
ଦନ୍ତେୱାଡ଼ା, ୧୯ ନଭେମ୍ବର (ହି.ସ.)- ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାର ବାରସୁର ଥାନା ଅନ୍ତର୍ଗତ ୱାକେଲି ଓ ବୁରଦୁମ ଗ୍ରାମର ଜଙ୍ଗଲ ଏବଂ ପାହାଡ଼ିଆ ଅଂଚଳରୁ ଗୁରୁବାର ସୁରକ୍ଷାବାହିନୀ ନକ୍ସଲମାନଙ୍କ ଦ୍ୱାରା ପୂର୍ବରୁ ଲୁଚାଇ ରଖାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି।
ସୁରକ୍ଷାବାହିନୀ ଜବତ କରିଥିବା ସାମଗ୍ରୀ ମଧ୍ୟରେ ଗୋଟିଏ ଏକେ-୪୭ ରାଇଫଲ୍, ଗୋଟିଏ ମ୍ୟାଗାଜିନ୍ ଏବଂ ୨୫ଟି ଏକେ-୪୭ ଗୁଳି ରହିଛି। ଏହାବ୍ୟତୀତ ଗୋଟିଏ .୩୦୩ ରାଇଫଲ୍, ଦୁଇଟି ବିଜିଏଲ୍ ବନ୍ଧୁକ, ଗୋଟିଏ ୩୧୫ ବୋର ବନ୍ଧୁକ ଏବଂ ଗୋଟିଏ ଭରମାର ବନ୍ଧୁକ ମଧ୍ୟ ଜବତ ହୋଇଛି।
ଗୁଳିଗୋଳା ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟରେ ୩୪ଟି .୩୦୩ ଗୁଳି, ୨୮ଟି ବିଜିଏଲ୍ ରାଉଣ୍ଡ, ୭ଟି ବିଜିଏଲ୍ ସେଲ୍, ଗୋଟିଏ ୱାକି-ଟକି ସେଟ୍, ପ୍ରାୟ ୫ ମିଟର କୋଡେକ୍ସ ତାର, ଗୋଟିଏ କୁକର ବୋମା ଏବଂ ଗୋଟିଏ ୱାକି-ଟକି ଚାଜର ରହିଛି। ଏଥିସହିତ ଦେଶୀ ନିର୍ମିତ ଗ୍ରେନେଡ୍ ମଧ୍ୟ ଜବତ କରାଯାଇଛି। ଜବତ ହୋଇଥିବା ସମସ୍ତ ନକ୍ସଲ ସାମଗ୍ରୀକୁ ସୁରକ୍ଷାବାହିନୀ ସୁରକ୍ଷିତ ଭାବେ ନିଜ ହେପାଜତକୁ ନେଇ ନିୟମ ଅନୁଯାୟୀ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଦନ୍ତେୱାଡ଼ା ଏସ୍ପି ଚନ୍ଦ୍ରମୋହନ ସିଂହ ଏହି ଘଟଣାର ସୂଚନା ଦେଇ କହିଛନ୍ତି ଯେ ଜିଲ୍ଲାରେ ଶାନ୍ତି, ସୁରକ୍ଷା ଓ ବିକାଶର ପରିବେଶକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏରିଆ ଡୋମିନେସନ୍ ଏବଂ ସର୍ଚ୍ଚ ଅଭିଯାନ ଚାଲିଛି। ଏହି ଅଭିଯାନ ମାଧ୍ୟମରେ ନକ୍ସଲମାନେ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, ବିସ୍ଫୋରକ ଏବଂ ଅନ୍ୟାନ୍ୟ ନକ୍ସଲ ବ୍ୟବହାର ଉପଯୋଗୀ ସାମଗ୍ରୀର ଡମ୍ପ ଖୋଜାଯାଉଛି।
------------------
ହିନ୍ଦୁସ୍ଥାନ ସମାଚାର / ଗଗନ