
ଝାରସୁଗୁଡ଼ା, ୧୯ ନଭେମ୍ବର (ହି.ସ.) ଆସନ୍ତା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜନସାଧାରଣଙ୍କ ସୁବିଧା, ସୁରକ୍ଷା ଏବଂ ସୁଚାରୁ ବ୍ୟବସ୍ଥା ସୁନିଶ୍ଚିତ କରିବା ନିମନ୍ତେ ଝାରସୁଗୁଡ଼ା ଡିଆରଡିଏ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗତକାଲି ସାନ୍ଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସିଡ଼ିଓ ବିଶ୍ୱରଞ୍ଜନ ନାୟକ, ବିଡ଼ିଓ ଅନିଲ କୁମାର ଆଚାର୍ଯ୍ୟ ଏବଂ ପୌରପାଳିକାର ନିଶିକାନ୍ତ ଟେଟେ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ମୁଖ୍ୟତଃ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଲୋକଙ୍କ ଯାତାୟାତ, ପରିମଳ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ ଏବଂ ଅନ୍ୟାନ୍ୟ ଜରୁରୀ ମୌଳିକ ସୁବିଧା ଯୋଗାଇବା ଦିଗରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଧାୟକ ତ୍ରିପାଠୀ ପ୍ରକାଶ କରିଥିଲେ ଯେ, ଜନସାଧାରଣଙ୍କ ସୁବିଧା ଓ ସୁରକ୍ଷା ହେଉଛି ପ୍ରଶାସନର ସର୍ବୋଚ୍ଚ ପ୍ରାଥମିକତା। ସମସ୍ତ ନାଗରିକ ଯେପରି ଏହି ପବିତ୍ର ପର୍ବକୁ ଏକ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଏବଂ ଆନନ୍ଦମୟ ପରିବେଶରେ ପାଳନ କରିପାରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ପର୍ବ ପର୍ବାଣି ସମୟରେ କୌଣସି ପ୍ରକାର ଅସୁବିଧା ନ ହେବା ପାଇଁ ସମସ୍ତ ବିଭାଗକୁ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି |
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ