
ଜୟପୁର, ୧୯ ନଭେମ୍ବର (ହି.ସ.)-
ବୀରାଙ୍ଗନା ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀ ଅବସରରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପରିସରରେ ଆଜି ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଜ୍ୟୋତି ରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସହଯୋଗରେ ଏକ ବିଶାଳ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ମିଶନ୍ ସାହସୀ’ ଆୟୋଜିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ଇତିହାସରେ ପ୍ରଥମଥର ପାଇଁ ଏଭଳି ଏକ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଏଥିରେ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅପରାଧିକ ମାମଲାର ଆଇନଜୀବୀ ଆଡଭୋକେଟ୍ ଆରତୀ ମହାନ୍ତି ଯୋଗଦେଇ ମହିଳା ସୁରକ୍ଷା, ଆଇନଗତ ଅଧିକାର ଏବଂ ଆତ୍ମନିର୍ଭରଶୀଳତାର ଗୁରୁତ୍ୱ ଉପରେ ନିଜର ମତ ରଖିଥିଲେ। ଅନ୍ୟତମ ଅତିଥି ଭାବେ ମହିଳା ଥାନା ଅଧିକାରୀ ନିର୍ମଳା ଲିମା ମହିଳାଙ୍କ ସୁରକ୍ଷା ଓ ସଚେତନତା ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରଶିକ୍ଷିକା ଭାବେ ଉତ୍କଳ କରାଟେ ସ୍କୁଲର ବ୍ଲାକ୍ ବେଲ୍ଟ (୧ମ ଡାନ୍) ଆଡଭୋକେଟ୍ ଜ୍ୟୋତି ଖୋରା ଛାତ୍ରୀମାନଙ୍କୁ ବିଭିନ୍ନ ଆତ୍ମରକ୍ଷା କୌଶଳର ପ୍ରାୟୋଗିକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହାସହିତ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସଦସ୍ୟା ତଥା ଶକ୍ତିଶ୍ରୀ ସଂଯୋଜିକା ସୁକାନ୍ତି ସୋଏ ଏବଂ ଏନସିସି ଗାର୍ଲସ୍ କୋ-ଅର୍ଡିନେଟର ଲେଫ୍ଟନାଣ୍ଟ ସନ୍ତୋଷିନୀ ମୁଣ୍ଡା ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏବିଭିପି ର ପ୍ରାନ୍ତ ଛାତ୍ରୀ ପ୍ରମୁଖ ଲିସା ମହାପାତ୍ର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ମତ ରଖିଥିଲେ।ଏହି ଅବସରରେ ଛାତ୍ର ସଂସଦ ସଭାପତି ଜ୍ୟୋତି ରଞ୍ଜନ ପାଣିଗ୍ରାହୀ କହିଥିଲେ ଯେ, “ନାରୀ କେବଳ ସୁରକ୍ଷାର ଅପେକ୍ଷା କରିବ ନାହିଁ, ବରଂ ନିଜ ସୁରକ୍ଷା ପାଇଁ ନିଜେ ସକ୍ଷମ ହେବ। ଶିକ୍ଷା ସହିତ ଆତ୍ମରକ୍ଷାର ଜ୍ଞାନ ପ୍ରତ୍ୟେକ ଛାତ୍ରୀଙ୍କ ପାଇଁ ଆଜିର ସମୟରେ ଅତ୍ୟନ୍ତ ଆବଶ୍ୟକ।” “ସଶକ୍ତ ନାରୀ, ସୁରକ୍ଷିତ ସମାଜ” ର ବାର୍ତ୍ତା ସହିତ ଏହି ଅଭିନବ ପ୍ରୟାସ ବିଶ୍ୱବିଦ୍ୟାଳୟରେ ମହିଳା ସଶକ୍ତିକରଣ ଦିଗରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛି।କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ର ସାଧାରଣ ସମ୍ପାଦକ ଶ୍ରୀକାନ୍ତ ଚୌଧୁରୀ, ଉପ ସଭାପତି ବିଶ୍ବରଂଜନ ବେନିଆ, ଜଏଣ୍ଟ ସେକ୍ରେଟାରୀ ପର୍ଶୁରାମ ଗୋଲାରି,ଡ୍ରାମାଟିକ୍ ସେକ୍ରେଟାରୀ ପଲକ୍ ପଟ୍ଟନାୟକ, ଡେ ସ୍କୋଲାର ଆସୋସିଏସନ୍ ସେକ୍ରେଟାରୀ ଶୁଭମ୍ ନାୟକ, ଏବିଭିପି ସମ୍ପାଦକ ମନୋଜ ସାହୁ, ପି. ହୋମେଶ୍ୱରୀ, ପପୁନ୍ ବିଷୋୟୀ ,ତ୍ରିଲୋଚନ ନାୟକ, ଆଦ୍ୟାଶା ପଣ୍ଡା, ତ୍ରସା ମଣ୍ଡଳ, ପ୍ରିୟାଙ୍କିନି ନାୟକ ପ୍ରମୁଖ ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପିକେପି