅଷ୍ଟମୀ ତିଥିରେ ଅପରାହ୍ନ ୪ଟା ୩୦ ମିନିଟ୍ରେ କଳଶ ଅଧିବାସ ସହ ହୋଇଥିଲା। ବୁଧବାର ନବମୀ ତିଥିରେ ସକାଳ ୮ଟା ୩୦ ମିନିଟ୍ରୁ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚଣ୍ଡୀପାଠ ଓ ଚଣ୍ଡୀହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ପରେ ଅପରାହ୍ନ ୪ଟା ୩୦ ମିନିଟ୍ରୁ ସନ୍ଧ୍ୟା ୫ଟା ୩୦ ମିନିଟ୍ ମଧ୍ୟରେ ପୂର୍ଣ୍ଣାହୁତି, ପୁଷ୍ପାଞ୍ଜଳି ଓ ଘଟ ବିସର୍ଜନ କାର୍ଯ୍ୟ ଶ୍ରଦ୍ଧା ଓ ନିଷ୍ଠାର ସହ ସମ୍ପନ୍ନ ହୋଇଥିଲା। ସୁନ୍ଦର ତୋରଣ ଓ ଆକର୍ଷଣୀୟ ଆଲୋକସଜ୍ଜାରେ ପୂଜାମଣ୍ଡପକୁ ସୁସଜ୍ଜିତ କରାଯାଇଥିବା ବେଳେ ସିଂହବାହିନୀ ମା’ ଜଗଦ୍ଧାତ୍ରୀଙ୍କ ସହ ପାର୍ଶ୍ୱ ଦେବାଦେବୀଙ୍କ ମୃଣ୍ମୟୀ ମୂର୍ତି ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ବହୁ ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ପୂଜାମଣ୍ଡପରେ ପହଂଚି ମା’ଙ୍କ ଦିବ୍ୟ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ପୂଜାର୍ଚ୍ଚନା ପରେ ଉପସ୍ଥିତ ଶ୍ରଦ୍ଧାଳୁ ଓ କର୍ମଚାରୀଙ୍କ ମଧ୍ୟରେ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ଏହି ପୂଜୋତ୍ସବରେ ବଦରାମା ରେଞ୍ଜର ଗିରିଧାରୀ ପ୍ରଧାନ, ଜମନକିରା ରେଞ୍ଜର ଲେଖାରାଣୀ ମହାନନ୍ଦଙ୍କ ସମେତ ଫରେଷ୍ଟର ହେମନ୍ତ ମିଶ୍ର, ଆନନ୍ଦ ପରିଡ଼ା, ଶିଶିର ସାମଲ ଓ ବନାଂଚଳର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ପୂଜାକାର?୍ୟ୍ୟରେ ସହଯୋଗ କରିଥିଲେ। ଶୁକ୍ରବାର କାର୍ତିକ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ସକାଳ ୯ଟାରୁ ୧୦ଟା ୩୦ ମିନିଟ୍ ମଧ୍ୟରେ ମା’ ଜଗଦ୍ଧାତ୍ରୀଙ୍କ ମୃଣ୍ମୟୀ ମୂର୍ତି ବିସର୍ଜନ କରାଯିବ ବୋଲି ବନାଂଚଳ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ