
ନୂଆଦିଲ୍ଲୀ, ୧୯ ନଭେମ୍ବର (ହି.ସ.)- ଏକ ବିକଶିତ ଏବଂ ଆତ୍ମନିର୍ଭରଶୀଳ ଭାରତର ଲକ୍ଷ୍ୟ ସହିତ ଯୋଡ଼ି ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଦେଶର ଶିଳ୍ପଗୁଡ଼ିକୁ ଆହ୍ୱାନ କରି କହିଛନ୍ତି ଯେ, ଆଗାମୀ ୨୦ ବର୍ଷ ମଧ୍ୟରେ ଭାରତୀୟ ଶିଳ୍ପଗୁଡ଼ିକ କ'ଣ ହାସଲ କରିପାରିବେ ତାହା ସ୍ଥିର କରିବାର ସମୟ ଆସିଛି। ଏଥିପାଇଁ ସେମାନଙ୍କୁ 'ଭାରତ ପ୍ରଥମକୁ ନିଜର ଦୀର୍ଘକାଳୀନ ନିବେଶ ନିଷ୍ପତ୍ତିର ଆଧାରଶିଳା କରିବାକୁ ପଡ଼ିବ। ଦେଶ ଆତ୍ମନିର୍ଭରଶୀଳ ହେବା ସହିତ ବ୍ୟବସାୟର ନୂଆ ସୁଯୋଗ ସୃଷ୍ଟି ହେବ।
ସେ ଏହି ସନ୍ଦର୍ଭରେ ୧୯୩୦ ମସିହାରେ ଗାନ୍ଧୀଜୀ କହିଥିବା କଥାଗୁଡ଼ିକୁ ଉଦ୍ଧୃତ କରି କହିଥିଲେ ଯେ, ୧୦୦ ବର୍ଷ ବିତିଗଲାଣି, କିନ୍ତୁ୧୯୩୦ ମସିହାରେ ଗାନ୍ଧୀ ସେହି ଏକା କଥା କହିଥିଲେ ଏବଂ ଆଜି ଏତେ ବର୍ଷ ପରେ ମୋତେ ସେହି ଏକା କଥା କହିବାକୁ ପଡୁଛି। ମୋ କଥା ପଛେ ନମାନ, ହେଲେ ଗାନ୍ଧୀଙ୍କ କଥା ମାନ। ଗାନ୍ଧୀ ସ୍ଵଦେଶୀ ଏବଂ ଆତ୍ମନିର୍ଭର ଭାରତ କଥା ମଧ୍ୟ କହିଥିଲେ। ମୋର ଏହି ବାର୍ତ୍ତାକୁ ପ୍ରତି ଘରେ ପହଞ୍ଚାଅ !
ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଦିନ ଦିଲ୍ଲୀର ଭାରତ ମଣ୍ଡପରେ ଉଦ୍ଯୋଗ ସଂଘ ତଥା ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଏଫଆଇସିସିଆଇ) ର ବାର୍ଷିକ ସାଧାରଣ ବୈଠକ ଏବଂ ବାର୍ଷିକ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତରେ କେଉଁସବୁ ଉତ୍ପାଦନ ୟୁନିଟ୍ ସମ୍ଭବ ତାହା ଶିଳ୍ପ ଜଗତ ବିଚାର କରିବା ଉଚିତ। ଏହି ପରିପ୍ରେକ୍ଷୀରେ ସେ ଔଷଧ ଉଦ୍ୟୋଗର ଉଦାହରଣ ଦେଇଥିଲେ। ସେ କହିଥିଲେ ଯେ, ଭାରତକୁ ବିଶ୍ଵରେ ଫାର୍ମାସୀ ଅଫ ଦ ୱର୍ଲ୍ଡ କୁହାଯାଉଥିବା ସତ୍ତ୍ୱେ ଭାରତ ପ୍ରତିବର୍ଷ କୋଟି କୋଟି ଡଲାର ମୂଲ୍ୟର ଏ. ପି. ଆଇ., ବୃହତ୍ ଔଷଧ ଏବଂ ଔଷଧ ମଧ୍ୟବର୍ତ୍ତୀ ସାମଗ୍ରୀ ଆମଦାନୀ କରିଥାଏ। ଏପରି ଶହ ଶହ ବର୍ଗ ଅଛି ଯେଉଁଥିରେ ଆମେ ଆଜି ଆମଦାନୀ ଉପରେ ନିର୍ଭରଶୀଳ। ଆମର ଔଷଧ ଉଦ୍ୟୋଗକୁ ବୁଝିବାକୁ ହେବ ଯେ, ଭାରତରେ ଆମେ କେଉଁସବୁ ସାମଗ୍ରୀ ତିଆରି କରିପାରିବା। କେଉଁ କ୍ଷେତ୍ରରେ ଆମେ ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ବୃହତ ଉତ୍ପାଦନ କାରଖାନାରେ ବିନିଯୋଗ କରି ଅନ୍ୟ ଦେଶ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବା।
ଭାରତର କୃଷି କ୍ଷେତ୍ରରେ ପୁଞ୍ଜି ନିବେଶ ବୃଦ୍ଧି କରିବା ଲାଗି ପ୍ରଧାନମନ୍ତ୍ରୀ ଶିଳ୍ପ ଜଗତକୁ ଅନୁରୋଧ କରିଥିଲେ। ନିର୍ଦ୍ଦିଷ୍ଟ ବିଦେଶୀ ବଜାରକୁ ଧ୍ୟାନରେ ରଖି ନିର୍ଭରଯୋଗ୍ୟ କ୍ରୟ ବ୍ୟବସ୍ଥା କରାଯିବା ଉଚିତ ଏବଂ ସେଠାରେ ଚାହିଦା ଥିବା ଉତ୍ପାଦ ତିଆରି କରିବା ଉଚିତ, ଯାହା ଦ୍ୱାରା ଭାରତର ଉତ୍ପାଦ ବିଶ୍ୱରେ ଆମର ପରିଚୟ ହୋଇପାରିବ।
ଏଫ.ଆଇ.ସି.ସି.ଆଇ. ର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କୌଣସି ସଂସ୍ଥା ୧୦୦ ବର୍ଷ ଧରି ନିରନ୍ତର ଭାବେ ସଚେତନ ଏବଂ ସକ୍ରିୟ ରହିବା, ପରିବର୍ତ୍ତିତ ସମୟ ସହିତ ତାଳମେଳ ରଖିବା ଏବଂ ଦେଶର ଆର୍ଥିକ ଯାତ୍ରାରେ ନିଜର ଭୂମିକା ନିର୍ବାହ କରିବା ଏକ ବଡ଼ ଉପଲବ୍ଧି।
ଗତ ୧୦୦ ବର୍ଷ ମଧ୍ୟରେ ଭାରତୀୟ ଅର୍ଥବ୍ୟବସ୍ଥାର ଯାତ୍ରା ବିଷୟରେ ବର୍ଣ୍ଣନା କରି ସେ କହିଥିଲେ ଯେ, ଗତ ୧୨ ବର୍ଷ ମଧ୍ୟରେ ଦେଶ ସାମୂହିକ ପ୍ରୟାସ ମାଧ୍ୟମରେ ଅନେକ କିଛି ହାସଲ କରିଛି। ଆଜି ଭାରତରେ ପ୍ରଗତିର ଗତି ବହୁତ ଦ୍ରୁତ ଗତିରେ ରହିଛି। ଏଥି ସହିତ ଦାରିଦ୍ର୍ୟରୁ ମୁକୁଳିବାର ଗତି ମଧ୍ୟ ଦ୍ରୁତ ଗତିରେ ହେଉଛି। ବିଶ୍ଵ ବ୍ୟାଙ୍କର ସଦ୍ୟତମ ରିପୋର୍ଟ ଆମ ସମସ୍ତଙ୍କୁ ଗର୍ବିତ କରିବାକୁ ଯାଉଛି। ଏହି ରିପୋର୍ଟରେ କୁହାଯାଇଛି ଯେ, କେବଳ ୧୨-୧୩ ବର୍ଷ ମଧ୍ୟରେ ଭାରତରେ ୫୦ କୋଟି ଲୋକ ଦାରିଦ୍ର୍ୟକୁ ପରାସ୍ତ କରିଛନ୍ତି।
ସେ କହିଥିଲେ ଯେ, ଏଫ. ଆଇ. ସି. ସି. ଆଇ. ମଧ୍ୟ ଏହାର ସାକ୍ଷୀ। ଏହା ଦର୍ଶାଉଛି ଯେ, ଆଜି ଭାରତ ଯେଉଁ ଦିଗରେ ଆଗକୁ ବଢ଼ୁଛି ତାହା ଠିକ୍, ସଠିକ୍ ଏବଂ ଏଥିରେ ଦେଶର ସଫଳତାର ଗ୍ୟାରେଣ୍ଟି ରହିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ