
ଝାରସୁଗୁଡ଼ା, ୧୯ ନଭେମ୍ବର (ହି.ସ.)- ଆଗାମୀ ‘ଦୁଲଦୁଲି ୨୦୨୭’ ମହୋତ୍ସବକୁ ସୁଚାରୁରୂପେ ଓ ଭବ୍ୟ ଭାବେ ଆୟୋଜନ କରିବା ନିମନ୍ତେ ଆଜି ସ୍ଥାନୀୟ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅଡିଟୋରିୟମଠାରେ ଝାରସୁଗୁଡା ଜ଼ିଲ୍ଲା ମହୋତ୍ସବ ସମିତିର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଦୁଲଦୁଲି ସୋସାଇଟି ପଞ୍ଜିକରଣ ସଦସ୍ୟବୃନ୍ଦ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ମହୋତ୍ସବର ପ୍ରାଥମିକ ରୂପରେଖ, ଏବଂ ପରିଚାଳନାଗତ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ବୈଠକର ପ୍ରାରମ୍ଭରେ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାରସିଂହ ସମସ୍ତ ଅତିଥି ଓ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ଡେପୁଟି କଲେକ୍ଟର ତଥା ଜ଼ିଲ୍ଲା କ୍ରୀଡା ଅଧିକାରୀ ଅମ୍ରିତ ଆଚାର୍ଯ୍ୟ ଦୁଲଦୁଲି କାର୍ଯ୍ୟକ୍ରମର ସମସ୍ତ ତଥ୍ୟ, ବିଭିନ୍ନ କମିଟିର କାର୍ଯ୍ୟ ଉପସ୍ଥାପନ କରିବା ସହ ସଭlକୁ ପରିଚାଳନା କରିଥିଲେ l ଏହି ଅବସରରେ ଜିଲ୍ଲାପାଳ ଚହ୍ବାଣ ‘ଦୁଲଦୁଲି ୨୦୨୭’କୁ ଜିଲ୍ଲାର କଳା, ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ମଞ୍ଚ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କର ସକ୍ରିୟ ସହଯୋଗ କାମନା କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ, ପ୍ରକଳ୍ପ ନିର୍ଦ୍ଦେଶକ (ପୁନର୍ବାସ ଓ ଥଇଥାନ) ଲଳିତ ସୋରେଙ୍ଗ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦିଲ୍ଲୀପ କୁମାର ପ୍ରଧାନ ଏବଂ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ରଖିଥିଲେ। ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ନୱଲ ଅଗ୍ରୱାଲ ଏବଂ ସାଂସଦଙ୍କ ପ୍ରତିନିଧି ଶ୍ଳୋକ ସର୍ଣ୍ଣା, ବିଧାୟକଙ୍କ ପ୍ରତିନିଧି ବଲ ବିନ୍ଦର ସିଂ, ଜ଼ିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ସୁଡ଼ଙ୍ଗ ପଧାନ, ଝାରସୁଗୁଡା ବ୍ଲକ କଳା ସଂସ୍କୃତି ସଙ୍ଘର ଉପ ସଭାପତି ଗଜରାଜ ପ୍ରଧାନ, ରକ୍ତଦାତା ସଂଘର ସଭ୍ୟ ରାଜେଶ ପାଢ଼ୀ ପ୍ରେସ ରିପୋର୍ଟର ରିତେଶ ଶର୍ମା ସମେତ ଦୁଲଦୁଲି ସୋସାଇଟି ପଞ୍ଜିକରଣ କମିଟିର ସମସ୍ତ ସଦସ୍ୟ, ପୋଲିସ ଅଧିକାରୀ ବୃନ୍ଦ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଠକ ଶେଷରେ ବଳିୟାରସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ