

ପୁରୀ, 19 ନଭେମ୍ବର (ହି.ସ.)-ସମ୍ଭାବ୍ୟ ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ତଥା ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ଓ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଜିଲ୍ଲାର ଉପକୂଳବର୍ତ୍ତୀ ବ୍ରହ୍ମଗିରି, ସାତପଡ଼ା ଏବଂ ପେଣ୍ଠକଣ୍ଟା ଅଞ୍ଚଳ ଗସ୍ତ କରି ସେଠାରେ ଥିବା ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀଗୁଡ଼ିକର ସ୍ଥିତି ପରିଦର୍ଶନ କରିଛନ୍ତି।
ଗସ୍ତ ସମୟରେ ଜିଲ୍ଲାପାଳ ଆଶ୍ରୟ ସ୍ଥଳୀଗୁଡ଼ିକରେ ରହୁଥିବା ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ଲୋକମାନେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି ଅବସରରେ ଜିଲ୍ଲାପାଳ ଆଶ୍ରୟ ସ୍ଥଳୀରେ ଉପଲବ୍ଧ ଥିବା ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ବିଦ୍ୟୁତ୍ ସଂଯୋଗ, ପରିମଳ ବ୍ୟବସ୍ଥା ଏବଂ ପ୍ରାଥମିକ ଚିକିତ୍ସା ସୁବିଧାର ପୁଙ୍ଖାନୁପୁଙ୍ଖ ତଦାରଖ କରିଥିଲେ। ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ବ୍ରହ୍ମଗିରି ବାତ୍ୟା ଆଶ୍ରୟ ସ୍ଥଳୀରେ ପ୍ରସ୍ତୁତ ହୋଇଥିବା ରନ୍ଧା ଖାଦ୍ୟ ଗ୍ରହଣ କରିଥିଲେ। ବିଶେଷ କରି ଶିଶୁ, ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ଯତ୍ନ ନେବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
ବିପର୍ଯ୍ୟୟ ସମୟରେ ଜିଲ୍ଲା ପ୍ରଶାସନ ସର୍ବଦା ଲୋକଙ୍କ ସାଥୀରେ ରହିଛି ଏବଂ ଶୂନ୍ୟ ଜୀବନହାନି ଲକ୍ଷ୍ୟ ନେଇ ସମସ୍ତ ବିଭାଗ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।ଏହି ପରିଦର୍ଶନ ସମୟରେ ସ୍ଥାନୀୟ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ