
ରାସ୍ତା ନାହିଁ, ଭଙ୍ଗା କାଚ ଓ ଅଳିଆରେ ଭର୍ତ୍ତି ପରିସର; ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ସ୍ଥାନୀୟ ଲୋକେ
ଝାରସୁଗୁଡ଼ା, ୧୯ ନଭେମ୍ବର (ହି.ସ.): ଜନସାଧାରଣଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ବହୁମୁଖୀ କଲ୍ୟାଣ ମଣ୍ଡପ। ହେଲେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ଉଦ୍ଘାଟନ ମଧ୍ୟ ସରିଛି, କିନ୍ତୁ ଏହାର ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ସ୍ଥାନୀୟ ଲୋକେ। ରକ୍ଷଣାବେକ୍ଷଣ ଅଭାବ ଓ ମୌଳିକ ସୁବିଧାର ଅଭାବ ଯୋଗୁଁ ଏବେ ଏହି ଭବନ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି। ଏଭଳି ଦୃଶ୍ୟ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅନ୍ତର୍ଗତ ଖଳିଆକାନୀଠାରେ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୧ କୋଟି ୮୬ ଲକ୍ଷ ଟଙ୍କା ବ୍ୟୟରେ ୩୦୦ ଜଣଙ୍କ କ୍ଷମତା ବିଶିଷ୍ଟ ଏହି ବହୁମୁଖୀ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି। ୨୦୨୩ ଡିସେମ୍ବର ୨୧ ତାରିଖରେ ଏହାର ଶିଳାନ୍ୟାସ ହୋଇଥିବାବେଳେ ୨୦୨୫ ଜାନୁଆରୀ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍ଘାଟନ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ସାମାଜିକ, ସାଂସ୍କୃତିକ ଓ ବିଭିନ୍ନ ସାମୂହିକ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଏହା ଉପଯୋଗୀ ହେବ ବୋଲି ଆଶା କରାଯାଇଥିଲା। ମାତ୍ର ବାସ୍ତବ ଚିତ୍ର ଏବେ ସମ୍ପୂର୍ଣ୍ଣ ଭିନ୍ନ।
ସବୁଠାରୁ ଉଦ୍ବେଗଜନକ ବିଷୟ ହେଉଛି, ଏହି ଭବନକୁ ଯିବା ପାଇଁ ଏପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ହୋଇନାହିଁ। ଉବୁଡ଼ଖାବୁଡ଼ା ପଥର ଓ ମାଟି ରାସ୍ତା ଦେଇ ଲୋକଙ୍କୁ ଯାତାୟାତ କରିବାକୁ ପଡ଼ୁଛି। ଏହାସହ ଭବନ ଚାରିପାଖରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଥିବାବେଳେ ସେଥିରେ ବର୍ଷାଜଳ ଜମି ରହୁଛି। ଫଳରେ ସାଧାରଣ ଲୋକଙ୍କ ଯାତାୟାତ ଅତ୍ୟନ୍ତ ଅସୁବିଧାଜନକ ହୋଇପଡ଼ିଛି।
ଅନ୍ୟପକ୍ଷରେ କଲ୍ୟାଣ ମଣ୍ଡପର ଝରକା ଓ ମୁଖ୍ୟ ଫାଟକର କାଚ ଭାଙ୍ଗିଯାଇଛି। ମୁଖ୍ୟ ଫାଟକରେ ଅଧିକାଂଶ ସମୟରେ ତାଲା ଝୁଲୁଥିବାବେଳେ ଏହାର ପରିସରରେ ମଦ ବୋତଲ ସହ ବିଭିନ୍ନ ଅଳିଆ ଆବର୍ଜନା ପଡ଼ିରହିଛି। ଏଥିରୁ ଭବନର ନିୟମିତ ରକ୍ଷଣାବେକ୍ଷଣ ଓ ସୁରକ୍ଷା ବ୍ୟବସ୍ଥା ପ୍ରତି କର୍ତ୍ତୃପକ୍ଷଙ୍କ ଉଦାସୀନତା ସ୍ପଷ୍ଟ ହେଉଛି।
ଜନସାଧାରଣଙ୍କ ସୁବିଧା ପାଇଁ ବିପୁଳ ଅର୍ଥ ବ୍ୟୟରେ ନିର୍ମିତ ଏହି ସରକାରୀ ସମ୍ପତ୍ତି ଯଦି ବ୍ୟବହାରରେ ନ ଲାଗେ, ତେବେ ଏହାର ଉଦ୍ଦେଶ୍ୟ କ'ଣ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ତୁରନ୍ତ କଲ୍ୟାଣ ମଣ୍ଡପକୁ ପକ୍କା ରାସ୍ତା ନିର୍ମାଣ, ଭଙ୍ଗା କାଚର ମରାମତି, ପରିସରର ସଫେଇ ଓ ସୁରକ୍ଷା ବ୍ୟବସ୍ଥା ସହ ଏହାର ନିୟମିତ ରକ୍ଷଣାବେକ୍ଷଣ କରିବାକୁ ଦାବି ହୋଇଛି।
ଏ ସମ୍ପର୍କରେ ବ୍ରଜରାଜନଗର ପୌର ପରିଷଦର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା। ଏବେ ଏହି ସମସ୍ୟାର ସମାଧାନ ଦିଗରେ ପ୍ରଶାସନ କେବେ ପଦକ୍ଷେପ ନେଉଛି, ତାହାକୁ ଅପେକ୍ଷା କରିଛନ୍ତି ଖଳିଆକାନୀବାସୀ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ