
୧୧୫ଟି ଆଶ୍ରୟସ୍ଥଳୀରେ ୨୪,୮୭୩ ଜଣଙ୍କୁ ସ୍ଥାନାନ୍ତର
କେନ୍ଦ୍ରାପଡ଼ା, ୧୯ ନଭେମ୍ବର(ହି.ସ.) – ସମ୍ଭାବ୍ୟ ବାତ୍ୟା ‘ଆକଭନ୍’ର ମୁକାବିଲା ତଥା ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାର ୯ଟି ବ୍ଲକ୍ ଓ ୨ଟି ପୌରାଂଚଳର ୩୬୫ଟି ବିପଦପ୍ରବଣ ସ୍ଥାନ ଚିହ୍ନଟ କରାଯାଇଥିବାବେଳେ ଆଜି ଅପରାହ୍ନ ୪ଟା ୧୫ ମିନିଟ୍ ସୁଦ୍ଧା ମୋଟ ୨୪,୮୭୩ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇ ୧୧୫ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ସ୍ଥାନାନ୍ତରିତ ଲୋକଙ୍କ ମଧ୍ୟରେ ୧୧,୬୦୬ ଜଣ ପୁରୁଷ, ୮,୭୭୮ ଜଣ ମହିଳା, ୨,୫୨୦ ଜଣ ବାଳକ ଏବଂ ୧,୯୬୯ ଜଣ ବାଳିକା ଅନ୍ତର୍ଭୁକ୍ତ ଅଛନ୍ତି।
ଜନସାଧାରଣଙ୍କ ସୁରକ୍ଷିତ ରହଣି ପାଇଁ ଜିଲାରେ ୧୩୦ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ଏବଂ ୫୪୦ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ବର୍ତମାନ ୧୧୫ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇ ଲୋକଙ୍କୁ ଆଶ୍ରୟ ଓ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି। ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇ ଚିହ୍ନଟ ହୋଇଥିବା ୩୦୬ ଜଣଙ୍କ ମଧ୍ୟରୁ ୧୪୭ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି। ଏହି ସମୟ ମଧ୍ୟରେ ୨୧ ଜଣ ଗର୍ଭବତୀ ମହିଳାଙ୍କର ସୁରକ୍ଷିତ ପ୍ରସବ ହୋଇଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।
ବାତ୍ୟା ପରବର୍ତୀ ଜରୁରୀକାଳୀନ ରିଲିଫ୍ ବଣ୍ଟନ ନିମନ୍ତେ ପ୍ରଶାସନ ପକ୍ଷରୁ ୭୦୦ କ୍ୱିଂଟାଲ୍ ଚୁଡ଼ା, ୬୫ କ୍ୱିଂଟାଲ୍ ଗୁଡ଼ ଏବଂ ୬୦ ମେଟ୍ରିକ୍ ଟନ୍ ଗୋଖାଦ୍ୟ ମହଜୁଦ ରଖାଯାଇଛି। ଏହାବ୍ୟତୀତ ଆବଶ୍ୟକତା ଅନୁଯାୟୀ ଚାଉଳ ଯୋଗାଣ ପାଇଁ ବ୍ୟବସ୍ଥା ହୋଇଛି। ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ପାଇଁ ଜିଲା ଜରୁରୀକାଳୀନ କାର୍ୟ୍ୟାଳୟ(ଡିଇଓସି) ୨୪ ଘଂଟିଆ କାର୍ୟ୍ୟକ୍ଷମ ରହିବା ସହ ବିଭିନ୍ନ ଅଂଚଳରେ ବରିଷ୍ଠ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି। ବର୍ତମାନ ସୁଦ୍ଧା ଜିଲାର କୌଣସି ଅଂଚଳ ବାତ୍ୟା ଦ୍ୱାରା ପ୍ରଭାବିତ କିମ୍ବା ଜଳବନ୍ଦୀ ହୋଇନଥିବା ବେଳେ ମାନବ ଜୀବନହାନି, ପଶୁସମ୍ପଦ, ଫସଲ କିମ୍ବା ଘର କ୍ଷତିର କୌଣସି ସୂଚନା ମିଳିନାହିଁ। ଏହି ପରିପ୍ରେକ୍ଷୀରେ ଜିଲାପାଳ ଶ୍ରୀ ରଘୁରାମ ଆର୍. ଆୟର ଜିଲାବାସୀଙ୍କୁ ଆତଙ୍କିତ ନହୋଇ ସତର୍କ ଓ ସଚେତନ ରହିବାକୁ ଅନୁରୋଧ କରିଛନ୍ତି। ବିପଦପ୍ରବଣ ଅଂଚଳର ବାସିନ୍ଦାମାନେ ବିଳମ୍ବ ନକରି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଯିବା, ଗୁଜବରେ ବିଶ୍ୱାସ ନକରିବା ଏବଂ କେବଳ ସରକାରୀ ସୂଚନାକୁ ଅନୁସରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି