
ସମ୍ଭାବ୍ୟ ବାତ୍ୟା ଅକ୍ଭାନ ମୁକାବିଲା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହାଇବ୍ରିଡ୍ ମୋଡ୍ରେ ସମୀକ୍ଷା ବୈଠକ
୩୯,୩୧୫ ଜଣ ସ୍ଥାନାନ୍ତର, ଉଦ୍ଧାର ଓ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି
କେନ୍ଦ୍ରାପଡ଼ା, ୧୯ ନଭେମ୍ବର(ହି.ସ.) – ସମ୍ଭାବ୍ୟ ବାତ୍ୟା ‘ଇକଠଇଘ’ର ମୁକାବିଲା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଶାସନିକ ପ୍ରସ୍ତୁତିକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ବାତ୍ୟା ପରିଚାଳନା, ଜନସାଧାରଣଙ୍କ ସୁରକ୍ଷା, ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥାର ସମୀକ୍ଷା ନିମନ୍ତେ ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଏକ ହାଇବ୍ରିଡ୍ ମୋଡ୍ରେ (ଉଭୟ ଅନଲାଇନ୍ ଓ ଅଫଲାଇନ୍) ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାତ୍ୟା ପରିଚାଳନା ଓ ତଦାରଖ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ନିୟୋଜିତ ବରିଷ୍ଠ ଆଇଏଏସ୍ ଅଧିକାରୀ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ଜିଲ୍ଲାରେ ବାତ୍ୟା ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପ୍ରସ୍ତୁତି ଓ ପଦକ୍ଷେପଗୁଡ଼ିକର ସମୀକ୍ଷା କରିଥିଲେ। ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କାଟାରିଆ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ନବକ୍ରିଷ୍ଣ ଜେନା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତିକାନ୍ତ ଭୁଜବଳ, ଡେପୁଟି କଲେକ୍ଟର(ଜରୁରୀକାଳୀନ) ଶ୍ରୀ ନିତ୍ୟରଞ୍ଜନ ସାମଲଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର, ପୋଲିସ ପ୍ରଶାସନ ଓ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ, କେନ୍ଦ୍ରାପଡ଼ାରୁ ଆଜି ସନ୍ଧ୍ୟା ୬ଟା ୧୫ ମିନିଟ୍ ସୁଦ୍ଧା ପ୍ରାପ୍ତ ରିପୋର୍ଟ ଅନୁଯାୟୀ, ବାତ୍ୟା ଆଶଙ୍କା ଥିବା ଅଂଚଳରୁ ଲୋକମାନଙ୍କୁ ସୁରକ୍ଷିତ ପକ୍କା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କାର୍ଯ୍ୟ ଜୋରସୋରରେ ଜାରି ରହିଛି। ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ୩୯,୩୧୫ ଜଣଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଅବଶିଷ୍ଟ ଅଂଚଳରେ ମଧ୍ୟ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପ୍ରକ୍ରିୟା ଅବ୍ୟାହତ ରହିଛି। ଜିଲ୍ଲାରେ ୧୩୦ଟି ମଲ୍ଟିପର୍ପୋଜ୍ ସାଇକ୍ଲୋନ୍ ସେଲ୍ଟରଏବଂ ୫୪୦ଟି ଅସ୍ଥାୟୀ ସ୍କୁଲ୍-କମ୍-ସାଇକ୍ଲୋନ୍ ଆଶ୍ରୟସ୍ଥଳୀକୁ କାର୍ଯ୍ୟକ୍ଷମ ରଖାଯାଇଛି। ଆଶ୍ରୟସ୍ଥଳୀରେ ଅବସ୍ଥାନ କରୁଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ୨୭୪ଟି ମାଗଣା ରନ୍ଧନ କେନ୍ଦ୍ର କାର୍ଯ୍ୟ କରୁଛି। ଏଥିସହ ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ଆଲୋକ, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ମୌଳିକ ସୁବିଧା ଉପଲବ୍ଧ କରାଇବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। ବାତ୍ୟା ମୁକାବିଲା ଓ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାରେ ୨ଟି ଓଡ୍ରାଫ୍ ଟିମ୍, ୧ଟି ଏନ୍ଡିଆଏର୍ଫ୍ ଟିମ୍ ଏବଂ ୧୧ଟି ଅଗ୍ନିଶମ ବାହିନୀ ଟିମ୍ ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ବ୍ଲକ୍ରେ ଗୋଟିଏ ଲେଖାଏଁ ଅଗ୍ନିଶମ ଟିମ୍ ଏବଂ ଜିଲ୍ଲା ମୁଖ୍ୟାଳୟରେ ଅତିରିକ୍ତ ୨ଟି ଟିମ୍ ମୁତୟନ ରହିଛନ୍ତି। ସମସ୍ତ ବ୍ଲକ୍ରେ ବରିଷ୍ଠ ଅଧିକାରୀମାନଙ୍କୁ ନିୟୋଜିତ କରାଯିବା ସହ ଡେପୁଟି ଓ ଆସିଷ୍ଟାଂଟ କଲେକ୍ଟରମାନଙ୍କୁ ମଧ୍ୟ ଦାୟିତ୍ୱ ଅର୍ପଣ କରାଯାଇଛି। ଜିଲ୍ଲା ଓ ବ୍ଲକ୍ ସ୍ତରରେ ନିୟନ୍ତ୍ରଣ କକ୍ଷଗୁଡ଼ିକ ନିରନ୍ତର କାର୍ଯ୍ୟ କରୁଛି। ଗର୍ଭବତୀ ମହିଳାମାନଙ୍କ ସୁରକ୍ଷା ଓ ନିରାପଦ ପ୍ରସବକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। ୧୪୮ ଜଣଙ୍କୁ ସୁରକ୍ଷିତ ଭାବେ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବାବେଳେ ଏପର୍ଯ୍ୟନ୍ତ ୩୫ଟି ନିରାପଦ ପ୍ରସବ ସମ୍ପନ୍ନ ହୋଇଛି। ରିଲିଫ୍ ଓ ଜରୁରୀ ସାମଗ୍ରୀ ଯୋଗାଣ ପାଇଁ ଜିଲ୍ଲାରେ ୭୦୦ କ୍ୱିଂଟାଲ୍ ଚୁଡ଼ା, ୬୫ କ୍ୱିଂଟାଲ୍ ଗୁଡ଼ ଏବଂ ୩,୮୫୨ଟି ପଲିଥିନ୍ ସିଟ୍ ମହଜୁଦ ରଖାଯାଇଛି। ଜିଲ୍ଲାରେ ଆଜି ସୁଦ୍ଧା ମୋଟ ୧୨୬ ମିଲିମିଟର ବର୍ଷା ହୋଇଥିବାବେଳେ ହାରାହାରି ବର୍ଷା ୧୪ ମିଲିମିଟର ରେକର୍ଡ କରାଯାଇଛି। ରିପୋର୍ଟ ପ୍ରସ୍ତୁତି ସମୟ ସୁଦ୍ଧା ପବନ ସମ୍ପର୍କିତ କୌଣସି ରିପୋର୍ଟ ମିଳିନାହିଁ। ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲ୍, କଲେଜ୍, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ନଭେମ୍ବର ୧୯, ୨୦ ଓ ୨୧ ତାରିଖରେ ବନ୍ଦ ରଖାଯାଇଛି। ସମୀକ୍ଷା ବୈଠକରେ ଜିଲ୍ଲାପାଳ ସମସ୍ତ ବ୍ଲକ୍ ଓ ବିଭାଗୀୟ ଅଧିକାରୀମାନଙ୍କୁ ନିଜ ନିଜ ଅଂଚଳରେ ସର୍ବଦା ସଜାଗ ଓ ସତର୍କ ରହିବା ସହ ସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନାନ୍ତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ସମସ୍ତ ବିପଦପୂର୍ଣ୍ଣ ଅଂଚଳର ଲୋକମାନଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ନେବା, ଆବଶ୍ୟକସ୍ଥଳେ ତୁରନ୍ତ ଉଦ୍ଧାର ଓ ସହାୟତା କାର୍ଯ୍ୟ ଆରମ୍ଭ କରିବା ଏବଂ ଜନସାଧାରଣଙ୍କୁ ସମୟୋଚିତ ସୂଚନା ପ୍ରଦାନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ସମସ୍ତ ଆଶ୍ରୟସ୍ଥଳୀରେ ଖାଦ୍ୟ, ପାନୀୟ ଜଳ, ଆଲୋକ, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ସୁନିଶ୍ଚିତ କରିବା ସହ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ମହିଳା, ଶିଶୁ ଓ ଗର୍ଭବତୀ ମହିଳାଙ୍କ ପ୍ରତି ସ୍ୱତନ୍ତ୍ର ଯତ୍ନ ନେବାକୁ ଅଧିକାରୀମାନଙ୍କୁ କହିଥିଲେ। ପ୍ରତ୍ୟେକ ଅଧିକାରୀ ନିଜ ନିଜ ଦାୟିତ୍ୱ ସଠିକ୍ ଭାବେ ସମ୍ପାଦନ କରିବା ସହ କୌଣସି ପରିସ୍ଥିତିରେ ଅବହେଳା ନକରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣଙ୍କ ଜୀବନ ଓ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି। ବାତ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି। ଜନସାଧାରଣଙ୍କୁ ଆତଙ୍କିତ ନହୋଇ ସତର୍କ ରହିବା, ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ପାଳନ କରିବା ଏବଂ ବିପଦପୂର୍ଣ୍ଣ ଅଂଚଳରେ ରହିନଥାଇ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଯିବାକୁ ଅନୁରୋଧ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି