ବିକ୍ରମ ଦେବ ବିଶ୍ଵବିଦ୍ୟାଳୟରେ ବିଶ୍ଵ ଦର୍ଶନ ଦିବସ ପାଳିତ
ଉପନିଷଦର ଚିନ୍ତାଧାରା ଓ ସମକାଳୀନ ସମାଜରେ ଏହାର ପ୍ରାସଙ୍ଗିକତା ଉପରେ ଆଲୋଚନା ଜୟପୁର, ୧୯ ନଭେମ୍ବର (ହି.ସ.)- ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ଫିଲୋସଫିକାଲ୍ ରିସର୍ଚ୍ଚ, ନୂଆଦିଲ୍ଲୀର ସହଯୋଗ ଓ ପ୍ରାୟୋଜନରେ ବିଶ୍ୱ ଦର୍ଶନ ଦିବସ ଉତ୍ସାହ ଓ ଗା
ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଦର୍ଶନ ଦିବସ ପାଳିତ


ଉପନିଷଦର ଚିନ୍ତାଧାରା ଓ ସମକାଳୀନ ସମାଜରେ ଏହାର ପ୍ରାସଙ୍ଗିକତା ଉପରେ ଆଲୋଚନା

ଜୟପୁର, ୧୯ ନଭେମ୍ବର (ହି.ସ.)- ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ଫିଲୋସଫିକାଲ୍ ରିସର୍ଚ୍ଚ, ନୂଆଦିଲ୍ଲୀର ସହଯୋଗ ଓ ପ୍ରାୟୋଜନରେ ବିଶ୍ୱ ଦର୍ଶନ ଦିବସ ଉତ୍ସାହ ଓ ଗାମ୍ଭୀର୍ଯ୍ୟର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଡ. ଅମୂଲ୍ୟ ରଞ୍ଜନ ମହାପାତ୍ର ଯୋଗଦେଇ “ଉପନିଷଦର ପ୍ରାସଙ୍ଗିକତା” ଶୀର୍ଷକରେ ଏକ ମୂଲ୍ୟବାନ ବକ୍ତୃତା ପ୍ରଦାନ କରିଥିଲେ। ସେ ନିଜ ବକ୍ତବ୍ୟରେ ଉପନିଷଦର ଗଭୀର ଦାର୍ଶନିକ ଚିନ୍ତାଧାରା, ଆତ୍ମା, ବ୍ରହ୍ମ, ଜ୍ଞାନ, ସତ୍ୟ ଓ ମାନବ ଜୀବନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଆଧୁନିକ ଜୀବନରେ ନୈତିକ ମୂଲ୍ୟବୋଧ, ଆତ୍ମଜ୍ଞାନ ଓ ମାନବୀୟ ଚେତନାର ବିକାଶ ଦିଗରେ ଉପନିଷଦର ଶିକ୍ଷା କିପରି ପଥପ୍ରଦର୍ଶକ ହୋଇପାରିବ, ସେ ବିଷୟରେ ସେ ବିଶଦ ଭାବେ ବୁଝାଇଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଦର୍ଶନଶାସ୍ତ୍ର ବିଭାଗର ମୁଖ୍ୟ ଶ୍ରୀ ଫ୍ରାନ୍ସିସ୍ ବର୍ଲା ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଦର୍ଶନଶାସ୍ତ୍ରର ଗୁରୁତ୍ୱ ଏବଂ ମାନବ ଜୀବନରେ ଏହାର ଭୂମିକା ସମ୍ପର୍କରେ ନିଜର ମତ ରଖିଥିଲେ। ଏହି ଅବସରରେ କ୍ୟାପ୍ଟେନ୍ ଡ. ଲକ୍ଷ୍ମଣ ପାତ୍ର ବିଶ୍ୱ ଦର୍ଶନ ଦିବସ ପାଳନର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଦର୍ଶନ କେବଳ ଏକ ଶିକ୍ଷାଗତ ବିଷୟ ନୁହେଁ, ବରଂ ଏହା ମଣିଷକୁ ଯୁକ୍ତିଶୀଳ, ବିବେକଶୀଳ, ସମାଲୋଚନାତ୍ମକ ଚିନ୍ତନଶୀଳ ଓ ନୈତିକ ଭାବେ ଦାୟିତ୍ୱବାନ ହେବାକୁ ପ୍ରେରଣା ଦେଇଥାଏ। ମୁକ୍ତ ଚିନ୍ତନ, ପ୍ରଶ୍ନ ପଚାରିବାର ମନୋଭାବ, ସଂଳାପ ଓ ବିଭିନ୍ନ ମତ ପ୍ରତି ସହିଷ୍ଣୁତା ବିକାଶ କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଦାର୍ଶନିକ ବିଷୟ ଉପରେ ଗବେଷଣାମୂଳକ ପ୍ରବନ୍ଧ ପାଠ। ଛାତ୍ରଛାତ୍ରୀମାନେ ନିଜ ନିଜର ପ୍ରବନ୍ଧ ମାଧ୍ୟମରେ ଦର୍ଶନର ବିଭିନ୍ନ ଦିଗ, ଚିନ୍ତାଧାରା ଓ ସମକାଳୀନ ସମାଜରେ ଏହାର ଉପଯୋଗିତାକୁ ଉପସ୍ଥାପନ କରିଥିଲେ। ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଭୀର ଅଧ୍ୟୟନ, ଯୁକ୍ତିପୂର୍ଣ୍ଣ ଚିନ୍ତନ ଓ ଗବେଷଣାମୂଳକ ମନୋଭାବ ବିକାଶ କରିବାରେ ସହାୟକ ହୋଇଥିଲା।ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗୀତ, ନୃତ୍ୟ ଓ ବିଭିନ୍ନ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର କଳା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମଟି ଜ୍ଞାନ, ଚିନ୍ତନ, ତର୍କ, ସଂସ୍କୃତି ଓ ସୃଜନଶୀଳତାର ଏକ ସୁନ୍ଦର ସମନ୍ୱୟ ଭାବେ ପରିଣତ ହୋଇଥିଲା। ଏହି ଆୟୋଜନ ଛାତ୍ରଛାତ୍ରୀମାନଙ୍କ ମନରେ ଦର୍ଶନଶାସ୍ତ୍ର ପ୍ରତି ଆଗ୍ରହ ସୃଷ୍ଟି କରିବା ସହିତ ମାନବୀୟ ମୂଲ୍ୟବୋଧ ଓ ବୌଦ୍ଧିକ ଚେତନାର ବିକାଶ ପାଇଁ ଏକ ପ୍ରେରଣାଦାୟକ ପଦକ୍ଷେପ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande