
ରାଜୌରୀ, ୧୯ ନଭେମ୍ବର (ହି.ସ.)- ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାରେ ଲସ୍କର-ଏ-ତୈବା ଏବଂ ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଆତଙ୍କବାଦୀଙ୍କୁ କଥିତ ଭାବେ ସହାୟତା କରୁଥିବା ନେଟୱାର୍କର ତଦନ୍ତ ଏବେ ଜାତୀୟ ତଦନ୍ତ ଏଜେନ୍ସି (ଏନ୍ଆଇଏ) କରିବ। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଏନ୍ଆଇଏ ଏହି ମାମଲାରେ ଏକ ଏଫ୍ଆଇଆର୍ ରୁଜୁ କରି ତଦନ୍ତ ନିଜ ହାତକୁ ନେଇଛି।
ଏହି ମାମଲାରେ ରାଜୌରୀର କୋଟଚଢ଼ୱାଲ ତ୍ରିୟାଠ ନିବାସୀ ଜାକିର ହୁସେନ ଏବଂ ମହମ୍ମଦ ଆଜମଙ୍କ ସମେତ ଅନ୍ୟ ସନ୍ଦିଗ୍ଧଙ୍କ ଭୂମିକାର ତଦନ୍ତ କରାଯାଉଛି। ଉଭୟଙ୍କୁ ଜମ୍ମୁ-କଶ୍ମୀର ପୁଲିସ ପୂର୍ବରୁ ଗିରଫ କରିଛି।
ସୂଚନା ଅନୁଯାୟୀ, ସେପ୍େଟମ୍ବରରେ ଜମ୍ମୁ-କଶ୍ମୀର ପୁଲିସ ଏକ ଆତଙ୍କବାଦୀ ନେଟୱାର୍କର ପର୍ଦ୍ଦାଫାଶ କରିବା ପରେ ରୁଜୁ କରିଥିବା ଏଫ୍ଆଇଆର୍ ସହ ଏହି ମାମଲା ଜଡ଼ିତ। ଗତ ୧୧ ସେପ୍େଟମ୍ବରରେ ଧର୍ମସାଲ ଥାନାକୁ ସୂଚନା ମିଳିଥିଲା ଯେ ଜାକିର ହୁସେନ ଏବଂ ମହମ୍ମଦ ଆଜମ ନିଜ ସହଯୋଗୀଙ୍କ ସହ ପାକିସ୍ତାନରେ ଥିବା ଲସ୍କର-ଏ-ତୈବା ଓ ଜୈଶ-ଏ-ମହମ୍ମଦର ଆତଙ୍କବାଦୀଙ୍କ ସମ୍ପର୍କରେ ଅଛନ୍ତି ଏବଂ ସେମାନଙ୍କ କାର୍ଯ୍ୟକଳାପରେ ସହାୟତା କରୁଛନ୍ତି।
ପୁଲିସର ପ୍ରାରମ୍ଭିକ ତଦନ୍ତରେ ଅଭିଯୋଗ କରାଯାଇଥିଲା ଯେ ସନ୍ଦିଗ୍ଧମାନେ ଆତଙ୍କବାଦୀଙ୍କୁ ରହିବା ପାଇଁ ଆଶ୍ରୟସ୍ଥଳ, ଖାଦ୍ୟ, ଆବଶ୍ୟକ ରସଦ ଏବଂ ସୁରକ୍ଷିତ ଯାତାୟାତର ସୁବିଧା ଯୋଗାଇ ଦେଉଥିଲେ। ଏହା ସହିତ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଓ ଲୁଚି ରହିବା ପାଇଁ ସୁରକ୍ଷିତ ସ୍ଥାନ ବ୍ୟବସ୍ଥା କରିବାରେ ମଧ୍ୟ ସେମାନଙ୍କ କଥିତ ଭୂମିକା ସାମ୍ନାକୁ ଆସିଥିଲା।
ମାମଲାର ଗମ୍ଭୀରତା ଏବଂ ଜାତୀୟ ସୁରକ୍ଷା ଉପରେ ଏହାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ତଦନ୍ତ ଏନ୍?ଆଇଏକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲା। ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ସହ ଜଡ଼ିତ ଏହି ମାମଲାର ବ୍ୟାପକ ତଦନ୍ତ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା କରାଇବା ଆବଶ୍ୟକ ବୋଲି ମନ୍ତ୍ରଣାଳୟ ମତ ଦେଇଥିଲା।
ଏବେ ଏନ୍ଆଇଏ ଅଭିଯୁକ୍ତମାନଙ୍କ ସମ୍ପର୍କ କେଉଁ କେଉଁ ବ୍ୟକ୍ତିଙ୍କ ସହ ଥିଲା ଏବଂ ସ୍ଥାନୀୟ ସ୍ତରରେ ଆତଙ୍କବାଦୀଙ୍କୁ ସହାୟତା କରିବା ପାଇଁ କିପରି ନେଟୱାର୍କ ସକ୍ରିୟ ଥିଲା, ତାହା ଜାଣିବାକୁ ଚେଷ୍ଟା କରିବ। ଏହି କଥିତ ନେଟୱାର୍କରେ ଆଉ କେତେ ଲୋକ ସାମିଲ ଅଛନ୍ତି ଏବଂ ଏହାର ସମ୍ପର୍କ ପାକିସ୍ତାନରେ ଥିବା ଆତଙ୍କବାଦୀ ଅପରେଟରଙ୍କ ସହ ରହିଛି କି ନାହିଁ, ତାହା ମଧ୍ୟ ତଦନ୍ତ କରାଯିବ।
ସୀମାନ୍ତ ରାଜୌରୀ ଜିଲ୍ଲାରେ ସାମ୍ନାକୁ ଆସିଥିବା ଏହି ମାମଲାକୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରୁଛନ୍ତି। ଏନ୍ଆଇଏର ତଦନ୍ତରୁ ଆତଙ୍କବାଦୀ ସଂଗଠନଗୁଡ଼ିକର କଥିତ ସ୍ଥାନୀୟ ସହାୟତା ବ୍ୟବସ୍ଥା, ଏହାର କାର୍ଯ୍ୟପ୍ରଣାଳୀ ଏବଂ ଏଥିରେ ସାମିଲ ଅନ୍ୟ ସନ୍ଦିଗ୍ଧଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିବା ଆଶା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ