
ଶେନ୍ଝେନ୍ (ଚୀନ୍), ୧୯ ନଭେମ୍ବର (ହି.ସ.)। ଚୀନ୍ର ଦକ୍ଷିଣ-ପୂର୍ବାଞ୍ଚଳର ସହର ଶେନ୍ଝେନ୍ରେ ଆୟୋଜିତ ୩୩ତମ ଏସିଆ-ପ୍ରଶାନ୍ତ ଆର୍ଥିକ ସହଯୋଗ (ଏପେକ୍/ଏପିଇସି) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ବିଶ୍ୱର ଅନେକ ରାଷ୍ଟ୍ରନେତା ପହଞ୍ଚିଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମେତ ୨୧ଟି ଦେଶର ରାଷ୍ଟ୍ରମୁଖ୍ୟ ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି। ସମ୍ମିଳନୀ ଅବସରରେ ଟ୍ରମ୍ପ ଚୀନ୍ର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ କରିଛନ୍ତି। ପୁଟିନ ମଧ୍ୟ ଚୀନ୍ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହାବ୍ୟତୀତ ତିନି ନେତାଙ୍କ ସମେତ ଅନ୍ୟ ଦେଶର ରାଷ୍ଟ୍ରମୁଖ୍ୟମାନେ ସମ୍ମିଳନୀରେ ଏକ ସାମୂହିକ ଫଟୋ ମଧ୍ୟ ଉଠାଇଛନ୍ତି।
ଗ୍ଲୋବାଲ ଟାଇମ୍ସ, ସିନ୍ହୁଆ, ସିବିଏସ୍ ନ୍ୟୁଜ୍, ସିଏନ୍ଏନ୍ ଏବଂ ଅଲ୍ ଜଜିରାର ରିପୋର୍ଟ ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚୀନ୍ର ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଥମ ଥର ପାଇଁ ଏକ ଔପଚାରିକ ତ୍ରିପାକ୍ଷିକ ବୈଠକରେ ଯୋଗଦେବେ। ୟୁକ୍ରେନ୍ ଯୁଦ୍ଧ, ଇରାନ୍ ସଂଘର୍ଷ, ପରମାଣୁ ଅସ୍ତ୍ର ଏବଂ ବାଣିଜ୍ୟିକ ବିବାଦ ମଧ୍ୟରେ ଏହି ବୈଠକ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ବୁଧବାର ସି ଜିନପିଙ୍ଗ ଏବଂ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଟ୍ରମ୍ପ ମଧ୍ୟ ଚୀନ୍ରେ ପହଞ୍ଚିଥିଲେ। ସି ଜିନପିଙ୍ଗ ତାଙ୍କୁ ସ୍ୱାଗତ କରିଥିଲେ। ଏପିଇସି ସମ୍ମିଳନୀର ସାମୂହିକ ଫଟୋ ଉଠାଇବା ପୂର୍ବରୁ ତିନି ନେତା ଏକାଠି ନଜର ଆସିଥିଲେ। ପୁଟିନ ଏବଂ ଟ୍ରମ୍ପ ପରସ୍ପର ସହ ହାତ ମିଳାଇଥିଲେ। ଆଜି ସମ୍ମିଳନୀ ଅବସରରେ ଏକ ଔପଚାରିକ ବୈଠକ ହେବାକୁ ପ୍ରସ୍ତାବ ରହିଛି। ଏହି ବୈଠକରୁ ବଡ଼ ଲାଭ ମିଳିବ ବୋଲି ପୁଟିନ ଆଶା ପ୍ରକାଶ କରିଛନ୍ତି।
ଏହି ଔପଚାରିକ ବୈଠକରେ ୟୁକ୍ରେନ୍ ଯୁଦ୍ଧ ଏକ ପ୍ରମୁଖ ପ୍ରସଙ୍ଗ ହୋଇପାରେ। ଟ୍ରମ୍ପ, ସି ଜିନପିଙ୍ଗ ଏବଂ ପୁଟିନଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କହିଛନ୍ତି। ୟୁକ୍ରେନ୍ ଏବଂ ୟୁରୋପୀୟ ଦେଶଗୁଡ଼ିକର ଅନୁପସ୍ଥିତିରେ ସେମାନଙ୍କ ଭବିଷ୍ୟତ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯିବ ନାହିଁ ତ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି କାରଣରୁ ଏହି ବୈଠକକୁ ୧୯୪୫ ମସିହାର ୟାଲଟା ସମ୍ମିଳନୀ ସହ ତୁଳନା କରାଯାଉଛି। ସେହି ସମ୍ମିଳନୀରେ ମହାଶକ୍ତିମାନେ ଯୁଦ୍ଧ ପରବର୍ତ୍ତୀ ବିଶ୍ୱ ବ୍ୟବସ୍ଥା ନିର୍ଦ୍ଧାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା