
ଭୁବନେଶ୍ୱର, ୧୯ ନଭେମ୍ବର (ହି.ସ)- ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଅକବାନ’ର ଓ ବର୍ଷାଜନିତ ସମ୍ଭାବ୍ୟ ବନ୍ୟାକୁ ମୁକାବିଲା କରିବାରେ ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରିବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ଏକ କମିଟି ଗଠନ କରିଛନ୍ତି। ବିଧାୟକ ତାରାପ୍ରସାଦ ବାହିନୀପତି ଏହି କମିଟିରଅଧ୍ୟକ୍ଷ ରହିଥିବା ବେଳେ ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ୱରୂପ ଦାଶ ଆବାହକ ରହିଛନ୍ତି। ଏହା ବ୍ୟତୀତ କମିଟିରେ ଆଉ ୧୩ ଜଣ ସଦସ୍ୟ ରହିଛନ୍ତି।
ସଂପୃକ୍ତ ଜିଲ୍ଲାଗୁଡ଼ିକର ଡିସିସି ସଭାପତିମାନେ ଆଜି ହିଁ ନିଜନିଜ ଜିଲ୍ଲାର ସେବାଦଳ ଓ ଛାତ୍ରକଂଗ୍ରେସ ଟିମ୍ ସହିତ ବସି ସ୍ଥାନୀୟ ଲୋକମାନଙ୍କୁ କିପରି ନିରାପଦ ରଖିବା ଦିଗରେ ସହଯୋଗ କରାଯାଇପାରିବ, ସେଥିପାଇଁ ତୁରନ୍ତ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜନ କରିବା ଦିଗରେ ପଦକ୍ଷେପ ନେବାପାଇଁ ପିସିସି ସଭାପତି ନିର୍ଦ୍ଦେଶ ଦେଇଛନ୍ତି। ସଂପୃକ୍ତ ଜିଲ୍ଲାଗୁଡ଼ିକ ଦାୟିତ୍ୱରେ ଥିବା ପିସିସି ଲୋକସଭା-ଇନଚାର୍ଜ, ଭିପି-ସାଧାରଣ ସଂପାଦକ ଓ ସଂପାଦକମାନେ ନିଜନିଜ ଅଞ୍ଚଳକୁ ଆଜି ହିଁ ଯିବାପାଇଁ କୁହାଯାଇଛି। ସେମାନେ ନିଜନିଜ ଜିଲ୍ଲା କମିଟିଗୁଡ଼ିକ ସହ ମିଶି କିପରି ଅଧିକରୁ ଅଧିକ ସ୍ଥାନରେ କଂଗ୍ରେସ ନେତା ଓ କର୍ମୀ ପହଞ୍ଚି ପ୍ରଭାବିତ ହେବାକୁ ଥିବା ଲୋକଙ୍କର ସେବା କରିପାରିବେ ସେ ନେଇ ବ୍ୟାପକ ପ୍ରସ୍ତୁତି କରିବାକୁ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି।
ଗୁରୁବାର ସନ୍ଧ୍ୟାରେ କଂଗ୍ରେସ ଭବନରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଉପରୋକ୍ତ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଦାସ ସ୍ୱତନ୍ତ୍ର ରିଲିଫ କମିସନର ରାଜେଶ ପ୍ରଭାକର ପାଟିଲଙ୍କ ସହ କଥା ହୋଇ ପିସିସି ଓ ଡିସିସିର ୱାର-ରୁମ୍ ଗୁଡ଼ିକ ବିଷୟରେ ସୂଚନା ଦେଇଥିଲେ। ଶ୍ରୀ ପାଟିଲ ଏ ବିଷୟରେ ସଂପୃକ୍ତ ଅଧିକାରୀମାନଙ୍କୁ ଜଣାଇବେ ବୋଲି ସମ୍ମତ ହୋଇଥିଲେ। ଡିସିସି ସଭାପତିମାନେ ନିଜନିଜ ଜିଲ୍ଲାର ବ୍ଲକ୍ ସଭାପତି ଓ ଅନ୍ୟ କର୍ମକର୍ତା ତଥା ଛାତ୍ରକଂଗ୍ରେସ ଓ ସେବାଦଳର କର୍ମୀମାନଙ୍କୁ ନେଇ ସ୍ୱେଚ୍ଛାସେବୀ ବାହିନୀ ଗଠନ କରିବେ ବୋଲି ଶ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ବାତ୍ୟାବନ୍ୟା ପରିଚାଳନା ଓ ମୁକାବିଲା ଦାୟିତ୍ୱରେ ଥିବା ଅଧିକାରୀମାନେ ଯେପରି ଚବିଶ ଘଂଟା ତତ୍ପର ରହନ୍ତି ଓ ପ୍ରଶାସନର କଣ୍ଟ୍ରୋଲ ରୁମ୍?ଗୁଡ଼ିକ ଯେପରି ସବୁବେଳେ କ୍ରିୟାଶୀଳ ରହନ୍ତି, ଡିସିସିର କେଂଟ୍ରାଲ ରୁମ୍ ଗୁଡ଼ିକୁ ସେ ଦିଗରେ କାର୍ଯ୍ୟ କରିବ ବୋଲି ଶ୍ରୀ ଦାସ କହିଥିଲେ।
ମାଲକାନଗିରି, ଗଂଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ ଓ ଖୋର୍ଧାର ଡିସିସି ସଭାପତି ଓ ସମସ୍ତ ପିସିସି ଇନ୍-ଚାର୍ଜ ମାନଙ୍କ ସହ ଶ୍ରୀ ଦାସ ଏକ ଆଭାସୀ ବୈଠକରେ ଏକାଠି ହୋଇ ସମସ୍ତ ପ୍ରସ୍ତୁତି ବିଷୟରେ ଅବଗତ କରାଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା