
କୋଲକାତା, ୧୯ ନଭେମ୍ବର (ହି.ସ.)- ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଗୁରୁବାର ଅଭିଯୋଗ କରିଛନ୍ତି ଯେ, ନଦିଆ ଜିଲ୍ଲାର କାଲିଗଞ୍ଜରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଏକ ଗୋଷ୍ଠୀ ସମର୍ଥକ ତାଙ୍କ କାର ଏବଂ କାରକେଡ୍ ଉପରକୁ ପଥର ଓ ଅଣ୍ଡା ଫିଙ୍ଗିଛନ୍ତି। ପଶ୍ଚିମବଙ୍ଗର କୃଷ୍ଣନଗର ଲୋକସଭା ଆସନର ସାଂସଦ ରାଜ୍ୟ ପୁଲିସ ଉପରେ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ବିଫଳ ହୋଇଥିବା ଅଭିଯୋଗ ଆଣିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମହୁଆ ମୋଇତ୍ରା ଦାବି କରିଛନ୍ତି ଯେ, ତାଙ୍କ ଉପରେ ଆକ୍ରମଣ କରିବା ପାଇଁ ଗୋବରା ଗ୍ରାମ ପଂଚାୟତ ଅଂଚଳରେ ୮୦ରୁ ୯୦ ଜଣ ବିଜେପି ସମର୍ଥକ ଏକାଠି ହୋଇଥିଲେ ଏବଂ ଏହି ଜମାଣବନ୍ଦୀ ସମ୍ପର୍କରେ ପୁଲିସ ପୂର୍ବରୁ ସମସ୍ତ ସୂଚନା ପାଇଥିଲା। ପଶ୍ଚିମବଙ୍ଗ ପୁଲିସ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଏବଂ କୃଷ୍ଣନଗର ପୁଲିସ ଜିଲ୍ଲାକୁ ସମ୍ବୋଧିତ କରି ସେ ଲେଖିଛନ୍ତି ଯେ, କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କ ସୁରକ୍ଷା ଦାୟିତ୍ୱ ପୁଲିସର। ସମସ୍ତ ସୂଚନା ଥିବା ସତ୍ୱେ ବିଜେପି ସମର୍ଥକମାନେ ତାଙ୍କ ଉପରେ ଆକ୍ରମଣ କରିବା ପାଇଁ ସେଠାରେ ଉପସ୍ଥିତ ଥିଲେ।
ସାଂସଦ ମହୁଆ ମୋଇତ୍ରା ପଶ୍ଚିମବଙ୍ଗ ପୁଲିସ ଉପରେ ବିଜେପି ସମର୍ଥକଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାର ଅଭିଯୋଗ ଆଣିବା ସହ ଏହାକୁ ଅଦାଲତ ଅବମାନନା ବୋଲି କହିଛନ୍ତି। ନିଜର ପୋଷ୍ଟରେ ସେ ସୁପ୍ରିମକୋର୍ଟର ବିଚାରପତି ଦୀପଙ୍କର ଦତ, ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ କଲିକତା ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ଉଲ୍ଲେଖ କରି କହିଛନ୍ତି ଯେ, ତାଙ୍କ ସୁରକ୍ଷା ପାଇଁ ନିଯୁକ୍ତ ପୁଲିସ ଯଦି ବିଜେପି ସହ ମିଶି ତାଙ୍କ ଉପରେ ଆକ୍ରମଣ ପାଇଁ ଅନୁମତି ଦିଏ, ତେବେ ଏହା ଅଦାଲତ ଅବମାନନା। ତୁଷାର ମେହେଟ୍ଟାଙ୍କ ନାମ ଉଲ୍ଲେଖ କରି ସେ କହିଛନ୍ତି ଯେ, ଅଦାଲତରେ ଠିଆ ହୋଇ ଏହାକୁ ଠିକ୍ ବୋଲି ଯୁକ୍ତି ଦର୍ଶାଇବାକୁ ଚେଷ୍ଟା ନକରନ୍ତୁ।
ଅନ୍ୟ ଏକ ପୋଷ୍ଟରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଅଭିଯୋଗ କରିଛନ୍ତି ଯେ, ପୁଲିସକୁ ସମସ୍ତ ସୂଚନା ଦେବା ସତ୍ୱେ ପ୍ରଦର୍ଶନକାରୀମାନଙ୍କୁ ତାଙ୍କ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବା ଏବଂ ପୁଲିସ ସୁରକ୍ଷାରେ ଥିବା କାରକେଡ୍ ଉପରେ ଆକ୍ରମଣ କରିବାକୁ ଅନୁମତି ଦିଆଯାଇଥିଲା। ଘଟଣାସ୍ଥଳରୁ ସାମ୍ନାକୁ ଆସିଥିବା ଦୃଶ୍ୟରେ ସାଂସଦଙ୍କ କାରକେଡ୍ ଅଂଚଳ ଦେଇ ଯାଉଥିବା ସମୟରେ ପ୍ରଦର୍ଶନକାରୀମାନେ କଳା ପତାକା ଦେଖାଇବା ସହ ‘ଫେରିଯାଅ’ ବୋଲି ସ୍ଲୋଗାନ ଦେଉଥିବା ଦେଖାଯାଇଛି। ତେବେ ଏହି ଅଭିଯୋଗ ଉପରେ ପୁଲିସ କିମ୍ବା ବିଜେପି ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।
-----------------
ହିନ୍ଦୁସ୍ଥାନ ସମାଚାର / ଗଗନ