
ନୂଆଦିଲ୍ଲୀ, ୧୯ ନଭେମ୍ବର (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ପ୍ରାୟ ୧୧ଟାରେ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ଠାରେ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକି)ର ବାର୍ଷିକ ସାଧାରଣ ସଭା ଏବଂ ବାର୍ଷିକ ସମ୍ମିଳନୀର ଉଦ୍ଘାଟନ କରିବେ। ଏହି ଅବସରରେ ସେ ଉପସ୍ଥିତ ଜନସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। କାର୍ଯ୍ୟକ୍ରମର ପୂର୍ବ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ମୁଖପାତ୍ର ଏହି ସୂଚନା ଦେଇଛନ୍ତି।
ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, 'ଭାରତ ୨୦୪୭' ବିଷୟବସ୍ତୁ ଉପରେ ଆଧାରିତ ଏହି ସମ୍ମିଳନୀରେ ଶିଳ୍ପ ଜଗତର ପ୍ରମୁଖ ପ୍ରତିନିଧି, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ), ରାଷ୍ଟ୍ରଦୂତ, କୂଟନୀତିଜ୍ଞ ଏବଂ ନୀତି ନିର୍ଦ୍ଧାରକଙ୍କ ସମେତ ୨,୫୦୦ରୁ ଅଧିକ ପ୍ରତିନିଧି ଯୋଗଦେବେ। ୨୦୨୬-୨୭ ହେଉଛି ଫିକିର ଶତବାର୍ଷିକୀ ବର୍ଷ। ୨୦୨୭ ଏପ୍ରିଲ ୭ ତାରିଖରେ ଫିକି ନିଜର ସ୍ଥାପନାର ୧୦୦ ବର୍ଷ ପୂରଣ କରିବ।
୧୯୨୭ ମସିହାରେ ଏପରି ଏକ ସମୟରେ ଫିକିର ସ୍ଥାପନା ହୋଇଥିଲା, ଯେତେବେଳେ ଆର୍ଥିକ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ଭାରତୀୟ ଉଦ୍ୟୋଗଗୁଡ଼ିକର ପ୍ରତିନିଧିତ୍ୱ ସୀମିତ ଥିଲା। ସ୍ୱାଧୀନତା ପରଠାରୁ ଫିକି ଭାରତର ଆର୍ଥିକ ପରିବର୍ତ୍ତନ ଏବଂ ବିଶ୍ୱ ଅର୍ଥନୀତି ସହ ଦେଶର ବଢ଼ୁଥିବା ସମନ୍ୱୟ ପ୍ରକ୍ରିୟାରେ ସହଭାଗୀ ରହିଆସିଛି।
ବର୍ତ୍ତମାନ ଫିକି ସରକାରୀ, ଘରୋଇ ଏବଂ ବହୁରାଷ୍ଟ୍ରୀୟ କ୍ଷେତ୍ରର ୨.୫ ଲକ୍ଷରୁ ଅଧିକ କମ୍ପାନୀର ପ୍ରତିନିଧିତ୍ୱ କରୁଛି। ପ୍ରତ୍ୟକ୍ଷ ଭାବେ ଏବଂ ୩୦୦ରୁ ଅଧିକ ସହଯୋଗୀ ଆଞ୍ଚଳିକ ଓ ରାଜ୍ୟସ୍ତରୀୟ ଶିଳ୍ପ ସଂଘ ମାଧ୍ୟମରେ ଏହି ପ୍ରତିନିଧିତ୍ୱ କରାଯାଉଛି। ଏଥିସହ ୧୦୦ରୁ ଅଧିକ ଦେଶର ୨୫୦ଟି ଜାତୀୟ ବ୍ୟବସାୟିକ ସଂଗଠନ ସହ ଫିକିର ସହଭାଗିତା ଚୁକ୍ତି ମଧ୍ୟ ରହିଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା