ନାବାଳିକା ସାବତ ଝିଅକୁ ଦୁଷ୍କର୍ମ, ସାବତ ବାପାକୁ ଆଜୀବନ ଜେଲ୍
Stepfather Sentenced to Life Imprisonment for Raping Minor Stepdaughter
ନାବାଳିକା ସାବତ ଝିଅକୁ ଦୁଷ୍କର୍ମ, ସାବତ ବାପାକୁ ଆଜୀବନ ଜେଲ୍


ଝାରସୁଗୁଡ଼ା, ୧୯ ନଭେମ୍ବର (ହି.ସ.) - ନାବାଳିକା ସାବତ ଝିଅକୁ ଦୁଷ୍କର୍ମ ମାମଲାରେ ସାବତ ବାପାକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଝାରସୁଗୁଡ଼ା ପୋକ୍ସୋ କୋର୍ଟ। ଗୁରୁବାର ଅପରାହ୍ନ ୨ଟାରେ ବିଚାରପତି ପୂଜା ଷଡ଼ଙ୍ଗୀ ଏହି ରାୟ ପ୍ରଦାନ କରିଛନ୍ତି। ଏଥିସହ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀ ଅନୁଯାୟୀ, ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ପୁରୁଣା ବସ୍ତି ଅଂଚଳରେ ଅଭିଯୁକ୍ତ ସୁନୀଲ କୁମାର ନାଏକ ନିଜ ଦ୍ୱିତୀୟ ପତ୍ନୀ ଓ ତାଙ୍କ ୧୨ ବର୍ଷୀୟା ଝିଅ ସହ ଏକ ଭଡ଼ା ଘରେ ରହୁଥିଲେ। ଗତ ଅଗଷ୍ଟ ୧୪ ତାରିଖରେ ପୀଡ଼ିତାଙ୍କ ମାଆ କାମ କରିବାକୁ ବାହାରକୁ ଯାଇଥିବା ସମୟରେ ଅଭିଯୁକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାପୂର୍ବରୁ ମଧ୍ୟ ଅଭିଯୁକ୍ତ ଦୁଇଥର ଏଭଳି ଉଦ୍ୟମ କରିଥିବା ଅଭିଯୋଗରେ ଉଲ୍ଲେଖ ରହିଥିଲା।

ପରେ ଅଗଷ୍ଟ ୧୯ ତାରିଖରେ ନାବାଳିକା ଜଣକ ସାଙ୍ଗ ଘରୁ ଫେରିବା ପରେ ଅଭିଯୁକ୍ତ ତାଙ୍କୁ ମାଡ଼ ମାରିଥିଲା। ଏ ସମ୍ପର୍କରେ ପୀଡ଼ିତାଙ୍କ ମାଆ ଓ ପଡ଼ୋଶୀଙ୍କ ସହାୟତାରେ ଅଗଷ୍ଟ ୨୦ ତାରିଖରେ ଝାରସୁଗୁଡ଼ା ଟାଉନ ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରିଥିଲା।

ମାମଲାର ବିଚାର ସମୟରେ ଉପସ୍ଥାପିତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ହେଲେ ଅତିରିକ୍ତ ୬ ମାସ କାରାଦଣ୍ଡ ଶୁଣାଯାଇଛି। ସେହିପରି ଧାରା ୧୧୫(୨) ଅନୁଯାୟୀ ୧ ବର୍ଷ ଜେଲ୍ ଓ ୨ ହଜାର ଟଙ୍କା ଜରିମାନା, ଧାରା ୩୫୧(୩) ଅନୁଯାୟୀ ୩ ବର୍ଷ ଜେଲ୍ ଓ ୩ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ଜରିମାନା ଅନାଦେୟ କ୍ଷେତ୍ରରେ ମଧ୍ୟ ଅତିରିକ୍ତ କାରାଦଣ୍ଡର ବ୍ୟବସ୍ଥା ରହିଛି। ତେବେ ସମସ୍ତ ଦଣ୍ଡାଦେଶ ଏକକାଳୀନ ଲାଗୁ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ଏଥିସହ ପୀଡ଼ିତାଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜରିଆରେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଅଭିଯୁକ୍ତଙ୍କଠାରୁ ଆଦାୟ ହେବାକୁ ଥିବା ୩୦ ହଜାର ଟଙ୍କା ମଧ୍ୟ ପୀଡ଼ିତାଙ୍କୁ ପ୍ରଦାନ କରିବାକୁ ଆଦେଶ ହୋଇଛି। ଏହି ମାମଲାରେ ସରକାରୀ ଓକିଲ ରାଜକୁମାର ଶ୍ରୀବାସ ଏବଂ କ୍ୟାଡର ପିପି ଅଭିଷେକ ଜୟସ୍ୱାଲ ମାମଲା ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande