
କେନ୍ଦ୍ରାପଡ଼ା, ୧୯ ନଭେମ୍ବର(ହି.ସ.) – ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ଅଂଚଳରେ ପାଗ କୋହଲା ରହିବା ସହିତ ଝିପିଝିପିରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି। ଜିଲା ଜରୁରୀକାଳୀନ କାର୍ୟ୍ୟାଳୟ ପକ୍ଷରୁ ଆଜି ଅପରାହ୍ନ ୪ଟା ସୁଦ୍ଧା ଜାରି କରାଯାଇଥିବା ସରକାରୀ ବର୍ଷା ରିପୋର୍ଟ ଅନୁଯାୟୀ, ସମଗ୍ର ଜିଲାରେ ମୋଟ ୧୨୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜିଲାର ସମସ୍ତ ୯ଟି ବ୍ଲକକୁ ହିସାବକୁ ନେଲେ ହାରାହାରି ୧୪ ମିଲିମିଟର ବର୍ଷା ହୋଇଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।ବ୍ଲକୱାରୀ ବର୍ଷା ପରିମାଣକୁ ଅନୁଧ୍ୟାନ କଲେ ଉପକୂଳବର୍ତୀ ମହାକାଳପଡ଼ା ବ୍ଲକରେ ସର୍ବାଧିକ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ମହାକାଳପଡ଼ା ବ୍ଲକରେ ସର୍ବାଧିକ ୨୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକରେ ୧୯ ମିଲିମିଟର ଏବଂ ଗରଦପୁର ବ୍ଲକରେ ୧୮ ମିଲିମିଟର ବର୍ଷା ଅନୁଭୂତ ହୋଇଛି। ସେହିପରି ଆଳି ବ୍ଲକରେ ୧୬ ମିଲିମିଟର, ମାର୍ଶାଘାଇ ବ୍ଲକରେ ୧୪ ମିଲିମିଟର ଏବଂ ରାଜନଗର ବ୍ଲକରେ ୧୧ ମିଲିମିଟର ବର୍ଷା ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ରାଜକନିକା ବ୍ଲକରେ ୯ ମିଲିମିଟର, କେନ୍ଦ୍ରାପଡ଼ା ବ୍ଲକରେ ୮ ମିଲିମିଟର ଏବଂ ଡେରାବିଶ ବ୍ଲକରେ ସର୍ବନିମ୍ନ ୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଓ କୋହଲା ପାଗ ଯୋଗୁଁ ସମଗ୍ର ଜିଲାରେ ଜନଜୀବନ ସାମାନ୍ୟ ପ୍ରଭାବିତ ହୋଇଛି। ବିଶେଷକରି ମହାକାଳପଡ଼ା, ପଟ୍ଟାମୁଣ୍ଡାଇ, ଗରଦପୁର ଏବଂ ଆଳି ଭଳି ଅଂଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ସାଧାରଣ ଲୋକେ ଘରୁ ବାହାରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଜାରଘାଟ ଓ ରାସ୍ତାଘାଟରେ ଲୋକଙ୍କ ଚଳପ୍ରଚଳ ଅପେକ୍ଷାକୃତ କମ୍ ଦେଖିବାକୁ ମିଳିଛି। ଥଣ୍ଡା ପବନ ସହିତ ବର୍ଷା ହେଉଥିବାରୁ ଶୀତର ପ୍ରକୋପ ମଧ୍ୟ ସାମାନ୍ୟ ବୃଦ୍ଧି ପାଇଛି। ଅନ୍ୟପଟେ, ଅଦିନିଆ ବର୍ଷାକୁ ନେଇ ଜିଲାର ଚାଷୀକୂଳଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି। ବର୍ତମାନ ଖରିଫ ଧାନ ଅମଳ ସମୟ ହୋଇଥିବାରୁ ବିଲରେ ପାଚିଲା ଧାନ କଟା ହୋଇ ପଡ଼ିରହିଛି। ଏଭଳି ପରିସ୍ଥିତିରେ ଲଗାଣ ବର୍ଷା ଜାରି ରହିଲେ ଅମଳକ୍ଷମ ଧାନ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି। ଅନେକ ସ୍ଥାନରେ ଚାଷୀମାନେ କଟା ହୋଇଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ଆଣିବା ଓ ପଲିଥିନ୍ ଘୋଡ଼ାଇ ରଖିବା ପାଇଁ ତତ୍ପରତା ପ୍ରକାଶ କରୁଥିବା ଦେଖାଯାଇଛି। ଏହାସହିତ ପନିପରିବା ଓ ରବି ଫସଲ ଉପରେ ମଧ୍ୟ ଏହି ବର୍ଷାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।ସମ୍ଭାବ୍ୟ ବାତ୍ୟା ଓ ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରାଯାଇଛି। ଜିଲା ଜରୁରୀକାଳୀନ କାର୍ୟ୍ୟାଳୟ ପକ୍ଷରୁ ପ୍ରତ୍ୟେକ ବ୍ଲକର ବର୍ଷା ଓ ପାଣିପାଗ ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ତଳିଆ ଅଂଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଲେ ତୁରନ୍ତ ପଦକ୍ଷେପ ନେବା ପାଇଁ ସମସ୍ତ ବିଡିଓ, ତହସିଲଦାର ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ସଜାଗ ରଖାଯାଇଛି। ଏହାବ୍ୟତୀତ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖାଯିବା ସହ ବିପଦସଙ୍କୁଳ ଅଂଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଆଗାମୀ କିଛି ଘଣ୍ଟା ମଧ୍ୟରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ଥିବାରୁ ଜିଲାବାସୀଙ୍କୁ ସତର୍କ ରହିବା ସହିତ ଅଯଥାରେ ବାହାରକୁ ନବାହାରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି